ଫିକା ପଡ଼ିଲା ଭସାଣ ଯାତ୍ରା, ବିଦାୟ ମହାମାୟା

ବିନା ବାଣରେ ଭସାଣି, କ୍ଷତ୍ରୀୟଗଡ଼ରେ ଅସ୍ତ୍ର ପୂଜା

ଭୁବନେଶ୍ବର: ବାଜା ବାଜିଲାନି, ଶୋଭାଯାତ୍ରା ହେଲାନି କି ବିରାଟ ପଟୁଆରରେ ରୋଶଣି ମଧ୍ୟ କରାଗଲାନି। ପ୍ରଶାସନର କରୋନା ମାର୍ଗଦର୍ଶିକା ଅନୁଯାୟୀ ସ୍ମାର୍ଟସିଟିର ପୂଜା ମଣ୍ଡପଗୁଡ଼ିକ ଆଜି ନିରାଡ଼ମ୍ବର ଭାବେ ମା’ଙ୍କୁ ବିଦାୟ ଦେଇଛନ୍ତି। ଗତକାଲି ଦେବୀଙ୍କ ନବଦିନାତ୍ମକ ଲୀଳା ମଣ୍ଡପରେ ଶେଷ ହେବା ପରେ ଆଜି ମା’ଙ୍କୁ ମେଲାଣି ଦିଆଯାଇଛି। ପ୍ରତିବର୍ଷ ଘଣ୍ଟଘଣ୍ଟା, ଡିଜେ, ଚିକିମିକି ଆଲୁଅ ସାଙ୍ଗକୁ ଲୋକକଳା ପ୍ରଦର୍ଶନରେ କମ୍ପି ଉଠୁଥିବା ରାଜଧାନୀ‌ରେ ଏଥରକ ସେ ଦୃଶ୍ୟ ଦେଖିବାକୁ ମିଳି ନଥିଲା। ମାତ୍ର ୪ ଜଣଙ୍କ ନେଇ ମା’ଙ୍କୁ ଭସାଣ ଯାତ୍ରା ଅନୁଷ୍ଠିତ ହୋଇଛି। କରୋନା ପାଇଁ ବିଏମ୍‌ସିର ନିୟମାବଳୀ ମହାମାୟାଙ୍କ ମେଲାଣିକୁ ପୂରା ଫିକା ପକାଇ ଦେଇଛି।

ସକାଳ ପ୍ରାୟ ୧୦ଟା ବେଳୁ ବିଭିନ୍ନ ମଣ୍ଡପରେ ମା’ଙ୍କୁ ମେଲାଣି ଦେବା ଆରମ୍ଭ ହୋଇଯାଇଥିଲା। ମଣ୍ଡପଗୁଡ଼ିକରୁ ଦେବୀଙ୍କ ପ୍ରତିମୂର୍ତ୍ତି ବିସର୍ଜନ ପାଇଁ ନିଆଯିବା ବେଳକୁ ସମିତି ସଦସ୍ୟ ଆଗ ଭଳି ଉତ୍ସାହିତ ନଥିଲେ କି ମଣ୍ଡପ କୋଳାହଳରେ ଫାଟି ପଡ଼ୁନଥିଲା। ମା’ଙ୍କ ମେଲାଣି ଦେଖିବାକୁ ଦିନ ୫ଟାରୁ କୋଳାହଳରେ ଫାଟି ପଡ଼ୁଥିବା ସହିଦନଗରରୁ ରାଜମହଲ, ନୂଆପଲ୍ଲୀରୁ ଗଙ୍ଗନଗର, ପୁରୁଣା ଭୁବନେଶ୍ବର, ଚନ୍ଦ୍ରଶେଖରପୁର ଭଳି ଅଞ୍ଚଳରେ ଶାନ୍ତି ବିରାଜିଥିଲା। ଗାଡ଼ି ମୋଟର ଯାତାୟାତ ହୋଇପାରୁନଥିବା ରାସ୍ତା ପୂରା ଶୂନ୍‌ଶାନ୍ ଥିଲା। କହିବାକୁ ଗଲେ, ସ୍ମାର୍ଟସିଟିର ଦୃଶ୍ୟପଟ୍ଟ ପୂରା ଭିନ୍ନ ଥିଲା। ମଣ୍ଡପଗୁଡ଼ିକ ନିଜ ନିଜ ସୁବିଧାରେ ଡାଲା ଅଟୋ, ଟାଟା ଏସି ଅବା ମିନି ଟ୍ରକ୍‌ରେ ମା’ଙ୍କୁ ନେଇଥିଲେ। ରାଜରାସ୍ତାରେ ଯାଉଥିବା ବେଳେ ମା’ ଯାହାର ନଜରରେ ଆସୁଥିଲେ, ସେ ନିଜର ସୌଭାଗ୍ୟ ମନେ କରି ସେଇଠୁ ପ୍ରଣାମ ଜଣାଉଥିଲା। କାରଣ ଏଥରକ ଶ୍ରଦ୍ଧାଳୁଙ୍କ ପାଇଁ ମଣ୍ଡପ ପୂରା ନିଷେଧ ଥିଲା।

