ଭୁବନେଶ୍ବର: ରବିବାର ସନ୍ଧ୍ୟା ପାଖାପାଖି ସାଢ଼େ ୫ଟା ହେବ। ୧୦ରୁ ଅଧିକ ବାଇକ୍ରେ ୨୦ରୁ ଅଧିକ ଯୁବକ ମାରଣାସ୍ତ୍ର ଧରି ହୋହଲ୍ଲା କଲେ। କେହି କିଛି ବୁଝିବା ପୂର୍ବରୁ ଅତର୍କିତ ଭାବେ ଘନଘନ ବୋମାମାଡ଼ କଲେ। ଆକ୍ରମଣ ପ୍ରତିଆକ୍ରମଣ କରିବା ସହ ୪ରୁ ଅଧିକ ବାଇକ୍ ଜାଳିଦେଲେ। ୪ଟି ବାଇକ୍କୁ ଭାଙ୍ଗିଦେଇଛନ୍ତି। ସରକାରୀ ଜମି ବିକ୍ରିକୁ ନେଇ ରାଜଧାନୀ ଉପକଣ୍ଠ ଭରତପୁର ଥାନା ବୁଦାନ ଅଞ୍ଚଳରେ ଦୁଇମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ଏଭଳି ଆତଙ୍କରାଜ ସୀମା ଲଂଘନ କରିଛି। ବୋମାମାଡ଼ କରି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ଗୋଷ୍ଠୀ ସଂଘର୍ଷ ଯୋଗୁ ଉଭୟ ପକ୍ଷର ପାଖାପାଖି ୫ଜଣ ଆହତ ହୋଇଛନ୍ତି। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ସେଠାରେ ପାଟ୍ରୋଲିଂଙ୍କୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଅନ୍ୟପଟେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚାରଉଚରା କରିବା ସହ ୫ଟି ବୋମା ଜବତ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ପାଇଁ ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ସୂଚନା ମୁତାବକ, ଭରତପୁର ଥାନା ଶ୍ୟାମପୁର ପଣ୍ଡାକୁଦିଆ, ବୁଦାନ ଓ ଚନ୍ଦକା ଥାନା ମଳିପଡ଼ା ମୌଜାରେ ଥିବା ଶହଶହ ଏକର ସରକାରୀ ଜମିକୁ କିଛି ଜବରଦଖଲକାରୀ କବ୍ଜା କରିନେଇଛନ୍ତି। ତେବେ ଗୋଟିଏ ଗୋଷ୍ଠୀର କିଛି ଯୁବକ ଜମିକୁ ବେଆଇନ୍ ଭାବେ ବିକ୍ରି ପାଇଁ କିଛି ଲୋକଙ୍କ ସହ ଡିଲ୍ କରିଥିଲେ। ସେମାନଙ୍କୁ ଦଖଲ ଦେବା ପାଇଁ ଆଲୋଚନା ମଧ୍ୟ ସରିଥିଲା। କିଛିଦିନ ତଳେ ସେମାନେ ଜମି ଦେଖାଇ ଚିହ୍ନଟ କରିଥିବା ବେଳେ ଅନ୍ୟଗୋଷ୍ଠୀର ଯୁବକ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ଗୋଚର ଜମି ହ୍ରାସ ପାଉଥିବାରୁ ସ୍ଥାନୀୟ ଲୋକେ ମାଫିଆମାନଙ୍କୁ ବିରୋଧ କରିଆସୁଥିଲେ। ଏମିତିକି ଏନେଇ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା। ହେଲେ କିଛି ସୁଫଳ ନ ମିଳିବାରୁ ସ୍ଥାନୀୟ ଲୋକେ ମାଫିଆମାନଙ୍କୁ ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥିଲେ। ମାମଲା କିଛି ସମୟ ପାଇଁ ଥମିଥିବା ବେଳେ ରବିବାର ଅପରାହ୍ଣରେ ବୁଦାନ ଅଞ୍ଚଳରେ ଥିବା ସରକାରୀ ଜମି ବିକ୍ରି ପାଇଁ ମାଫିଆ ଗୋଷ୍ଠୀର କିଛି ସଦସ୍ୟ ଡିଲ୍ କରୁଥିଲେ। ଏତିକିବେଳେ ବିରୋଧୀ ଗୋଷ୍ଠୀର ସଦସ୍ୟମାନେ ପହଞ୍ଚି ଜମି କିଣାବିକାକୁ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ହୋଇଥିଲା। ଖବର ପାଇ ଉଭୟ ଗୋଷ୍ଠୀର ସମର୍ଥକ ସେଠାରେ ପହଞ୍ଚିଥିଲେ। ୧୦ରୁ ଅଧିକ ବାଇକ୍ରେ ଯୁବକମାନେ ଆସି ପହଞ୍ଚି ହୋହଲ୍ଲା କରିଥିଲେ। ମାଫିଆ ଗୋଷ୍ଠୀର ସଂଖ୍ୟା କମ୍ ଥିବାରୁ ସେମାନେ ବିପକ୍ଷ ଗୋଷ୍ଠୀକୁ ମୁକାବିଲା କରିପାରି ନଥିଲେ। ତେଣୁ ସେମାନେ ଅତର୍କିତ ଭାବେ ୫ରୁ ଅଧିକ ବୋମାମାଡ଼ କରିଥିଲେ। ବୋମାମାଡ଼ ଯୋଗୁ ଯିଏ ଜୁଆଡ଼େ ପାରିଥିଲେ ଜୀବନ ବିକଳରେ ଦୌଡ଼ିଥିଲେ। ଫଳରେ କିଛି ଯୁବକ ବାଇକ୍ ଛାଡ଼ି ଦୌଡ଼ିଥିଲେ। ଯେଉଁ ବାଇକ୍ଗୁଡ଼ିକ ରହିଯାଇଥିଲା ସେଗୁଡ଼ିକୁ ପୋଡ଼ିଦେଇଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଖବରପାଇ ପୁଲିସ ପହଞ୍ଚିବାରୁ ଦୁଇଗୋଷ୍ଠୀର ଯୁବକ ସେଠାରୁ ଫେରାର୍ ହୋଇଯାଇଥିଲେ। ଏମିତି କି ଆହତମାନେ ମଧ୍ୟ ସେଠାରୁ ଫେରାର୍ ହୋଇଯାଇଥିଲେ। ପରେ ପୁଲିସ ଉଭୟ ଗୋଷ୍ଠୀର ୩ଜଣଙ୍କୁ ଧରିଥିବା ଜଣାପଡ଼ିଛି। ଉତ୍ତେଜନା ହ୍ରାସ ପାଇଁ ପୁଲିସ ଟିମ୍ ଅଞ୍ଚଳରେ ପଇଁନ୍ତରା ମାରିବା ସହ ସ୍ଥିତି ଉପରେ ନଜର ରଖିଛି।
ବୋମାମାଡ଼ରେ ଥରିଲା ଭରତପୁର
ରବିବାର ସନ୍ଧ୍ୟା ପାଖାପାଖି ସାଢ଼େ ୫ଟା ହେବ। ୧୦ରୁ ଅଧିକ ବାଇକ୍ରେ ୨୦ରୁ ଅଧିକ ଯୁବକ ମାରଣାସ୍ତ୍ର ଧରି ହୋହଲ୍ଲା କଲେ। କେହି କିଛି ବୁଝିବା ପୂର୍ବରୁ ଅତର୍କିତ ଭାବେ ଘନଘନ ବୋମାମାଡ଼ କଲେ।
/sambad/media/media_files/2025/08/11/untitled-30-2025-08-11-07-42-19.jpg)