ଭୁବନେଶ୍ୱର : ରାଜଧାନୀ ଭିତରେ ଘଞ୍ଚ ଜଙ୍ଗଲ, ଦୀର୍ଘ ୨୦ ବର୍ଗ କିଲୋମିଟର ଅଞ୍ଚଳରେ। ପୁଣି କଂକ୍ରିଟ୍ ଜନବସତିର ମଧ୍ୟଭାଗରେ। ବିଶ୍ୱାସ ନ ହେଉଥିଲେ ବି ସତ। ଏହା ଭିତରେ ଥରୁଟିଏ ପଶିଗଲେ ଅନୁଭବ କରିହେବନି ଯେ କଂକ୍ରିଟ୍ ଜଙ୍ଗଲ କୁହାଯାଉଥିବା ଭୁବନେଶ୍ୱରର ଏହା ଏକ ଅଂଶ ବୋଲି।
ଏହା ହେଉଛି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅଧୀନରେ ଥିବା ଭରତପୁର ଜଙ୍ଗଲ। ଏହା ଅଭୟାରଣ୍ୟର ଏକ ଅଂଶ ହୋଇଥିଲେ ବି ବାରଙ୍ଗ-ପିତାପଲ୍ଲୀ ରାସ୍ତା ଅଭୟାରଣ୍ୟର କୋର୍ ଅଞ୍ଚଳରୁ ଏହାକୁ ବିଚ୍ଛିନ୍ନ କରି ରଖିଛି। ଭୁବନେଶ୍ୱର ସହରର ଆକାର ବେଧଡ଼କ ଭାବେ ବଢ଼ୁଥିବାରୁ ଏହାର ପ୍ରଭାବ ଜଙ୍ଗଲ ଉପରେ ପଡ଼ୁଥିଲା। ବିଶେଷ କରି ସାଲିଆ ସାହି ଓ ଚନ୍ଦ୍ରଶେଖରପୁରର ବସ୍ତିର କିଛି ଅଂଶ ଜଙ୍ଗଲ ନିକଟରେ ଥିବାରୁ ସ୍ଥାନୀୟ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ଜଙ୍ଗଲରେ ଦେଖିବାକୁ ମିଳୁଥିଲା। ଜଙ୍ଗଲକୁ ମାଡ଼ି କିଏ ଘର ନିର୍ମାଣ କରିଥିଲା ତ କିଏ ଜଙ୍ଗଲରୁ କାଠ କାଟୁଥିଲା। ଜଙ୍ଗଲ ଉପରେ ମଣିଷଙ୍କର ଏହି ଦୌରାତ୍ମ୍ୟ ଯୋଗୁଁ ଭରତପୁର ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ବି ସେଠାରୁ ଅନ୍ୟତ୍ର ଚାଲି ଯାଇଥିଲେ। ଜଙ୍ଗଲଟି ଏକ ପ୍ରକାର ଶ୍ରୀହୀନ ହେବାକୁ ବସିଥିଲା। ପୁଣି ଜଙ୍ଗଲକୁ ଲାଗି କରି ବହୁତଳ କୋଠା ନିର୍ମାଣ ପାଇଁ ବିଡିଏ ଅନୁମତି ବି ଦେଇଛି।
ଭୁବନେଶ୍ୱର ଏକ କଂକ୍ରିଟ୍ ଜଙ୍ଗଲରେ ପରିଣତ ହେଉଥିବାରୁ ଏହା ଭିତରେ ସବୁଜ ବଳୟର ଗୁରୁତର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଭରତପୁର ଜଙ୍ଗଲକୁ ନୂଆ ରୂପ ଦେବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଅଣ୍ଟା ଭିଡ଼ିଛି। ପ୍ରାୟ ୨୦ ବର୍ଗ କିଲୋମିଟର ଅଞ୍ଚଳର ଏହି ଜଙ୍ଗଲକୁ ସଂରକ୍ଷିତ ରଖିବା ସହ ସବୁଜ ବଳୟକୁ ବଢ଼ାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକ୍ରିୟା ଜାରି ରହିଛି।
ପ୍ରଥମ ପଦକ୍ଷେପ ସ୍ୱରୂପ ଅସାମାଜିକ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଜଙ୍ଗଲ ଚାରି ପଟେ ପାଚେରି ନିର୍ମାଣ କରାଯାଉଛି। ଅର୍ଦ୍ଧାଧିକ ଅଞ୍ଚଳରେ ପାଚେରି ନିର୍ମାଣ ସରିଥିଲା ବେଳେ ଆଉ କିଛି ଅଂଶରେ କାମ ଜାରି ରହିଛି। ବିଭିନ୍ନ ସ୍ଥାନରୁ ଗଛ କଟାଯାଇ ଖାଲି ପଡ଼ିଥିବା ସ୍ଥାନରେ ପୁନର୍ବାର ଗଛ ଲଗାଯାଉଛି। ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧.୫ ଲକ୍ଷ ଲିମ୍ବ, କରଞ୍ଜ, ବର, ଜାମୁକୋଳି, ବାଉଁଶ, ଶିମିଳି, ଶାଳ, ଶାଗୁଆନ୍ ଆଦି ବୃକ୍ଷରୋପଣ କରାଯାଇଛି।
ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଜଙ୍ଗଲର ସଂରକ୍ଷଣ ଓ କଳେବର ବୃଦ୍ଧି କରାଯାଉଛି। ଶ୍ରୀ ମହାପାତ୍ରଙ୍କ କହିବା ଅନୁଯାୟୀ ସହର ମଧ୍ୟରେ ଏକ ପ୍ରାକୃତିକ ପରିବେଶ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। ଜଙ୍ଗଲର ସୁରକ୍ଷା ସହ ଜୀବଜନ୍ତୁଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଉଛି। ସହରର ଆକାର ବଢ଼ୁଥିବାରୁ ଜଳବାୟୁକୁ ପ୍ରଦୂଷଣମୁକ୍ତ ରଖିବାରେ ଏହା ବହୁ ମାତ୍ରାରେ ସହାୟକ ହେବ।
ଭରତପୁର ଜଙ୍ଗଲ ଭିତରକୁ ଅବାଧ ପ୍ରବେଶ ଉପରେ ଏବେ ରୋକ୍ ଲାଗିଲା ପରେ ଏଠାରୁ ବିଲୁପ୍ତ ହୋଇଯାଉଥିବା ଜଙ୍ଗଲୀ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ମୟୂର, ଝିଙ୍କ, ଠେକୁଆ, ନେଉଳ, ବିଲୁଆ, କୋକିଶିଆଳି, ହରିଣ ଏବଂ ବିଭିନ୍ନ ପ୍ରକାର ଚଢ଼େଇଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ସେମାନେ ଜଙ୍ଗଲକୁ ନିରାପଦ ଆଶ୍ରୟସ୍ଥଳୀ ଭାବେ ଗ୍ରହଣ କରିଛନ୍ତି।
ଜଙ୍ଗଲର ସୁରକ୍ଷା ସହ ଏଠାରେ ପର୍ଯ୍ୟଟକଙ୍କୁ ବୁଲାଇବା ପାଇଁ ମଧ୍ୟ ଯୋଜନା ରହିଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଏଥିପାଇଁ ଖୋଲା ଜିପ୍ର ବ୍ୟବସ୍ଥା କରାଯାଉଛି। ସେଥିରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ବୁଲାଇବେ। ସହର ଭିତରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ। ପର୍ଯ୍ୟଟକ ତଥା ସ୍କୁଲ୍, କଲେଜ ପିଲାଙ୍କୁ ଜଙ୍ଗଲ ବୁଲାଯିବା ସହ ଏହାର ସଂରକ୍ଷଣ ଦିଗରେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ତେବେ ଏଠାରେ ରାତ୍ରି ରହଣି ଓ ବଣଭୋଜି ପାଇଁ କୌଣସି ବ୍ୟବସ୍ଥା କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bha1.jpg)