‘ଭାଷା ସୁରକ୍ଷା’ ଉନ୍ମୋଚିତ: ‘ଭାଷା ସୁରକ୍ଷା ସମ୍ମିଳନୀ’ର ଅଭାବବୋଧ ଅନୁଭବ ହେଉଛି

ଭୁବନେଶ୍ୱର: ଭାଷା ଗୋଟିଏ ଜାତିର ପରିଚୟ ତଥା ଜାତିର ସର୍ବୋତ୍ତମ ବୌଦ୍ଧିକ ସମ୍ପଦ। ଭାଷା ହିଁ ମଣିଷ ସହ ମଣିଷକୁ, ଜାତି ସହ ଜାତିକୁ ଓ ସଂସ୍କୃତି ସହ ସଂସ୍କୃତିକୁ ଯୋଡ଼ିଥାଏ। କିନ୍ତୁ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଆମ ଓଡ଼ିଆ ଭାଷା ଏବେ ବି ଶୋଚନୀୟ ଓ ଚିନ୍ତାଜନକ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି। ଏକଦା ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରି ସାରା ରାଜ୍ୟରେ ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ନେତୃତ୍ୱରେ ଗଠିତ ‘ଭାଷା ସୁରକ୍ଷା ସମ୍ମିଳନୀ’ ଜନଆନ୍ଦୋଳନ ତିଆରି କରିଥିଲା। ଏହା ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲା। ତାଙ୍କ ବିୟୋଗ ପରେ ଭାଷା ସୁରକ୍ଷା ସମ୍ମିଳନୀର ଆନ୍ଦୋଳନ ଶିଥିଳ ହେବା ସହ ଏହାର କାର୍ଯ୍ୟକ୍ରମ ସ୍ଥିର ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନର ଭାଷା ସଂକଟ ସମୟରେ ‘ଭାଷା ସୁରକ୍ଷା ସମ୍ମିଳନୀ’ ଓ ଏହାର ପ୍ରତିଷ୍ଠାତା ସ୍ୱର୍ଗତ ପରିଡ଼ାଙ୍କର ଅଭାବବୋଧ ବେଶ୍ ଅନୁଭବ ହେଉଛି।

ସ୍ଥାନୀୟ ବୁଦ୍ଧ ମନ୍ଦିରରେ ‘ଭାଷା ସୁରକ୍ଷା’ ପତ୍ରିକାର ଉନ୍ମୋଚନ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ଏହା କହିଛନ୍ତି। ବରିଷ୍ଠ ସାମ୍ବାଦିକ ତଥା ବୈଷ୍ଣବ ପରିଡ଼ା ସ୍ମୃତିନ୍ୟାସର ସଭାପତି ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଭାଷା ଗବେଷକ ଦେବାଶିଷ ମହାପାତ୍ର ଏବଂ ବିଶିଷ୍ଟ ସ୍ତମ୍ଭକାର ତଥା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ ଯୋଗ ଦେଇଥିଲେ। ସମ୍ମିଳନୀର ସମ୍ପାଦକ ଅମିତାଭ ଖିଲାର ସ୍ୱାଗତଭାଷଣ ଦେଇଥିବା ବେଳେ ଉପସଭାପତି ବାସୁଦେବ ଦାସ ଅତିଥି ପରିଚୟ ଦେଇଥିଲେ। କୋଷାଧ୍ୟକ୍ଷ ବିଶ୍ୱନାଥ ବେହେରା ଧନ୍ୟବାଦ ଦେଇଥିଲେ। ଭାଷା ସୁରକ୍ଷା ସମ୍ମିଳନୀର ଆବାହିକା ସ୍ୱର୍ଣ୍ଣଲତା ପରିଡ଼ା ଉପସ୍ଥିତ ଥିଲେ। ଏଥିରେ ବହୁ ଭାଷାପ୍ରେମୀ ଓ ସାହିତ୍ୟିକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର