ଭୁବନେଶ୍ବର: ବୁଧବାର ବିଳମ୍ବିତ ରାତିରେ ଭରତପୁର ଥାନା ଶ୍ୟାମପୁର ଓ ଘାଟିକିଆ ଅଞ୍ଚଳରେ ଘନଘନ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ଏକ ବ୍ୟବସାୟିକ ସଂସ୍ଥାର କାର୍ଯ୍ୟାଳୟ ସହ ମାଲିକଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ସାତ ସାତଟି ବୋମା ବିସ୍ଫୋରଣ ହେବାରୁ ସଂସ୍ଥା ପରିସରରେ ଥିବା ୪ଟି କାର୍ ଓ ଗୋଟିଏ ସ୍କୁଟି ଚୂର୍ମାର ହୋଇଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। ବ୍ୟବସାୟିକ ସଂସ୍ଥାର ମାଲିକ ଜଣେ କର୍ମଚାରୀଙ୍କୁ ଚାକିରିରୁ ତଡ଼ି ଦେବାରୁ ପ୍ରତିଶୋଧ ପରାୟଣ କର୍ମଚାରୀଜଣକ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଭରତପୁର ଥାନା ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିଥିଲେ ହେଁ କାହାକୁ ଗିରଫ କରିପାରିନାହିଁ। ଏକ ସ୍କର୍ପିଓରେ ଆସିଥିବା ୭/୮ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜଧାନୀରେ ପୁଲିସର କଡ଼ା ପହରା ଲାଗିରହିଛି। ତଥାପି ଏମିତି ସମୟରେ ରାଜଧାନୀରେ ଅପରାଧୀମାନେ ବୋମାମାଡ଼ ଭଳି ସଂଗିନ୍ କାଣ୍ଡ ଭିଆଇ ଫେରାର ହୋଇଯାଇଛନ୍ତି। ତେଣୁ ଏହି ଘଟଣାକୁ ନେଇ ରାଜଧାନୀରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି।
ଅଭିଯୋଗକାରୀ ଦୀପକ ମହାରଣାଙ୍କ କହିବା କଥା ଶ୍ୟାମପୁରରେ ତାଙ୍କର ଡିୟୋର୍ ଟେକ୍ନୋଲୋଜି ଲିମିଟେଡ୍ ଡ୍ରାଇଭ୍ ଜୋନ୍ ନାମକ ବ୍ୟବସାୟିକ ସଂସ୍ଥା ରହିଛି। ଏହି ସଂସ୍ଥା କାର୍ ମାଲିକଙ୍କଠାରୁ ଗାଡ଼ି ଲିଜ୍ ସୂତ୍ରରେ ଆଣି ଭଡ଼ାରେ ଲଗାଇଥାଆନ୍ତି। ଏହି ସଂସ୍ଥାରେ ତାନି ନାମକ ଜଣେ ଯୁବକ ଚାକିରି କରିଥିଲା। କିନ୍ତୁ ତାନିର ଅପରାଧିକ ପୃଷ୍ଠଭୂମି ଥିବା ଜଣାପଡ଼ିବା ପରେ ଦୀପକ ତାକୁ ଚାକିରିରୁ ବାହାର କରିଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ତାନି, ଦୀପକଙ୍କୁ ଦେଖିନେବ ବୋଲି ଧମକ ଦେଇଥିଲା। ଏମିତିକି ଏଠାରୁ ସେ ଯେମିତି ବ୍ୟବସାୟ ଛାଡ଼ିବାକୁ ବାଧ୍ୟ ହେବ, ସେମିତି ଭୟଙ୍କର କାଣ୍ଡ ଭିଆଇବ ବୋଲି ତାନି ଧମକ ଦେଇଥିଲା। ଏନେଇ ଦୀପକ ଭରତପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତା’ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ଗତକାଲି ରାତିରେ ତାନି ଓ ତା’ର ସହଯୋଗୀମାନେ ଡ୍ରାଇଭ୍ ଜୋନ୍ ନିକଟରେ ପହଞ୍ଚିଥିଲେ। ସେମାନେ କାର୍ଯ୍ୟାଳୟ ପରିସରରେ ଥିବା ଗାଡ଼ିଗୁଡ଼ିକୁ ଲକ୍ଷ୍ୟ କରି ବୋମାମାଡ଼ କରିଥିଲେ। ଜଣେ କର୍ମଚାରୀଙ୍କ କହିବା କଥା ବୋମା ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ପ୍ରାୟ ୨/୩ କିମି ଦୂର ପର୍ଯ୍ୟନ୍ତ ଥରିଉଠିଥିଲା। ପ୍ରଚୁର ଧୂଆଁରେ ସେହି ଅଞ୍ଚଳ ଭରିଯାଇଥିଲା। ସେ ଧୂଆଁ ଭିତରେ କାହାକୁ ଚିହ୍ନିପାରିନଥିଲେ ହେଁ ବୋମାମାଡ଼ ପରେ ଗୋଟିଏ ସ୍କର୍ପିଓ ସେଠାରୁ ଚାଲିଯାଇଥିବା ସେ ଦେଖିଛନ୍ତି। ଦୀପକଙ୍କ ସୂଚନାନୁସାରେ କାର୍ଯ୍ୟାଳୟରେ ବୋମାମାଡ଼ କରିବା ପରେ ଦୁର୍ବୃତ୍ତମାନେ ତାଙ୍କ ଘରକୁ ବୋମାମାଡ଼ କରିଛନ୍ତି। ତାଙ୍କ ପୋର୍ଟି କୋ ତଳେ ୨ଟି ବୋମା ଫୁଟିଥିଲା। ଫଳରେ କଲୋନି ସାରା ଥରିଉଠିଥିଲା। ଦୂର୍ବୃତ୍ତମାନେ ଚାଲିଯିବା ପରେ ମଧ୍ୟ ଆତଙ୍କିତ କଲୋନିବାସିନ୍ଦା ଘରୁ ବାହାରିବାକୁ ସାହସ କରିପାରିନଥିଲେ। ଭରତପୁର ଥାନା ପୁଲିସ ଦୀପକଙ୍କ ଘର ଓ କାର୍ଯ୍ୟାଳୟକୁ ଯାଇ ଛାନ୍ଭିନ୍ କରିଥିଲା।
ବୋମାମାଡ଼ରେ ଥରିଲା ଭରତପୁର
ବୁଧବାର ବିଳମ୍ବିତ ରାତିରେ ଭରତପୁର ଥାନା ଶ୍ୟାମପୁର ଓ ଘାଟିକିଆ ଅଞ୍ଚଳରେ ଘନଘନ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ଏକ ବ୍ୟବସାୟିକ ସଂସ୍ଥାର କାର୍ଯ୍ୟାଳୟ ସହ ମାଲିକଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି।
/sambad/media/media_files/2025/06/20/mfggbhdgsd-2025-06-20-05-59-34.jpg)