ଭରତପୁର ଥାନା ଉଦ୍‌ଘାଟିତ, ‘୫-ଟି’ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ବୁଧବାରଠାରୁ କମିସନରେଟ୍‌ ପୁଲିସରେ ଯୋଡ଼ି ହୋଇଛି ଭରତପୁର ଥାନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍‌ଲାଇନ୍‌ରେ ଏହି ନୂଆ ଥାନାକୁ ଉଦ୍‌ଘାଟନ କରିଛନ୍ତି। ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହି ଥାନା ଉଲ୍ଲେଖନୀୟ ସଫଳତା ପାଇବ ବୋଲି ସେ ଆଶା ବ୍ୟକ୍ତ କରିବା ସହ ଖଣ୍ଡଗିରି ଥାନା ଚାପମୁକ୍ତ ହେବ ବୋଲି କହିଛନ୍ତି। ‘୫-ଟି’ ଆଧାରରେ କାମ କରି ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଦିଗରେ ଯତ୍ନବାନ ହେବାକୁ ସେ ଏହି ଥାନାର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଖଣ୍ଡଗିରି ଥାନା ପରିସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଥାନା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ଓ ଆଜି ପ୍ରତୀକ୍ଷାର ଅନ୍ତ ଘଟିଛି। ଏଥିପାଇଁ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ବିଧାୟକ ଶ୍ରୀ ରାଉତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିଭଳି ରାଜଧାନୀରେ ନୂଆ ଥାନା ପ୍ରତିଷ୍ଠା ଦିଗରେ ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀଙ୍କ ଅବଦାନ ମଧ୍ୟ ଅତୁଳନୀୟ ବୋଲି ସେମାନେ କହିଥିଲେ। ଅପରାଧ ନିୟନ୍ତ୍ରଣ ସହ କୋଭିଡ୍ ପରିଚାଳନା ସଫଳତା ପଛରେ କମିସନରଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେମାନେ କହିଥିଲେ। ନୂଆ ଥାନାର ଅଧିକାରୀ ଦୁର୍ଗାପ୍ରସାଦ ଜେନା ଓ ତାଙ୍କ ଟିମ୍‌ ଲୋକଙ୍କୁ ଉଚିତ ସେବା ଯୋଗାଇବେ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ, ଭରତପୁର ଥାନା ଅଞ୍ଚଳରେ ସମଗ୍ର ଭରତପୁର ଓ ସଂଲଗ୍ନ ବସ୍ତିସମୂହ, ଜୋକଲଣ୍ଡି, ଦୁର୍ଗାମାଧବ ନଗର, ମହାଲକ୍ଷ୍ମୀ ବିହାର, ଜିଏ ପ୍ଲଟ ଅଞ୍ଚଳ, ଶ୍ୟାମପୁର ଗାଁ, ଘାଟିକିଆ ଗାଁ, କଳିଙ୍ଗଷ୍ଟୁଡିଓ ଅଞ୍ଚଳ, ଖଣ୍ଡଗିରିବାରି, ଜୟଦେବ ବାଟିକା ରାସ୍ତା, ଶରଧାପଲ୍ଲୀ ବସ୍ତି, ମହାବୀର ବିହାର, କଳିଙ୍ଗନଗର କେ-୧, କେ-୨, କେ-୩, କେ-୭, କେ-୮, ବିପୁଲ୍‌ ଗାର୍ଡେନ୍‌, ଶ୍ରୀବିହାର, ନୂଆଗାଁ ଗ୍ରାମ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ଶବରସାହି, ରୁଚିକା ମାର୍କେଟ୍‌, ଜଗନ୍ନାଥ ବିହାର ପ୍ରଭୃତି ରହିବ। ଖୁବ୍‌ଶୀଘ୍ର ଏହି ସବୁ ଅଞ୍ଚଳର ପୁରୁଣା ମାମଲା ସବୁକୁ ଖଣ୍ଡଗିରି ଥାନାରୁ ଭରତପୁର ଥାନାକୁ ସ୍ଥାନାନ୍ତର କରାଯିବ। ବରମୁଣ୍ଡା ବସ୍‌ଷ୍ଟାଣ୍ଡ, କଳିଙ୍ଗନଗର, ରୁଚିକା ମାର୍କେଟ୍‌ ଓ ଜଗନ୍ନାଥ ବିହାର ଭଳି ଜନବହୁଳ ଓ ଅପରାଧପ୍ରବଣ ଅଞ୍ଚଳ ଭରତପୁର ଥାନା ଅଧୀନ‌କୁ ଆସିବା ଫଳରେ ଏବେ ଖଣ୍ଡଗିରି ଥାନା ଉପରୁ ଚାପ ବହୁ ପରିମାଣରେ ହ୍ରାସ ପାଇବ।

ସମ୍ବନ୍ଧିତ ଖବର