ଭୁବନେଶ୍ବର: ଭାରତୀୟ ଜନତା ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି। ଏକ ମିଡିଆ ବାଇଟ୍‌କୁ ଏଆଇ ମାଧ୍ୟମରେ ବଦଳାଯାଇ ପ୍ରଦେଶ କଂଗ୍ରେସର ସୋସିଆଲ ମିଡିଆ ପେଜ୍‌ରେ ମିଛ ପ୍ରଚାର କରାଯାଉଥିବା ଅଭିଯୋଗ କରି ଯୁବମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏନେଇ ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ମିଥ୍ୟା ଅଭିଯୋଗ ଆଣି ସାମାଜିକ ଗଣମାଧ୍ୟମରେ ଦଳର ଏବଂ ଯୁବମୋର୍ଚ୍ଚାର ରାଜ୍ୟ ସଭାପତିଙ୍କୁ ବଦନାମ କରିବା ପାଇଁ ହୀନ ରାଜନୀତି କରୁଛି। ଅଫିସିଆଲ୍ ଆକାଉଣ୍ଟରେ ଏଭଳି ଭିଡିଓ ପୋଷ୍ଟ କରାଯିବା କଂଗ୍ରେସ କର୍ମୀଙ୍କ ପାଗଳାମିକୁ ଦର୍ଶାଉଛି। ଏତଲା ଦେବା ସମୟ‌ରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଇକରାୟ, ସୁବ୍ରତ ବିଶ୍ୱାଳ, ରା‌ଜିତ ନାୟକ, ଆଶୁତୋଷ ନାୟକ, ପ୍ରୀତମ ଦାସ, ବାସୁଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।