ଓଡ଼ିଶାରେ ଭାରତମାଳା ପରିଯୋଜନା କାର୍ଯ୍ୟକାରୀ କର

ଭୁବନେଶ୍ବର : ଉପକୂଳ ରାଜପଥ ନିର୍ମାଣ କରିବାକୁ ଯୋଜନା କଲେ। ଯୋଜନାକୁ କାର୍ଯ୍ୟକାରୀ କରିବାକୁ ୨୦୧୬ ମସିହାରୁ ସର୍ଭେ ବି ଆରମ୍ଭ କଲେ। ମାତ୍ର ବିଭିନ୍ନ ଆଳ ଦେଖାଇ ଏହାକୁ ଝୁଲାଇ ରଖିଛନ୍ତି ଭାରତ ସରକାର। ଫଳରେ ‘ଓଡ଼ିଶାରେ ଭାରତମାଳା ପରିଯୋଜନା’ ମାଧ୍ୟମରେ ହେବାକୁ ଯାଉଥିବା ଉପକୂଳ ରାଜପଥ କାମ ଲଟକି ରହିଛି।

ଉପକୂଳ ରାଜପଥ ନିର୍ମାଣ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚର ଆବାହକ ଟୁନା ସ୍ବାଇଁଙ୍କ କହିବା ମୁତାବକ, ଏହି ଯୋଜନାରେ ଗୋପାଳପୁରରୁ ରତନପୁର ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ କରିବା ପାଇଁ ଯୋଜନା ହୋଇଥିଲା। ମାତ୍ର ଆଲାଇନ୍‌ମେଣ୍ଟ୍‌ ପରିବର୍ତନ ବାହାନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ସେ ଏକଥା ବି କହିଛନ୍ତି, ଏହା କାର୍ଯ୍ୟକାରୀ ହେଲେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରର ଜନସାଧାରଣ ଉପକୃତ ହୋଇପାରିବେ। ଉପକୂଳବାସୀଙ୍କ ସାମାଜିକ, ଆର୍ଥିକ, ଗମନାଗମନ ଓ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ଘଟିବ। ଏପରିକି ଉପକୂଳବାସୀ ପ୍ରତିବର୍ଷ ବାତ୍ୟାର ସାମ୍ନା କରୁଥିବାରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପଥ ସୁଗମ ହୋଇପାରିବ। ଯୋଜନା ମୁତାବକ ବିଭିନ୍ନ ନଦୀ, ହ୍ରଦ ଉପରେ ବ୍ରିଜ୍‌ ହେବା ‌ଦ୍ବାରା ଯାତାୟାତ, ମାଲ ପରିବହନ ଓ ଘୂର୍ଣ୍ଣିବାତ୍ୟା ପ୍ରକୋପରୁ ରକ୍ଷା ପାଇହେବ।

ମହାମଞ୍ଚର ଅନ୍ୟତମ ସଭ୍ୟ ଉମାରାଣୀ ଦଳେଇ କହିଛନ୍ତି, ଚିଲିକା ସାତପଡ଼ା‌ରେ ହଜାର ହଜାର ଲୋକେ ପ୍ରତିଦିନ ବିପଦପୂର୍ଣ୍ଣ ଭାବେ ମୋଟର ଡଙ୍ଗାରେ ପାର୍‌ ହେଉଛନ୍ତି। ବ୍ରିଜ୍‌ ହେଲେ ନିରାପଦରେ ଚିଲିକା ପାର୍‌ ହେବା ସମ୍ଭବ ହେବ। ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଉପକୂଳବାସୀଙ୍କ ରୋଜଗାର ବୃଦ୍ଧି ପାଇବ। ତେଣୁ ୬ଟି ଜିଲ୍ଲାର ଲୋକମାନଙ୍କ ଜୀବନ ଜୀବିକା, ଯାତାୟାତ, ସାମାଜିକ ଓ ଆର୍ଥିକ ନିରାପତ୍ତା ଓ ଉନ୍ନତିକୁ ଦୃଷ୍ଟିରେ ରଖି ଯୋଜନାକୁ କାର୍ଯ୍ୟକାରୀ କରାଯାଉ ବୋଲି ଉମାରାଣୀ କହିଛନ୍ତି। ପରିବେଶ ବିଭାଗ, ଉପକୂଳ ପରିଚାଳନା ବିଭାଗ, ପୂର୍ତ ବିଭାଗ ଓ ଅନ୍ୟ ଆନୁଷଙ୍ଗିକ ବିଭାଗକୁ ଅନୁମତି ଦେବା ସହ କେନ୍ଦ୍ର ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କ ସହ ଆଲୋଚନା ପୂର୍ବକ ଓଡ଼ିଶାରେ ଭାରତମାଳା ପରିଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମହାମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ବୋଲି ମହାମଞ୍ଚର ଆବାହକ ଟୁନା ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର