ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ୨୪ ବର୍ଷରେ ନବୀନ ପଟ୍ଟନାୟକଙ୍କ ସରକାର ଗଠନ କରିଥିଲେ ଦୁଇ ଡଜନ୍ କମିସନ୍। ସବୁ କମିସନ୍ ରିପୋର୍ଟ ଦାଖଲ କରି ନଥିଲେ। କେତୋଟି ଅଧାରୁ ବନ୍ଦ ହୋଇଗଲା, ଆଉ ଅନେକ ରିପୋର୍ଟ ସାର୍ବଜନୀନ ହେଲାନି। ସେଥିରେ କ’ଣ ଲେଖାଯାଇଛି, ତାହା ସାଧାରଣ ଜନତା ଜାଣିପାରିଲେନି। ଏହାକୁ ନେଇ ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ବେଶ୍ ତମ୍ବିତୋଫାନ କରୁଥିଲା। କଂଗ୍ରେସ ବି ସରକାରଙ୍କୁ ଘେରୁଥିଲା। ଏବେ ଚିତ୍ର ବଦଳିଯାଇଛି। ସେବେ ବିରୋଧୀ ଦଳରେ ଥିବା ବିଜେପି ଏବେ ଶାସନରେ। ୧୩ ମାସରେ ତିନିଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସେଥିରୁ ଗୋଟିଏ ତଦନ୍ତ ଆଦୌ ଆରମ୍ଭ ହୋଇନି। ଆଉ ଦୁଇଟିର ରିପୋର୍ଟ ଏବେ ସରକାରଙ୍କ ହାତରେ। ସରକାର ରିପୋର୍ଟଗୁଡ଼ିକୁ ସାର୍ବଜନୀନ କରିବେ ନା ପୂର୍ବ ସରକାରଙ୍କ ତଦନ୍ତ ରିପୋର୍ଟଗୁଡ଼ିକ ପରି ଫାଇଲ ଭିତରେ ରଖିଦେବେ, ତାହାକୁ ନେଇ ଭିନ୍ନ ଭିନ୍ନ ଆକଳନ ଜୋର୍ ଧରିଲାଣି।
ଭୁବନେଶ୍ବରର ଭରତପୁର ଥାନାରେ ଜଣେ ଭାରତୀୟ ସେନା ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସର ହୋଇଥିବା ବିବାଦକୁ ନେଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହୋଇଥିଲା। ବିରୋଧୀ ଦଳ ସରକାରଙ୍କୁ ହଲାପଟା କରିଥିଲେ। ସରକାର ଏହି ଘଟଣାରେ ଜଷ୍ଟିସ୍ ସି ଆର୍ ଦାସଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ କମିସନ୍ ଗଠନ କଲେ। ଗତ ମାର୍ଚ୍ଚ ମାସ ଦ୍ବିତୀୟ ସପ୍ତାହରେ କମିସନ୍ ରିପୋର୍ଟ ଦାଖଲ କରିଥିଲେ। ସେହି ସମୟରେ ଓଡ଼ିଶା ବିଧାନସଭା ଅଧିବେଶନ ଚାଲିଥିଲା। ତେଣୁ କମିସନ୍ଙ୍କ ରିପୋର୍ଟ କ୍ୟାବିନେଟ୍ ମଞ୍ଜୁରି ପାଇ ବିଧାନସଭାରେ ଉପସ୍ଥାପନ ହେବ ବୋଲି ସମସ୍ତେ ଅନୁମାନ କରୁଥିଲେ। ବର୍ତ୍ତମାନର ସରକାର ତତ୍କାଳ ରିପୋର୍ଟ ସାର୍ବଜନୀନ କରି ଏକ ନୂଆ ଧାରା ସୃଷ୍ଟି କରିବେ ବୋଲି କୁହାଯାଉଥିଲା। କିନ୍ତୁ ସେପରି କିଛି ହେଲା ନାହିଁ। ଆସନ୍ତା ମୌସୁମୀ ଅଧିବେଶନରେ ରିପୋର୍ଟଟି ଆସିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର। ଚଳିତ ବର୍ଷ ରଥଯାତ୍ରା ସମୟରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ଦାୟିତ୍ବ ଉନ୍ନୟନ କମିସନରଙ୍କୁ ଦିଆଯାଇଥିଲା। ଉନ୍ନୟନ କମିସନର୍ ଆବଶ୍ୟକ ସାକ୍ଷ୍ୟ ଗ୍ରହଣ ସହ ତଦନ୍ତ ସାରି ଗତକାଲି ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ଭରତପୁର ଥାନା ଘଟଣା ପରି ଏହି ଦଳାଚକଟା ଘଟଣାଟି ମଧ୍ୟ ବେଶ୍ ସମ୍ବେଦନଶୀଳ।
ଭରତପୁର ତଦନ୍ତ କମିସନ୍ ରିପୋର୍ଟ ସରକାରଙ୍କ ହାତରେ
ଏବେ ପୁରୀ ଦଳାଚକଟା ରିପୋର୍ଟ ବି ଆସିଗଲା
୧୩ ମାସ ଭିତରେ କୌଣସି ପୂର୍ବ ରିପୋର୍ଟ ସାର୍ବଜନୀନ ହୋଇନି
ଯେହେତୁ ଦଳାଚକଟା ଘଟଣାରେ ତତ୍କାଳ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ତେଣୁ ବାସ୍ତବରେ ଦୋଷୀ କିଏ ତାହା ସମ୍ଭବତଃ ଏହି ରିପୋର୍ଟରେ ଥିବ ବୋଲି ଅନୁମାନ କରାଯାଉଛି। ସରକାର ଏହାକୁ କେବେ ସାର୍ବଜନୀନ କରୁଛନ୍ତି, ତାହାକୁ ବିଭିନ୍ନ ମହଲରେ ଉତ୍ସୁକତାର ସହ ଅପେକ୍ଷା କରାଯାଇଛି। ଗତ ବର୍ଷ ଅଗଷ୍ଟ ମାସରେ ଚିକିଟି ମଦମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ବେଶ୍ ରହସ୍ୟଜନକ ହୋଇ ରହିଛି। ଏହି ଘଟଣାରେ ସାରା ଓଡ଼ିଶା ଉଠିଲା ପଡ଼ିଲା। ଘଟଣାର ଆର୍ଡିସି ତଦନ୍ତ ହେବ ବୋଲି ଅବକାରୀ ମନ୍ତ୍ରୀ ବିଧାନସଭାରେ ଘୋଷଣା କଲେ। ପରବର୍ତ୍ତୀ ସମୟରେ ସରକାର ନିଷ୍ପତ୍ତି ବଦଳାଇ ୨୦୨୪ ସେପ୍ଟେମ୍ବର ଶେଷ ସପ୍ତାହରେ ରାଜସ୍ବ ପର୍ଷଦ ସଦସ୍ୟଙ୍କୁ ତଦନ୍ତ ଦାୟିତ୍ବ ଦେଲେ। ତଦନ୍ତ ସାରି ସରକାରଙ୍କୁ ରିପୋର୍ଟ ଦେବାକୁ ଦୁଇ ମାସ ସମୟ ଦିଆଯାଇଥିଲା। କିନ୍ତୁ ଉଦ୍ବେଗର ବିଷୟ ହେଲା ଯେ ତତ୍କାଳୀନ ରାଜସ୍ବ ପର୍ଷଦ ସଦସ୍ୟ ଦୁଇ ମାସ ଭିତରେ ତଦନ୍ତ ସାରିବା ଭିନ୍ନ କଥା, ସେହି ସମୟ ମଧ୍ୟରେ ତଦନ୍ତ ଆରମ୍ଭ ହୋଇପାରିଲା ନାହିଁ। ସେ ଅବସର ନେଲା ପରେ ଏବେ ରାଜସ୍ବ ପର୍ଷଦ ସଦସ୍ୟ ଭାବେ କାହାରିକୁ ନିଯୁକ୍ତି ଦିଆଯାଇନି। ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ଦାୟିତ୍ବକୁ ଅତିରିକ୍ତ ଭାବେ ତୁଲାଉଛନ୍ତି। ତେଣୁ ଚିକିଟି ମଦମୃତ୍ୟୁ ଘଟଣାର ସତ କ’ଣ, ତାହା ବର୍ଷେ ହେଲା ଜଣାପଡ଼ୁନି। ଆଜି ରାଜସ୍ବ ପର୍ଷଦ ସଦସ୍ୟ ଏ ସଂକ୍ରାନ୍ତରେ ସତ୍ୟପାଠ ପାଇଁ ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି।
ବର୍ତ୍ତମାନ ସରକାରଙ୍କ ପାଖରେ ଥିବା ଦୁଇ ଦୁଇଟି ରିପୋର୍ଟ ସାର୍ବଜନୀନ ହେବା ନେଇ ସନ୍ଦେହ ସୃଷ୍ଟି ହେବା ପଛରେ ବି ଯଥେଷ୍ଟ କାରଣ ରହିଛି ବୋଲି ସଚେତନ ନାଗରିକମାନେ ଯୁକ୍ତି ବାଢ଼ୁଛନ୍ତି। କାରଣ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ହୋଇଥିବା ତଦନ୍ତ କମିସନ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରାଯିବ ବୋଲି ନିର୍ବାଚନ ବେଳେ ବିଜେପି ଘୋଷଣା କରିଥିଲା। କିନ୍ତୁ ଏହା ମଧ୍ୟରେ ୧୩ ମାସ ବିତିଯାଇଥିଲେ ବି ବିଭିନ୍ନ ଆଳ ଦେଖାଇ ତାହାକୁ ସାର୍ବଜନୀନ କରାଯାଉ ନାହିଁ। ସେହିପରି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ତଦନ୍ତ ରିପୋର୍ଟକୁ ନେଇ ପୂର୍ବରୁ ବିଜେପି ବେଶ୍ ହୋହଲ୍ଲା କରିଛି। ତାହାକୁ ମଧ୍ୟ ସାର୍ବଜନୀନ କରିବାରେ କେଉଁଠି ଅସୁବିଧା ରହୁଛି, ବୁଝାପଡ଼ୁ ନାହିଁ। ପୂର୍ବ ସରକାର ସମୟରେ ହୋଇଥିବା ୨୪ଟି ତଦନ୍ତ କମିସନ୍ ମଧ୍ୟରୁ ତିନିଟି ତଦନ୍ତ କମିସନ୍ ଆଦୌ ରିପୋର୍ଟ ଦେଇ ନଥିଲେ। ୨୦୦୧ ମସିହାରେ ପୁରୀରେ ପୁଲିସ ଓ ବାର୍ ଆସୋସିଏସନ୍ ସଦସ୍ୟଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ, ନବରଙ୍ଗପୁରରେ ଦୁଇଟି ଗାଁରେ ହୋଇଥିବା ପୁଲିସ ଫାୟାରିଂ ଓ ୨୦୦୯ରେ ଢେଙ୍କାନାଳର ଭୁବନ ଗାଁରେ ହୋଇଥିବା ପୁଲିସ ଫାୟାରିଂ ଘଟଣାରେ ତଦନ୍ତ କମିସନ୍ ଗଠନ କରାଯାଇଥିଲେ ବି ତଦନ୍ତ ଅଧାରୁ ବନ୍ଦ କରିଦିଆଯାଇଥିଲା। ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକଣ୍ଡ ଓ ପରବର୍ତୀ ହିଂସା ଘଟଣା, କନ୍ଧମାଳର ବାଲିଗୁଡ଼ା ଥାନାରେ ପୁଲିସ ଫାୟାରିଂ, ପିପିଲିର ଅର୍ଜୁନଗୋଦାରେ ଜଣେ ଝିଅ ପ୍ରତି ହୋଇଥିବା ଅମାନବୀୟ କାର୍ଯ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଆଦି ଗୁରୁତ୍ବପୂର୍ଣ୍ଣ ଘଟଣାରେ ତଦନ୍ତ କମିସନ୍ ତାଙ୍କ ରିପୋର୍ଟ ଦେଇଥିଲେ ବି ତାହା ବିଧାନସଭାରେ ଉପସ୍ଥାପନ ହୋଇ ନାହିଁ। ସବୁବେଳେ ଦେଖାଯାଇଛି ଯେ ଯେତେବେଳେ କୌଣସି ଘଟଣାକୁ ନେଇ ସରକାର ଅଡ଼ୁଆରେ ପଡ଼ନ୍ତି, ସେତେବେଳେ ସାମୟିକ ଭାବେ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ତଦନ୍ତ କମିସନ୍ ଗଠନ କରନ୍ତି। ଲମ୍ବା ସମୟ ଧରି କମିସନଙ୍କ ତଦନ୍ତ ଚାଲେ। ବାରମ୍ବାର କାର୍ଯ୍ୟକାଳ ସମ୍ପ୍ରସାରଣ ହୁଏ। ରାଜକୋଷରୁ ଯଥେଷ୍ଟ ଅର୍ଥ ଖର୍ଚ୍ଚ ହୁଏ। କିନ୍ତୁ ରିପୋର୍ଟ ସାର୍ବଜନୀନ ନହେବା ଦ୍ବାରା ସମୟ ଓ ଅର୍ଥ ଅପଚୟ ବୋଲି ବାରମ୍ବାର ପ୍ରମାଣିତ ହୋଇଛି। ବର୍ତ୍ତମାନର ସରକାର ସେହି ଧାରାରେ ରୋକ୍ ଲଗାଉଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।