ଭୁବନେଶ୍ୱର ଏମ୍‌ସର ସଫଳତା: ପୂର୍ବାଞ୍ଚଳରେ ଏମ୍‌ସ ନଂ ୧, ଏସ୍‌ସିବି ନଂ ୨

ଖଣ୍ଡଗିରି: ଭୁବନେଶ୍ୱର ଏମ୍‌ସ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚଢ଼ି ଚାଲିଛି। ଏହି ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଅଲ୍‌ ଇଣ୍ଡିଆ ପିଜି ଏଣ୍ଟ୍ରାନ୍‌ସ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବା ସହ ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏଥିସହ ପୂର୍ବାଞ୍ଚଳ ଭାରତରେ ଏହି ହସ୍ପିଟାଲକୁ ଶ୍ରେଷ୍ଠତ୍ୱ ଦୃଷ୍ଟିରୁ ପ୍ରଥମ ସ୍ଥାନ ମିଳିଥିବା ବେଳେ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଦ୍ୱିତୀୟ ସ୍ଥାନ ମିଳିଛି।

ସୂଚନାନୁସାରେ, ଭୁବନେଶ୍ୱର ଏମ୍‌ସର ପ୍ରଥମ ବାର୍ଷିକ ମୋଟ୍‌ ୫୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣ ଅଲ୍‌ ଇଣ୍ଡିଆ ପୋଷ୍ଟ ଗ୍ରାଜୁଏଟ୍‌ ଏଣ୍ଟ୍ରାନ୍‌ସ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସର୍ବଭାରତୀୟସ୍ତରରେ ମୋଟ୍‌ ୬୦୦ଜଣ ଉତ୍ତୀର୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଡ. ସ୍ୱସ୍ତିକ ମିଶ୍ର ଷଷ୍ଠ ସ୍ଥାନ ଦଖଲ କରିଥିବା ବେଳେ ଡ. ଅନଘା ମେନନ୍‌ ୨୦ତମ ସ୍ଥାନ ଦଖଲ କରି ଭୁବନେଶ୍ୱର ଏମ୍‌ସର ଗୌରବ ବଢ଼ାଇଛନ୍ତି। ତେଣୁ ଏମ୍‌ସ ପକ୍ଷରୁ ଏହି ଦୁଇଜଣଙ୍କ ସହ ଅନ୍ୟ ୬ ଜଣଙ୍କୁ ଧନ୍ୟବାଦ ଦିଆଯାଇଛି। ନିର୍ଦେଶିକା ଗୀତାଞ୍ଜଳି ବାତ୍ମାବାଁନେ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳି ‘ଦି ଓ୍ଵିକ୍‌’ ପକ୍ଷରୁ କରାଯାଇଥିବା ଏକ ସର୍ଭେ (ନିଲ୍‌ସନ୍‌ ସର୍ଭେ) ଅନୁସାରେ ପ୍ରସୂତି ବିଭାଗକୁ ନେଇ ଭାରତର ଶ୍ରେଷ୍ଠ ହସ୍ପିଟାଲମାନଙ୍କ ମଧ୍ୟରେ ଭୁବନେଶ୍ୱର ଏମ୍‌ସ ୧୫ତମ ସ୍ଥାନରେ ରହିଛି। ବହୁ ପୁରୁଣା ହସ୍ପିଟାଲମାନଙ୍କୁ ପଛରେ ପକାଇ ଭୁବନେଶ୍ୱର ଏମ୍‌ସ ଏହି କୃତିତ୍ୱ ଲାଭ କରିଛି। ତେବେ ବଡ଼ କଥା ହେଉଛି ଏହି ସର୍ଭେ ଅନୁସାରେ ପୂର୍ବାଞ୍ଚଳ ଜୋନ୍‌ରେ ଭୁବନେଶ୍ୱର ଏମ୍‌ସ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରଥମ ସ୍ଥାନ ଦଖଲ କରିଛି ଓ କଟକ ଏସ୍‌ସିବି ଦ୍ୱିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର