ଭୁବନେଶ୍ବର: ଭରତପୁର ନାବାଳକ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ଅଭିଯୁକ୍ତର ଭାଇକୁ ୨୦ ଜଣ ଯୁବକ ଆସି ହକି ଷ୍ଟିକ୍‌ ଓ ବ୍ୟାଟ୍‌ରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥବା ବେଳେ ଜଣେ ଅଭିଯୁକ୍ତ କରୁଣା ଦାସକୁ ଭରତପୁର ଥାନା ପୁଲିସ ଗିରଫ କରିଛି। ଆହତ ଯୁବକ ହେଉଛି ନାବାଳକ ହତ୍ୟା ମାମଲାରେ ଜେଲ୍‌ରେ ଥିବା ରିଙ୍କୁ ମହାରଣାର ସାନ ଭାଇ ରବି। ନାବାଳକ ହତ୍ୟାର ପ୍ରତିଶୋଧ ନେବାପାଇଁ ଏହି ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏହି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଉଭୟ ଗୋଷ୍ଠୀ ଛକାପଞ୍ଝା ହେଉଛନ୍ତି। ଏଣୁ ସେଠାରେ ପୁଲିସ ଡେରା ପକାଇଛି। ମୃତ ନାବାଳକ ଗୋଷ୍ଠୀ ହତ୍ୟାକାରୀର ପରିବାରବର୍ଗଙ୍କୁ ଛକିଥିଲେ। ଗତ ୨୬ ତାରିଖ ସନ୍ଧ୍ୟାରେ ହତ୍ୟା ଅଭିଯୁକ୍ତ ରିଙ୍କୁର ଭାଇ ରବି ମାର୍କେଟରୁ ଘରକୁ ଫେରୁଥିବା ବେଳେ କରୁଣା ଓ ତା’ର ୨୦ରୁ ଉର୍ଦ୍ଧ ସହଯୋଗୀ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ଭରତପୁର ଥାନା ପୁଲିସ ରବିକୁ ଉଦ୍ଧାର କରିଥିଲା।

Advertisment

ପରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ କରୁଣା ଦାସକୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଭରତପୁରରେ ୨ କ୍ଲବ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦକୁ କେନ୍ଦ୍ର କରି ଗତ ସେପ୍ଟେମ୍ବର ୨୦ ତାରିଖରେ ନାବାଳକକୁ ଏହି ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। କିଛି ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରିଙ୍କୁ ମହାରଣା ସମେତ ୩ ଜଣଙ୍କୁ ଗିରଫ କରିଥିଲା। ଅଭିୁକ୍ତମାନେ ଜେଲରେ ଅଛନ୍ତି।