ଭରତପୁରରେ ସେକ୍ସ ରୢାକେଟ୍‌ : ସନ୍ଦେହ ଘେରରେ ଘର ମାଲିକ!

୬ ମାସ ହେଲା ଚାଲିଥିଲା ବେପାର, ଅସୁଥିଲେ ଦାମୀ ଦେହଜୀବୀ

ଖଣ୍ଡଗିରି : ଭରତପୁରରେ ଠାବ ହୋଇଥିବା ସେକ୍ସ ରୢାକେଟ୍‌ ଉପରୁ ପର୍ଦା ହଟାଇଛି କମିସନରେଟ୍‌ ପୁଲିସ। ଘଟଣାସ୍ଥଳରୁ ୩ ବଙ୍ଗୀୟ ଦେହଜୀବୀଙ୍କ ସହ ଧରା ପଡ଼ିଥିବା ଦୁଇ ଦଲାଲ୍‌ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଢେଙ୍କାନାଳ ବାଲିମି ଥାନା ଅଞ୍ଚଳର ନିରଂଜନ ନାୟକ ଓ ବିଶ୍ବଜିତ୍ ନାୟକ ଓରଫ୍ ବବୁଲ୍‌। ତେବେ ଦୀର୍ଘ ୬ ମାସ ହେଲା ଉକ୍ତ କୋଠାକୁ ବେଶ୍ୟାଳୟରେ ପରିଣତ କରି ଦେହ ବେପାର ଚଳାଇଥିବା ମାଷ୍ଟର ମାଇଣ୍ଡ ରଂଜନ କୁମାର ସାମନ୍ତରାୟ ଓରଫ୍ ମିଟୁ ଖସିଯିବାରେ ସକ୍ଷମ ହୋଇଛି। ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଖଣ୍ଡଗିରି ଥାନା ପୁଲିସ ସୂଚନା ଦେଇଛି। ପୁଲିସ ସୂଚନାନୁସାରେ ଭରତପୁର ଜିଏ କଲୋନି ପ୍ଲଟ ନମ୍ବର ୮୩୬ରେ ଏହି କାରବାର ଚାଲିଥିଲା। ଫେରାର୍ ମିଟୁ ଘର ମାଲିକଙ୍କଠାରୁ ପ୍ରାୟ ୬ ମାସ ତଳୁ ଏହି ଘରକୁ ଭଡ଼ାରେ ନେଇଥିଲା। ତେଣୁ ପୁଲିସ ଘର ମାଲିକଙ୍କୁ ନୋଟିସ୍ କରିଛି ଓ ଏହି କାରବାର ପଛରେ ତାଙ୍କ ଭୂମିକା ଉପରେ ପଚରାଉଚରା କରିବ ବୋଲି ସୂଚନା ଦେଇଛି। କାରଣ କମିସନରେଟ୍‌ ପୁଲିସର ନିୟମାନୁସାରେ ଘର ଭଡ଼ା ଦେବା ପରେ ମାଲିକ ଭଡ଼ ସମ୍ପର୍କୀତ ସମସ୍ତ ତଥ୍ୟ ସମ୍ପୃକ୍ତ ଅଞ୍ଚଳର ଥାନାକୁ ଦେବା କଥା। ତେଣୁ ଏହି ଘର ଭଡ଼ା ବାବଦରେ ଘର ମାଲିକ ଥାନାକୁ ଜଣାଇଛନ୍ତି କି ନାହିଁ, ତାହା ତଦନ୍ତ ହେଉଛି ବୋଲି ତଦନ୍ତ ଅଧିକାରୀ କହିଛନ୍ତି। ମୋଟାମୋଟି ଘର ମାଲିକ ଏବେ ପୁଲିସର ସନ୍ଦେହ ନଜରରେ ରହିଛନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ଗତକାଲି ଚଢ଼ଉବେଳେ ପୁଲିସ ଉକ୍ତ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା। ସେଥିରୁ ବହୁତଗୁଡ଼ାଏ ବ୍ୟବହୃତ ଓ ଅଳ୍ପ କିଛି ଅବ୍ୟବହୃତ ସାମଗ୍ରୀ ଥିଲା। ତେଣୁ ଦୀର୍ଘ ଦିନ ଧରି ଏହି କାରବାର ଚାଲିଥିଲା ବୋଲି ସ୍ପଷ୍ଟ ହୋଇଛି। ତେବେ ଧରାପଡ଼ିଥିବା ଏହି ୩ ଯୁବତୀ ଗତ ୪ ତାରିଖରୁ ଆସିଥିଲେ ଓ ୧୫ ଦିନ ପାଇଁ ଭଡ଼ା ସୂତ୍ରରେ ଆସିଥିବା ପୁଲିସକୁ କହିଛନ୍ତି। ଏମାନେ ଦୈନିକ ପ୍ରାୟ ୫ ହଜାର ଟଙ୍କା ଲେଖାଏଁ ନେଉଥିବା କହିଛନ୍ତି। ଏଠାକୁ ସାଧାରଣତଃ ଦାମୀ ଦେହଜୀବୀମାନଙ୍କୁ ଅଣାଯାଇଥାଏ। ବହୁ ସମୟରେ ଗରାଖମାନେ ଏହି କୋଠାକୁ ଆସୁଥିବାବେଳେ ଅନେକ ସମୟରେ ମୁଖିଆ ମିଟୁ ଦେହଜୀବୀମାନଙ୍କୁ ବଡ଼ ବଡ଼ ହୋଟେଲକୁ ପଠାଉଥିଲା। ହୋଟେଲକୁ ଚାଲାଣ ବେଳେ ବିପଦ ଥିବାରୁ ମିଟୁ ପାଖରେ ଜବତ ହୋଇଥିବା ଦେଶୀ ବନ୍ଧୁକ ରଖୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତକାଲି ପୁଲିସ ଚଢ଼ଉବେଳେ ଉକ୍ତ କୋଠାରୁ ମିଟୁର କାର୍, ବାଇକ୍‌, ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଓ ନଗଦ ୨୫ ହଜାର ଟଙ୍କା ଜବତ ହୋଇଛି।

ସମ୍ବନ୍ଧିତ ଖବର