ଭୀମେଶ୍ବର ମାର୍ଗ: ଜବରଦଖଲ ପାଇଁ ବଙ୍କେଇ ଯାଉଛି ରାସ୍ତା

ଭୁବନେଶ୍ବର: ଜବରଦଖଲ ହଟାଇବ ବିଏମ୍‌ସି, ରାସ୍ତା ତିଆରି କରିବ ପୂର୍ତ୍ତ ବିଭାଗ। ହେଲେ ସମନ୍ବୟ ଅଭାବରୁ ଏହା ହୋଇ ପାରୁନାହିଁ। କିନ୍ତୁ ବହୁ ସ୍ଥାନରେ ବିଏମ୍‌ସି ଜବରଦଖଲ ହଟାଇ ପାରୁନାହିଁ। ଫଳରେ ରାସ୍ତା କେଉଁଠି ‌ବଙ୍କେଇ ଯାଉଛି ଓ କେଉଁଠି ପୁଣି ଅଣଓସାରିଆ ହୋଇଯାଉଛି। ଥରେ ରାସ୍ତା କାମ ସରିଗଲେ ଜବରଦଖଲକାରୀଙ୍କୁ ମିଳିଯାଉଛି ଅଘୋଷିତ ସ୍ବୀକୃତି। ପୂର୍ବରୁ ଏଭଳି ବହୁ ଘଟଣା ରହିଛି ରାଜଧାନୀରେ। ଏମିତି ଆଶଙ୍କା ବି ସୃଷ୍ଟି ହୋଇଛି ଭୀମଟାଙ୍ଗୀ ଅଞ୍ଚଳରେ। ଭୀମେଶ୍ବର ମନ୍ଦିରରୁ ଆନି ହାଉସ୍‌ ଛକ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମରେ ଜବରଦଖଲ ପ୍ରତିବନ୍ଧକ ହୋଇଛି। ରାସ୍ତା କଡ଼ରେ ତିନୋଟି କ୍ୟାବିନ୍‌ ପଡ଼ିଛି। ଏହାକୁ ନ ଉଠାଇ ରାସ୍ତା କାମ ଚାଲୁଛି। ତେଣୁ ରାସ୍ତା ଅଣଓସାରିଆ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଜବରଦଖଲ ହଟାଇ ରାସ୍ତାକୁ ନିର୍ଦ୍ଧାରିତ ଓସାରର କରିବାକୁ ଭୀମଟାଙ୍ଗୀ ବିକାଶ ପରିଷଦ ବିଏମ୍‌ସି ଓ ପିଡବ୍ଲୁଡିକୁ ଚିଠି ଲେଖିଛି।

ପରିଷଦ ସଭାପତି ସନ୍ତୋଷ କୁମାର ପାତ୍ରଙ୍କ ଅଭିଯୋଗ ମୁତାବକ, ଲିଙ୍ଗରାଜ ଷ୍ଟେସନରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଭୀମେଶ୍ବର ମାର୍ଗ ହିଁ ଏକ ମାତ୍ର ନିକଟତର ରାସ୍ତା। ଭୀମଟାଙ୍ଗୀ ଅଞ୍ଚଳ ବାସିନ୍ଦାଙ୍କ ସହ ସୁନ୍ଦରପଦା, କେଉଟସାହି, ଶ୍ରୀରାମନଗର, ସାମନ୍ତରାପୁର ପ୍ରଭୃତି ଅଞ୍ଚଳର ହଜାର ହଜାର ଲୋକ ପ୍ରତ୍ୟହ ଏହି ରାସ୍ତାକୁ ବ୍ୟବହାର କରିଥାନ୍ତି। ଦୀର୍ଘ ଦିନ ଧରି ଏହା ମରାମତି ହେଉନଥିଲା। ଜବରଦଖଲ କାରଣରୁ ରାସ୍ତାଟି ଅଣଓସାରିଆ ହୋଇ ରହିଥିଲା। ଏହି ସମସ୍ୟା ଯୋଗୁ ‘ମୋ ବସ୍‌’ ଏହି ରାସ୍ତାରେ ଚଳାଚଳ କରିପାରୁନଥିଲା। ଭୀମଟାଙ୍ଗୀ ବିକାଶ ପରିଷଦର ସମ୍ପାଦକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ବଡ଼ୁ(ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର), ଶରତଚନ୍ଦ୍ର ଲେଙ୍କା ଓ ପୂର୍ବତନ କର୍ପୋରେଟରଙ୍କ ଉଦ୍ୟମ ବଳରେ ଏହି ରାସ୍ତାର ନବୀକରଣ ହୋଇଥିଲା। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା

ଏହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ପୂର୍ତ୍ତ ବିଭାଗ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରି ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ୮ଶହ ମିଟର ଲମ୍ବ ବିଶିଷ୍ଟ ଏହି ରାସ୍ତାର ଅର୍ଦ୍ଧାଧିକ କାମ ଶେଷ ହୋଇଗଲାଣି। ହେଲେ ଜବରଦଖଲ ହଟି ନାହିଁ। ତେଣୁ ରାସ୍ତାଟି ପୁଣି ଅଣଓସାରିଆ ହୋଇ ରହିଯିବ ବୋଲି ପରିଷଦ ଆଶଙ୍କା କରିଛି। ଏନେଇ ପୂର୍ତ୍ତ ବିଭାଗ ଉପଖଣ୍ଡ ଯନ୍ତ୍ରୀ ଜଗବନ୍ଧୁ ରାଓ କହିଛନ୍ତି ଯେ ଅଭିଯୋଗ ପହଞ୍ଚିଛି ଓ ସହକାରୀ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିଛନ୍ତି। ସେହିଭଳି କ୍ୟାବିନ୍‌ଗୁଡ଼ିକୁ ଉଠାଇ ନେବାପାଇଁ ଦୋକାନ ମାଲିକମାନେ ମଧ୍ୟ ପ୍ରତିଶ୍ରୁ୍ତି ଦେଇଛନ୍ତି। ତେଣୁ ରାସ୍ତା କାମ ପୂର୍ବରୁ ଉଠାଇ ନ ନେଲେ ଉଚ୍ଛେଦ ପାଇଁ ବିଏମ୍‌ସିକୁ ଚିଠି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର