ଖଣ୍ଡଗିରି: ପୁଣି ବିବାଦ ଘେରକୁ ଆସିଛି ଭରତପୁର ଥାନା। ମେଜର୍‌ ଓ ତାଙ୍କ ବାନ୍ଧବୀ ମାମଲା ଲୋକଙ୍କ ମନରୁ ନ ଲିଭୁଣୁ, ଏଠାରେ ପୁଣି ଏକ ବିବାଦୀୟ ମାମଲା‌ ଦେଖିବାକୁ ମିଳିଛି। ଏତଲାକୁ ଗୁରୁତ୍ବ ନ ଦେବାରୁ ଜଣେ ଅଭିଯୋଗକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀର ପ୍ରେମିକ ଓ ଶଳାଠାରୁ ମାଡ଼ଖାଇ ଆହତ ହେବା ପରେ ପୁଲିସଠାରୁ ନ୍ୟାୟ ନ ପାଇ ଥାନା ନିକଟ ଗଛରେ ଝୁଲି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଭରତପୁର ମହାବୀରବସ୍ତିର ଉମାକାନ୍ତ ସେଠୀ। ଉମାକାନ୍ତଙ୍କ ମୃତ୍ୟୁ ପାଇଁ ଭରତପୁର ଥାନା ପୁଲିସ ଦାୟୀ ବୋଲି ଅଭିଯୋଗ କରି ଆଜି ଉତ୍ତ୍ୟକ୍ତ ବସ୍ତିବାସିନ୍ଦାମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖଣ୍ଡଗିରି-ଚନ୍ଦକା ରାସ୍ତାରେ ଉମାକାନ୍ତଙ୍କ ମୃତଦେହ ରଖି ବସ୍ତିବାସିନ୍ଦାମାନେ ପ୍ରାୟ ୨ ଘଣ୍ଟା ରାସ୍ତାରୋକ୍‌ କରିଥିଲେ। ଉମାକାନ୍ତଙ୍କ ଅଭିଯୋଗକୁ ଗୁରୁତ୍ବ ନ ଦେଇ ଥାନାରୁ ଫେରାଇ ଦେଇଥିବା ଏସ୍‌ଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସେମାନେ ନାରାବାଜି କରିଥିଲେ। ଶେଷରେ ଏସିପି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବା ସହ ତଦନ୍ତ କରି ଏସ୍‌ଆଇଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଲୋକେ ଧାରଣାରୁ ହଟିଥିଲେ। ଶେଷ ଖବର ମୁତାବକ ପୁଲିସ ଉମାକାନ୍ତଙ୍କ ସ୍ତ୍ରୀ ଭାରତୀ ସେଠୀଙ୍କୁ ଗିରଫ କରିଛି।      

Advertisment

ବର୍ଷକ ତଳେ ଉମାକାନ୍ତଙ୍କୁ ଛାଡ଼ି ସ୍ତ୍ରୀ ଭାରତୀ ସେହି ବସ୍ତିର ଅନ୍ୟ ଜଣେ ଯୁବକଙ୍କ ପାଖକୁ ଚାଲିଯାଇଥିଲେ। ସାଙ୍ଗରେ ୪ ବର୍ଷର ପୁଅକୁ ମଧ୍ୟ ନେଇଯାଇଥିଲେ। ସେହି ବସ୍ତିରେ ରହୁଥିବା ଭାରତୀଙ୍କ ବାପଘର ଲୋ‌କେ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଉମାକାନ୍ତ ପୁଅକୁ ନିଜ ପାଖରେ ରଖିବାକୁ ଚାହୁଥିଲେ ମଧ୍ୟ ସେମାନେ ଛାଡ଼ି ନଥିଲେ। ଏମିତିକି ସେମାନେ ଉମାକାନ୍ତଙ୍କୁ ପୁଅ ସହ ଦେଖାସାକ୍ଷାତ କରାଇ ଦେଉନଥିଲେ। ଗତ ଚାରି ଦିନ ପୂର୍ବେ ବସ୍ତିରେ ଏକ ଭୋଜି ହେଉଥିଲା। ସେଠାରେ ଉମାକାନ୍ତଙ୍କୁ ଦେଖି ପୁଅ ଧାଇଁ ଆସିଥିଲା ଏବଂ ଉମାକାନ୍ତ ତାକୁ କୋଳେଇ ନେଇଥିଲେ। ଏତିକିବେଳେ ସେଠାକୁ ଧାଇଁ ଆସିଥିଲେ ସ୍ତ୍ରୀ ଭାରତୀ, ତାଙ୍କ ପ୍ରେମିକ ଓ ଶଳା। ସେମାନେ ଉମାକାନ୍ତଙ୍କୁ ନିର୍ଘାତ ମାଡ଼ମାରି ଲହୁଲୁହାଣ କରିଦେଇଥିଲେ। ଉମାକାନ୍ତଙ୍କ ହାତ ଭାଙ୍ଗି ଯାଇଥିଲା। ଏନେଇ ସେ ଭରତପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ମାତ୍ର ଜଣେ ଏସ୍‌ଆଇ ତାଙ୍କୁ ଆଇନ ପାଠ ପଢ଼ାଇ ଫେରାଇ ଦେଇଥିଲେ। ଗତକାଲି ରାତିରେ ପୁଣି ଶଶୁରଘର ଲୋକେ ଉମାକାନ୍ତଙ୍କୁ ଆକ୍ରମଣ କରିଥିଲେ ଏବଂ ସେ ଅଭିଯୋଗ ନେଇ ଥାନାକୁ ଯାଇଥିଲେ। କିନ୍ତୁ ନିର୍ଦ୍ଦୟ ଏସ୍‌ଆଇ ତାଙ୍କ ଅଭିଯୋଗ ରଖି ନଥିଲେ। ତେଣୁ ସେ ଥାନାଠାରୁ କିଛି ଦୂରରେ ଏକ ଗଛରେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ। ଆଜି ସକାଳୁ ଏହା ଜଣାପଡ଼ିବା ପରେ ମହାବୀର ବସ୍ତିରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶତାଧିକ ମହିଳା ଓ ପୁରୁଷ ରାସ୍ତାରୋକ୍‌ କରିଦେଲେ। ପୁଲିସ ଲୋକଙ୍କ ବନ୍ଧୁ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତ୍ର ପୁଲିସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଣିର ଗାର ବୋଲି ଭାବୁଛି, ନିରୀହ ଲୋକଙ୍କୁ ଶତ୍ରୁ ଭାବେ ଦେଖୁଛି। ଏମିତି ନାରାବାଜି କରି ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। 
ଆଜି ସନ୍ଧ୍ୟାରେ ପୁଲିସ ଉମାକାନ୍ତଙ୍କ ସ୍ତ୍ରୀ ଭାରତୀକୁ ବାନ୍ଧିଛି ଏବଂ ପ୍ରେମିକ, ଶଳା ଆଦି ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଚଢ଼ଉ ଚଳାଇଛି।