ପ୍ରତିମୂର୍ତ୍ତି ବିସର୍ଜନ ପାଇଁ ବିଏମ୍‌ସି ପକ୍ଷରୁ ଦୟା, କୁଆଖାଇ ଓ ଭାର୍ଗବୀ ନଦୀରେ ୪ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଥିଲା। ବିଏମ୍‌ସିର ଅତିରିକ୍ତ କମିସନର୍ ଅବନୀକାନ୍ତ ପଟ୍ଟନାୟକ ଓ ରାଜଧାନୀ ଶାନ୍ତି କମିଟିର ସମ୍ପାଦକ ନବକିଶୋର ବେହେରାଙ୍କ ତତ୍ତ୍ବାବଧାନରେ ଭସାଣ କାର୍ଯ୍ୟ ସମ୍ପାଦନା କରାଯାଇଥିଲା। ମଞ୍ଚେଶ୍ବର ଓ ଧଉଳି ଥାନା ଅଧିକାରୀଙ୍କ ସମେତ ୬ ପ୍ଲାଟୁନ୍ ପୁଲିସ୍ ଫୋର୍ସ, ଅଗ୍ନିଶମ ବିଭାଗ, ସମସ୍ତ ପୂଜାମଣ୍ଡପର ମୁଖ୍ୟ, ବିଏମ୍‌ସି ଯନ୍ତ୍ରୀ ସତ୍ୟନାରାୟଣ ପାତ୍ର, ଜଗନ୍ନାଥ ପାତ୍ର, ଅସୀମ ମିଶ୍ର, ସରୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ମୂର୍ତ୍ତି ବିସର୍ଜନ କରାଇଥିଲେ।

ବିନା ବାଣରେ ଭସାଣି
ବାଲିପାଟଣା: ସରିଛି ବିଜୟା ଦଶମୀ। ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ଦିଆଯାଇଛି ମେଲାଣି। ମାତ୍ର ବାଲିପାଟଣା ଓ ବନମାଳିପୁରରେ ବାଣ ବିନା ଭସାଣି ଯାତ୍ରା ଫିକା ପଡ଼ିଯାଇଛି। କୋଭିଡ୍‌ କଟକଣା ପାଇଁ ବାଣ ଫୁଟାଇବାକୁ ଅନୁମତି ନଥିବାରୁ ଚଳିତ ବର୍ଷ ଭସାଣି ଯାତ୍ରା ଆକର୍ଷଣ ହରାଇଥିଲା। କୁଶଭଦ୍ରା ନଦୀରେ ବାଲିପାଟଣା ଶିଶୁମଠ ଗଡା଼ ଏବଂ ବନମାଳିପୁର ବ୍ରିଜ୍‌ ତଳେ ୨ ଟି ଅସ୍ଥାୟୀ ପୋଖରୀ ଖୋଳା ଯାଇଥିଲା। ଶଙ୍ଖ, ଘଣ୍ଟ, ଢୋଲ, ତୂରୀର ତାଳେ ତାଳେ ଶୋଭାଯାତ୍ରା ବାହାରିଥିଲା ଓ ଦିନ ୧୨ସୁଦ୍ଧା ଭସାଣି ଉତ୍ସବ ସରିଥିଲା। ମାତ୍ର ବାଣ ପ୍ରତିଯୋଗିତା ନଥିବାରୁ ଭସାଣି ଉତ୍ସବରେ ଲୋକଙ୍କ ଭିଡ଼ ନଥିଲା। ବନମାଳିପୁରରେ ବାଣ ପ୍ରତିଯୋଗିତା ଦେଖିବାକୁ ପ୍ରତିବର୍ଷ ପ୍ରାୟ ୫୦ ହଜାର ଲୋକ ରୁଣ୍ଡ ହୁଅନ୍ତି। ମାତ୍ର ଚଳିତ ବର୍ଷ ହଜାରେ ଲୋକ ବି ନଥିଲେ।

କ୍ଷତ୍ରୀୟଗଡ଼ରେ ଅସ୍ତ୍ର ପୂଜା
ବାଲିପାଟଣା: ବାଲିପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ କ୍ଷତ୍ରୀୟ ଗଡ଼ରେ ବିଜୟା ଦଶମୀ ପାରମ୍ପରିକ ରତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଭଅଁରାଗଡ଼, ଗଡ଼ଚାରିପଡ଼ା, ଗଡ଼ବନ୍ତପୁର, ଗଡ଼ବେଙ୍ଗବତୀ ଏବଂ ଗଡ଼ଆମେଣାକୁଦ ପ୍ରଭୃତି ଗ୍ରାମର କ୍ଷତ୍ରୀୟ ପରିବାରରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା ହୋଇଯାଇଛି। ଭଅଁରାଗଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ପିଙ୍ଗଳାଙ୍କ ପୀଠରେ ଷୋଳ ପୂଜା ଦିନରୁ ଅସ୍ତ୍ରଶସ୍ତ୍ର ସଜ ବସିଥାଏ। ଏହି ପୂଜାରେ ୬୦ ପରିବାରର ଅସ୍ତ୍ରଶସ୍ତ୍ର ପୂଜାରେ ବସିଥିଲା। ଗ୍ରାମର ପ୍ରଦୀପ ପାତ୍ର ପୂଜାରେ କର୍ତ୍ତା ହୋଇଥିଲେ। ଗଡ଼ଚାରିପଡ଼ା ଗ୍ରାମରେ ଗୁରୁବାରଠାରୁ ଚାରି ପୂଜାରେ ସଜ ପୂଜା ଆରମ୍ଭ ହୋଇ ରବିବାର ଶେଷ ହୋଇଛି। ଏହି ପୂଜାରେ ପାଟଖଣ୍ଡା ସହ ତଲୁଆର୍‌, ଫାର୍ସା, ଢାଲ, ଭୁଜାଲି, ତୀର, ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ପୂଜା ହୋଇଥିଲା। ବିଜୟା ଦଶମୀ ଦିନ କୁଳ ପୁରୋହିତଙ୍କ ଦ୍ୱାରା କର୍ମ ଓ ପୂଜାର୍ଚ୍ଚନା‌ ପରେ ଅସ୍ତ୍ରଗୁଡ଼ିକୁ ସଜରୁ ଉଠା ଯାଇଥିଲା ଓ ଏହି ଅସ୍ତ୍ର ଧରି ଏକ ପଟୁଆର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଢୋଲ, ତୂରୀ, ବାଜାର ତାଳେ ତାଳେ କ୍ଷତ୍ରୀୟମାନେ ଫରି ଖେଳ ପ୍ରଦର୍ଶନ କରିଥିଲେ। ଖଣ୍ଡା, ବାଡ଼ି, ଢାଲ ଓ ବିଭିନ୍ନ ହାତ ହତିଆରରେ ସଜ୍ଜିତ ଯୁବକମାନେ ପାଇକ ଖେଳ ପ୍ରଦର୍ଶନ କରିଥିଲେ। ଏହି ଶୋଭାଯାତ୍ରା ଗ୍ରାମର ଦେବୀ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ତୀର ବିନ୍ଧା ହୋଇ ପୂଜା ଉଦ୍‌ଯାପନ ହୋଇଥିଲା।

ସମ୍ବନ୍ଧିତ ଖବର