ସୂର୍ଯ୍ୟରଥ ପ୍ରତିକୃତିର ତୋରଣ, ପାରମ୍ପରିକ ବାଦ୍ୟଯନ୍ତ୍ରରେ ହେବ ଭସାଣି

ୟୁନିଟ୍‌-୧ ଶ୍ରୀଶ୍ରୀ ମହାଦେବ ପୂଜା କମିଟି, ପାରମ୍ପରିକ ବାଦ୍ୟଯନ୍ତ୍ରରେ ହେବ ଭସାଣି

ଭୁବନେଶ୍ବର: ଚଳିତବର୍ଷ ୬୧ ବର୍ଷରେ ପଦାର୍ପଣ କରୁଛି ୟୁନିଟ୍‌-୧ ଶ୍ରୀ ଶ୍ରୀ ମହାଦେବ ପୂଜା କମିଟି। ନିଆରା ଶୈଳୀରେ ପୂଜା କରି ଚର୍ଚ୍ଚାରେ ରହିଆସୁଥିବା ଏହି କମିଟି ଚଳିତ ବର୍ଷ ବେଶ୍‌ ଆଡ଼ମ୍ବରରେ ପୂଜା ପ୍ରସ୍ତୁତି କରୁଛି। ସୂର୍ଯ୍ୟଙ୍କ ରଥ ପ୍ରତିକୃତିର ଏକ ତୋରଣ ତିଆରି କରାଯାଉଥିବା ବେଳେ ଭିତର ଦୃଶ୍ୟ ଏକ ରାଜପ୍ରାସାଦ ପରି ହୋଇଛି। ରଙ୍ଗିନ ଆଲୋକମାଳା ସାଙ୍ଗକୁ ରାଜକୀୟ ପ୍ରାସାଦର ଜିନିଷ ବେଶ୍‌ ଆକର୍ଷଣୀୟ ଲାଗୁଛି। ଏଥିସହ ଏହି ମଣ୍ଡପରେ ବିଭିନ୍ନ ରାଜାଙ୍କର, ଘୋଡ଼ା, ହାତୀ ପରି ମୂର୍ତ୍ତିକୁ ସ୍ଥାନ ଦିଆଯାଇଛି। ତୋରଣର ଉଚ୍ଚତା ୮୦ଫୁଟ ଥିବା ବେଳେ ଚଉଡ଼ା ୭୮ ଫୁଟ ରହିଛି। ଯାହା ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବେଶ୍‌ ଆକର୍ଷିତ କରିବ।

ଏହି ପୂଜାର ବିଶେଷତ୍ବ ହେଲା ଏଠାରେ ହରପାର୍ବତୀଙ୍କର ମୂର୍ତ୍ତି ତିଆରି କରାଯାଇ ପୂଜା କରାଯାଏ। ଷଷ୍ଠୀ ଦିନଠାରୁ ପୂଜା ବିଧି ଆରମ୍ଭ ହେବ। ସପ୍ତମୀ ଦିନ ପୂଜାର କର୍ତ୍ତାଙ୍କ ସହ କେବଳ ମହିଳା ଭକ୍ତମାନେ କଳସ ଯାତ୍ରା କରିବେ। ପ୍ରତିଦିନ ସଂଧ୍ୟାରେ ୫୦୦ଲୋକଙ୍କ ପାଇଁ ଖେଚୁଡ଼ି ଭୋଗ କରାଯିବ। ଅଷ୍ଟମୀ ଦିନ ୩୦୦୦ ଲୋକଙ୍କ ପାଇଁ ମଣ୍ଡପ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ନବମୀରେ ମା’ଙ୍କ ପାଖରେ ସ୍ବତନ୍ତ୍ର ଭାବେ ମଣ୍ଡା ପିଠା ଭୋଗ ଲାଗି ହେବ। ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମା’ଙ୍କ ପାଖରେ ଚାନ୍ଦି ମୁକୁଟ ଲାଗି ହେବାକୁ ଥିବା ବେଳେ ମହାଦେବ ଓ ପାର୍ଶ୍ବ ଦେବଦେବୀଙ୍କୁ ମଧ୍ୟ ଚାନ୍ଦି ଅଳଙ୍କାର ଲାଗି କରାଯିବ। ଏପରିକି ମହାଦେବଙ୍କ ତ୍ରିଶୂଳ, ଚନ୍ଦ୍ର ଚାନ୍ଦିରେ ନିର୍ମାଣ କରାଯାଇଛି। ୫କେଜି ନିର୍ମିତ ଏହି ସମସ୍ତ ଅଳଙ୍କାରକୁ ମା’ ପରିଧାନ କରିବେ।

ବିଶେଷ କରି ଏଥର ପୂଜାରେ ଭସାଣିକୁ ଗୁରୁତ୍ବ ଦିଆଯାଇଛି। ଯେଉଁଥିରେ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ମା’ଙ୍କୁ ମେଲାଣି ଦିଆଯିବ। ଝାଞ୍ଜ, ଘଣ୍ଟ, ଢୋଲ, ନିଶାନ୍‌, ବାଜା, ମହୁରୀ ଭଳି ପାରମ୍ପରିକ ବାଦ୍ୟରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିସହ ଶୃଙ୍ଖଳିତ ଦର୍ଶନ ପାଇଁ କମିଟି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ୨୫ଟି ସିସି କ୍ୟାମେରା ଲଗାଯାଇଛି। ୨୫ଜଣ ସିକ୍ୟୁରିଟି ଗାର୍ଡ ଓ ୧୫ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି।

ପାରମ୍ପରିକ ରୀତିନୀତିରେ ହେବ ପୂଜା

ଏଥର ପାରମ୍ପରିକ ରୀତି ନୀତିରେ ପୂଜା କରିବାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ୨ବର୍ଷ କରୋନା ମହାମାରୀ ପାଇଁ ଆଡ଼ମ୍ବରରେ ପୂଜା ହେଇନଥିବାରୁ ଏଥର ପୂଜାକୁ ବେଶ୍‌ ଧୁମ୍‌ଧାମ୍‌ରେ କରାଯାଉଛି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ଆମେ ଅଧିକ ଗୁରୁତ୍ବ ଦେଉଛୁ।
ଗୟାଧର ସ୍ବାଇଁ, ସଭାପତି

ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ

ଆମ ପୂଜା ମଣ୍ଡପ ୟୁନିଟ୍‌-୧ ମାର୍କେଟ ପାଖରେ ହୋଇଥିବାରୁ ଏଠାରେ ଅଧିକ ଗହଳି ହୋଇଥାଏ। ତେଣୁ ଏଥର ପୂଜାରେ ଶୃଙ୍ଖଳିତ ଦର୍ଶନ ପାଇଁ ଆମେ ଗୁରୁତ୍ବ ଦେଉଛୁ। ଏଥିସହ ଭସାଣିରେ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଛି।
ଦେବରାଜ ମହାନ୍ତି, ସଂପାଦକ

ସମ୍ବନ୍ଧିତ ଖବର