ଭବାନୀ ମଲ୍‌ରେ ବେଆଇନ ଜାଗା ଆବଣ୍ଟନ ଅଭିଯୋଗ

ଭୁବନେଶ୍ୱର : ବିଏମ୍‌ସି ଭବାନୀମଲ୍‌ରେ ସହିଦ ନଗର ହାଟ ବ୍ୟବସାୟୀଙ୍କୁ ଥଇଥାନ କରାଯାଇପାରୁ ନ ଥିବା ବେଳେ ଏବେ ମଲ୍‌ର ପାର୍କିଂ ଅଞ୍ଚଳ, ସିଡି ତଳ, ଚଲା ରାସ୍ତା, ବାଲକୋନି ଆଦି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଏଠାରେ ମଲ୍‌ କର୍ତ୍ତୃପକ୍ଷ ସବୁ ନିୟମକୁ ଜଳାଞ୍ଜଳି ଦେଇ ବ୍ୟବସାୟରେ ମାତିଥିବା ବେଳେ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ନିରବ ରହିବା ସମସ୍ତଙ୍କୁ ଚକିତ କରିଛି। ନିୟମ ଅନୁଯାୟୀ ଫ୍ଲୋର୍‌ ଅଞ୍ଚଳ ବ୍ୟତୀତ ଅନ୍ୟ କୌଣସି ଅଞ୍ଚଳ ଭଡ଼ାରେ ଦେଇ ହେବନି କି ବିକ୍ରି କରାଯାଇପାରିବନି। କିନ୍ତୁ ଭବାନି ମଲ୍‌ରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି ବୋଲି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଙ୍କୁଶ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ବେଆଇନ ନିର୍ମାଣକୁ ତୁରନ୍ତ ଉଚ୍ଛେଦ କରିବାକୁ ଅଙ୍କୁଶର ଅରୁଣ ମହାପାତ୍ର, ପ୍ରଶାନ୍ତ ମହାନ୍ତି ପ୍ରମୁଖ ମେୟରଙ୍କ ନିକଟରେ ଦାବି କରିଛନ୍ତି। ଏନେଇ ଭବାନୀ ମଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ବେଆଇନ ଦୋକାନ ସବୁ ହଟାଇବା ନେଇ ଖୁବ୍‌ ଶୀଘ୍ର ପଦକ୍ଷେପ ନେବୁ।

ସମ୍ବନ୍ଧିତ ଖବର