ଭୁବନେଶ୍ବର : ବିଜେଡିରେ ଟିକେଟ୍ ଘୋଷଣା ହେଉ ନ ଥିବାରୁ ଆଶାୟୀ ପୂରା ଦମ୍ରେ ତାଙ୍କ ଶକ୍ତି ଦେଖାଇବାକୁ ଅଣ୍ଟା ଭିଡ଼ିଛନ୍ତି। ବିଧାୟକଙ୍କ ଘରେ ଏବେ ଆଶାୟୀ ନିଜ ସମର୍ଥକଙ୍କ ସହ ପତିଆରା ପ୍ରଦର୍ଶନ କରୁଛନ୍ତି। ଗତକାଲି ମଧ୍ୟ ବିଧାୟକଙ୍କ ବାସଭବନରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ବେଳେ ଗୁରୁବାର ଦିନ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସରକାରୀ ବାସଭବନରେ ସମାନ ଘଟଣା ଘଟିଥିଲା। ୧୭ ନମ୍ବର ୱାର୍ଡର ଆଶାୟୀ ପ୍ରାର୍ଥୀ କେ. ଭାରତୀ ରେଡ଼ି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ବିଧାୟକ ଶ୍ରୀ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ‘ବିଜେଡି ଜିନ୍ଦାବାଦ୍, ନବୀନ ପଟ୍ଟନାୟକ ଜିନ୍ଦାବାଦ୍’ ସ୍ବରରେ ରାସ୍ତାଘାଟ ସମେତ ବିଧାୟକଙ୍କ ବାସଭବନ କମ୍ପିଥିଲା।
ବିଧାୟକଙ୍କ ସହ ସେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା କରିଥିଲେ। ତାଙ୍କ ସହ ଯାଇଥିବା ସେହି ଅଞ୍ଚଳର ବରିଷ୍ଠ ନାଗରିକ ମଧ୍ୟ ଭାରତୀଙ୍କ ସପକ୍ଷରେ ଲବି କରିଛନ୍ତି। ଏଣୁ ବିଧାୟକଙ୍କ ଉପରେ ପ୍ରବଳ ଚାପ ପଡ଼ିଛି। ଯଦି ଦଳୀୟ ଟିକେଟ୍ ନ ମିଳେ ବା ୧୭ ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କୁ ଭାରତୀଙ୍କ ସମର୍ଥନ ନ ମିଳେ ତେବେ ବିଜେଡି ପାଇଁ ବିପଦ ହୋଇପାରେ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ବିଧାୟକ କହିଛନ୍ତି, ଦଳ ଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବ। ଦକ୍ଷ ବା ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ପଥର ବନ୍ଧ, ବାଣୀବିହାର ତାରିଣୀ ବସ୍ତି, ତ୍ରିନାଥ ବସ୍ତି ସମେତ ବିଶେଶ୍ବରୀ ବସ୍ତି ଅଞ୍ଚଳ ୧୭ ନମ୍ବର ୱାର୍ଡ ମଧ୍ୟରେ ରହିଛି। ଗତ ନିର୍ବାଚନରେ ଲୀଳାବତୀ ଓଝା ବିଜେଡିରୁ ବିଜୟ ଲାଭ କରିଥିଲେ। ହେଲେ ଅଢ଼େଇ ବର୍ଷ ପରେ ତାଙ୍କର ମୃତ୍ୟୁ ହେବାରୁ ଏଠାରେ ଉପନିର୍ବାଚନ ହୋଇଥିଲା। ଲାଳାବତୀଙ୍କ ବିପକ୍ଷରେ ସ୍ବାଧୀନ ଭାବେ ଲଢ଼ିଥିବା ସୁସ୍ମିତା ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଓ ସେ ବିଜୟ ଲାଭ କରି କର୍ପୋରେଟର ହୋଇଥିଲେ। ଏଥର ମହିଳାଙ୍କ ପାଇଁ ଏହି ପଦ ସଂରକ୍ଷିତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/m15.jpg)