ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଆଉ ୭ ସମ୍ବର ଆସିଛନ୍ତି। ଜୁନ୍ ମାସରେ ପ୍ରଥମ ପର୍ଯ୍ୟାୟରେ ତପ୍ତପାଣିରୁ ଅଣାଯାଇଥିବା ୮ଟି ସମ୍ବରଙ୍କୁ ଇତିମଧ୍ୟରେ ଭରତପୁର ଜଙ୍ଗଲ ଭିତରେ ଛଡ଼ାଯାଇଛି। ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୭ଟି ସମ୍ବରକୁ ସ୍ବତନ୍ତ୍ର ଭ୍ୟାନ୍ରେ ଅଣାଯାଇ ଦୀର୍ଘ ବର୍ଷ ବ୍ୟବଧାନ ପରେ ଅଭୟାରଣ୍ୟରେ ସମ୍ବର ବଂଶ ପୁନରୁଦ୍ଧାର ଦିଗରେ ବନ ବିଭାଗ ପଦକ୍ଷେପ ନେଇଛି। ସମ୍ବରଗୁଡ଼ିକୁ ଆଣିବାକୁ ଚନ୍ଦକା ଅଭୟାରଣ୍ୟର ରେଞ୍ଜ ଅଫିସର, ଫରେଷ୍ଟର ଓ ନନ୍ଦନକାନନର ଜଣେ କର୍ମଚାରୀଙ୍କୁ ମିଶାଇ ଏକ ଟିମ୍ ଗତକାଲିଠାରୁ ତପ୍ତପାଣି ଗସ୍ତ କରିଥିଲା। ସେଠାରୁ ୪ଟି ଅଣ୍ଡିରା ଓ ୩ଟି ମାଈ ସମ୍ବର ଧରି ଫେରିଛନ୍ତି। ସନ୍ଧ୍ୟାରେ ଭରତପୁର ଜଙ୍ଗଲରେ ଭ୍ୟାନ୍ ପହଞ୍ଚିଥିବା ଡିଏଫ୍ଓ ଶରତ କୁମାର ବେହେରା କହିଛନ୍ତି।
ସମ୍ବରଗୁଡ଼ିକୁ ସଙ୍ଗେ ସଙ୍ଗେ ଜଙ୍ଗଲରେ ଛଡ଼ାନଯାଇ ଜଙ୍ଗଲୀ ପରିବେଶ ସହ ଖାପ ଖୁଆଇବାକୁ ଏକ ସ୍ବତନ୍ତ୍ର ଏନ୍କ୍ଲୋଜର୍ରେ ରଖାଯିବ। ଭରତପୁର ଜଙ୍ଗଲରେ ପ୍ରାୟ ୪ ଏକର ପରିମିତ ଅଞ୍ଚଳରେ ଏକ ଜଙ୍ଗଲୀ ଏନ୍କ୍ଲୋଜର୍ ସୃଷ୍ଟି କରାଯାଇଛି। ସେମାନେ ଚିଡ଼ିଆଖାନାରେ ରହିଥିବାରୁ ହଠାତ୍ ଜଙ୍ଗଲୀ ପରିବେଶକୁ ଆପଣାଇ ପାରିବେ ନାହିଁ। ତେଣୁ ପ୍ରଥମେ ସେମାନଙ୍କୁ ଚିଡ଼ିଆଖାନାରେ ମିଳୁଥିବା ଖାଦ୍ୟ ଖାଇବାକୁ ଦିଆଯିବ। ଧୀରେ ଧୀରେ ଜଙ୍ଗଲରେ ଉପଲବ୍ଧ ହେଉଥିବା ଖାଦ୍ୟ ଦିଆଯିବ ଏବଂ ଚିଡ଼ିଆଖାନାରେ ମିଳୁଥିବା ଖାଦ୍ୟଗୁଡ଼ିକୁ ସେମାନଙ୍କଠାରୁ ଛଡ଼ାଯିବ। ଫଳରେ ସେମାନଙ୍କୁ ଜଙ୍ଗଲରେ ଛଡ଼ାଯିବା ବେଳକୁ ସେମାନେ ସେଠାକାର ଖାଦ୍ୟ ଖାଇ ବଞ୍ଚିପାରିବେ। ସମ୍ବରଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ଏକ ଡାକ୍ତରୀ ଦଳ ରହିବ। ପ୍ରତି ସପ୍ତାହରେ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହେବ। ପୂର୍ବରୁ ଆସିଥିବା ସମ୍ବରଗୁଡ଼ିକ ତିଷ୍ଠି ରହିଥିବାରୁ ଏମାନଙ୍କ କ୍ଷେତ୍ରରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ବନ ବିଭାଗ ଆଶା ରଖିଛି। ପର୍ଯ୍ୟାୟକ୍ରମେ ଏହି ଅଭୟାରଣ୍ୟରେ ୩୨ଟି ସମ୍ବର ଛାଡ଼ିବାକୁ ଜାତୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ ଚନ୍ଦକା ଜଙ୍ଗଲରେ ସମ୍ବର ରହିବା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ବଂଶ ବୃଦ୍ଧି ମଧ୍ୟ ହୋଇପାରିବ। ମାତ୍ର କିଛି ବର୍ଷ ହେଲା ଆଦୌ ସମ୍ବର ଦେଖିବାକୁ ମିଳୁ ନଥିଲେ। ଏବେ ୮ଟି ସମ୍ବର ଭରତପୁର ଜଙ୍ଗଲରେ ବିଚରଣ କରୁଛନ୍ତି। ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଚନ୍ଦକାକୁ ସ୍ଥାନାନ୍ତର କରାଯିବ। ୧୭୫.୭୯ ବର୍ଗ କିମି ବ୍ୟାପୀ ଏହି ଅଭୟାରଣ୍ୟରେ ହାତୀ, ବାର୍ହା, ମୟୂର, ହରିଣ, ବିଲୁଆ, କୋକିଶିଆଳି ପରି ବନ୍ୟଜନ୍ତୁ ରହୁଛନ୍ତି। କିଛି ମାସ ତଳେ କଟକ ହରିଣ ପାର୍କରୁ ୨୭୫ରୁ ଅଧିକ ହରିଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ଏବେ ଜଙ୍ଗଲ ଭିତରେ ବିନା ବାଧାରେ ବିଚରଣ କରୁଛନ୍ତି। ହରିଣଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସମ୍ବର ଛଡ଼ାଯିବାକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ଉତ୍ସାହିତ ହୋଇଛନ୍ତି। ଗୟଳ ଆଣିବାକୁ ପଦକ୍ଷେପ ନିଆଯାଉଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/0KoQ36PKpCsVconTH4lP.jpg)