ଭୁବନେଶ୍ବର: ଭରତପୁର ଥାନାରେ କ୍ୟାପ୍ଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଓ ନିର୍ଯାତନା ଦେବା ମାମଲାରେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କ ସାଇଣ୍ଟିଫିକ୍ ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି। ଗୁଜରାଟ ଡିଏଫ୍ଏସ୍ଏଲ୍ରେ ଦୀନକୃଷ୍ଣଙ୍କ ସତମିଛ ପରୀକ୍ଷା ସହ ନାର୍କୋ ଓ ବ୍ରେନ ମ୍ୟାପିଂ ଏବଂ ଅନ୍ୟ ୪ ପୁଲିସ କର୍ମଚାରୀଙ୍କ ପଲିଗ୍ରାଫ ପରୀକ୍ଷା ରିପୋର୍ଟ ଆସିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର ରିପୋର୍ଟକୁ ନେଇ ତର୍ଜମା ଆରମ୍ଭ କରିଛନ୍ତି। ସେହିପରି ପୁଲିସ କର୍ମଚାରୀ ଓ ପୀଡ଼ିତାଙ୍କ ଜବତ ମୋବାଇଲଗୁଡ଼ିକର ଫରେନସିକ୍ ଯାଞ୍ଚ ରିପୋର୍ଟ ଏ ପର୍ଯ୍ୟନ୍ତ ଆସି ନଥିବାବେଳେ ଖୁବ୍ଶୀଘ୍ର ଆସିବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ତଦନ୍ତ, ପୁଲିସ କର୍ମଚାରୀଙ୍କ ବୟାନ, ଫରେନସିକ୍ ରିପୋର୍ଟ ସହ ଗୁଜରାଟରୁ ଆସିଥିବା ସାଇଣ୍ଟିଫିକ୍ ରିପୋର୍ଟର ତର୍ଜମା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି। ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ପୂର୍ବ ବୟାନ ଓ ରିପୋର୍ଟକୁ ନେଇ ଚାଲିଛି ତର୍ଜମା
ଯାଞ୍ଚ ପରେ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ
୧୪ରୁ ନ୍ୟାୟିକ କମିସନଙ୍କ ଶୁଣାଣି ଆରମ୍ଭ
ପ୍ରଥମ ପର୍ଯ୍ୟାୟରେ ୫ ପୁଲିସ, କ୍ୟାପ୍ଟେନ୍ ଓ ବାନ୍ଧବୀ, ୯ ଛାତ୍ରଙ୍କୁ ସମନ
ସେପଟେ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାୟିକ କମିସନଙ୍କ ତଦନ୍ତ ଜାରି ରହିଥିବା ବେଳେ ଆସନ୍ତା ୧୪ ତାରିଖରୁ ମାମଲାରେ ପକ୍ଷଙ୍କ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫ ପୁଲିସ କର୍ମଚାରୀଙ୍କ ସମେତ କ୍ୟାପ୍ଟେନ୍ ଓ ତାଙ୍କ ବାନ୍ଧବୀ ଏବଂ ଘଟଣାରେ ସଂପୃକ୍ତ ଥିବା ୯ଜଣ ଛାତ୍ରଙ୍କୁ ସମନ କରାଯାଇଛି ବୋଲି କମିସନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ଏହି ମାମଲାରେ ୫୦୦ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିବାବେଳେ ସେ ସବୁର ଯାଞ୍ଚ ପ୍ରକ୍ରିୟା ସରିଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୬ଜଣଙ୍କୁ ବୟାନ ରେକର୍ଡ ପାଇଁ କମିସନଙ୍କ ପକ୍ଷରୁ ନୋଟିସ କରାଯାଇଛି। ସେମାନେ ୧୪ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି। ସ୍ପେସାଲ ସର୍କିଟ ହାଉସରେ କମିସନଙ୍କ କାର୍ଯ୍ୟାଳୟରେ ହାଜର ହେବା ସହ କମିସନଙ୍କ ନିର୍ଦ୍ଦେଶ ମୁତାବକ ସେମାନଙ୍କ
ବୟାନ ରେକର୍ଡ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/Bv3uWFPKkdV23IPYXOPJ.jpg)