ଭୁବନେଶ୍ବର: ଭରତପୁର ଥାନା ମାମଲାରେ ମିଛଧରା ପରୀକ୍ଷାର ସମ୍ମୁଖୀନ ‌ହେବାକୁ ଥିବା ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀ ଆସନ୍ତାକାଲି ଅର୍ଥାତ୍ ରବିବାର ଗୁଜରାଟ ଯିବେ। ସୋମବାର ଗାନ୍ଧୀନଗରସ୍ଥିତ ଫୋରେନ୍‌ସିକ୍ ଲାବରେଟୋରିରେ ସେମାନଙ୍କର ମିଛଧରା ପରୀକ୍ଷା କରାଯିବ। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ନାର୍କୋ ଟେଷ୍ଟ, ବ୍ରେନ୍‌ ମ୍ୟାପିଂ ଓ ଲାଏ ଡିଟେକ୍ସନ ପରୀକ୍ଷାର ସମ୍ମୁଖୀନ ହେବାକୁ ଥିବା ବେଳେ ଅନ୍ୟ ୪ଜଣଙ୍କର କେବଳ ମିଛଧରା ପରୀକ୍ଷା କରାଯିବ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନାନୁସାରେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ, ସଲିଳାମୟୀ ସାହୁଙ୍କୁ ଏହି ମାମଲାରେ ନିଲମ୍ବନ କରାଯାଇଛି। ତେଣୁ ସେମାନଙ୍କଠାରୁ ଘଟଣାଦିନ ରାତିର ପ୍ରକୃତ ସତ ବାହାର କରିବାକୁ ଏହି ସାଇଣ୍ଟିଫିକ୍‌ ପରୀକ୍ଷା କରାଯାଉଛି।

Advertisment

ମାତ୍ର ସ୍ବାଧୀନ ସାକ୍ଷୀ ଏସ୍‌ଆଇ ପ୍ରଶାନ୍ତ ମହାରଣାଙ୍କୁ ମଧ୍ୟ ଏହି ପରୀକ୍ଷାରେ ବସିବାକୁ ପଡ଼ିବ। ଏଥିପାଇଁ କୋର୍ଟରେ ଆବେଦନ କରାଯାଇଥିଲା ଏବଂ ପକ୍ଷଙ୍କ ସହମତି ମିଳିବା ପରେ କୋର୍ଟ ଏସବୁ ପରୀକ୍ଷା କରାଇବାକୁ ଅନୁମତି ଦେଇଛନ୍ତି। ସୋମବାର ଏହି ପରୀକ୍ଷା ଆରମ୍ଭ କରାଯିବ। ତେଣୁ ରବିବାରଠାରୁ ସେମାନଙ୍କୁ ନେଇ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୁଜରାଟ ଗସ୍ତ କରିବ। ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ୫ଜଣ ପୁଲିସ ଅଫିସର ଓ ସୁରକ୍ଷାକର୍ମୀ ଏହି ଟିମ୍‌‌ରେ ନିୟୋଜିତ ହୋଇଛନ୍ତି। ଏମାନଙ୍କ ସହିତ ୫ ପୁଲିସ କର୍ମଚାରୀ ଗାନ୍ଧୀନଗର ଯିବେ। ପରୀକ୍ଷା ସରିବା ପର୍ଯ୍ୟନ୍ତ ସମସ୍ତେ ସେଠାରେ ରହିବେ ଏବଂ ପରୀକ୍ଷା ଶେଷ ହେବା ପରେ ଏକାଠି ଭୁବନେଶ୍ବର ଫେରିବେ। ଘଟଣା ଦିନ ରାତିରେ କ୍ୟାପ୍‌ଟେନ୍‌ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ନିର୍ଯାତନାର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

ପୀଡ଼ିତାଙ୍କୁ ପୁଲିସ କର୍ମଚାରୀମାନେ ମାଡ଼ ମାରିବା ସହ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ପରଦିନ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ସବୁ ଅଭିଯୋଗକୁ ପୁଲିସ ଖଣ୍ଡନ କରିବା ସହ ପୀଡ଼ିତା ମିଛ ଅଭିଯୋଗ କରିଛନ୍ତି ବୋଲି ସଫେଇ ଦିଆଯାଇଥିଲା। ତେଣୁ କିଏ ସତ କହୁଛି? ଏହାର ପର୍ଦାଫାସ୍‌ କରିବାକୁ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ସାଇଣ୍ଟିଫିକ୍‌ ପରୀକ୍ଷା କରାଯାଉଛି।