ଭୁବନେଶ୍ବର: ବହୁ ଦିନର ଦାବି ପରେ ପୁନରୁଦ୍ଧାର ହେବାକୁ ଯାଉଛି ପ୍ରାଚୀନ ଶୈବପୀଠ ଭୀମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଥିବା ପୁଷ୍କରିଣୀ। ଏଥିପାଇଁ ବିଏମ୍ସି ୪୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି। ଏଥିପାଇଁ ଠିକାସଂସ୍ଥା ଚୟନ କରିବାକୁ ଟେଣ୍ଡର ଡାକିଛି। ଟେଣ୍ଡର ପ୍ରକ୍ରିୟା ସରିବା ପରେ ତିନିମାସ ଭିତରେ କାମ ଶେଷ ହେବ। ଦୀର୍ଘକାଳର ଦାବି ପୂରଣ ହେବାକୁ ଯାଉଥିବାରୁ ଭୀମେଶ୍ବର ମନ୍ଦିର ପରିଚାଳନା ସମିତି ଓ ଭୀମଟାଙ୍ଗୀ ଅଧିବାସୀ ଖୁସିବ୍ୟକ୍ତ କରିଛନ୍ତି।
ଭୀମଟାଙ୍ଗୀ ଓ ଭୀମେଶ୍ବର ମନ୍ଦିର ପୌରାଣିକ କଥାବସ୍ତୁ ସହ ଏହି ପୁଷ୍କରିଣୀ ଯୋଡ଼ି ହୋଇ ରହିଛି। ପାଣ୍ଡବମାନେ ବନବାସରେ ଥିବା ସମୟରେ ଏହି ସ୍ଥାନକୁ ଆସିଥିଲେ ବୋଲି ଗବେଷକମାନେ ମତ ଦିଅନ୍ତି। ମଧ୍ୟମ ପାଣ୍ଡବ ଭୀମଙ୍କ ପାଦ ଏଠାରେ ପଡ଼ିଥିବାରୁ ଏହି ସ୍ଥାନକୁ ଭୀମଟାଙ୍ଗୀ କୁହାଯାଉଛି। ଭୀମଙ୍କ ପାଦ ଚିହ୍ନ ମଧ୍ୟ ଏଠାରେ ରହିଛି। ଏଥିସହ ଭୀମ ପ୍ରତିଷ୍ଠା କରିଥିବା ଶିବ ଲିଙ୍ଗ ନାମରେ ମନ୍ଦିରର ନାମ ଭୀମେଶ୍ବର ରଖାଯାଇଛି। ଏଥିସହ ମନ୍ଦିର ପରିସରରେ ଅନ୍ୟ ୪ ଜଣ ପାଣ୍ଡବ ୪ଟି ଲିଙ୍ଗ ପ୍ରତିଷ୍ଠା କରିଥିଲେ। ଭୀମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଯୁଧିଷ୍ଠୀରେଶ୍ବର, ଅର୍ଜୁନେଶ୍ବର, ନକୁଳେଶ୍ବର ଓ ସହଦେବେଶ୍ବର ପୂଜା ପାଉଛନ୍ତି। ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ମନ୍ଦିର ପରିସରରେ ବୃହତ୍ତ ବୃଷଭ, ରାଧାକୃଷ୍ଣ ମନ୍ଦିର ଓ ଭୀମେଶ୍ବରଙ୍କ ନୂତନ ମନ୍ଦିର ନିର୍ମାଣ ହୋଇଛି। କିନ୍ତୁ ଦୁଃଖର କଥା ଯେ ଏଠାରେ ଥିବା ଭୀମେଶ୍ବର ପୋଖରୀ ଦୀର୍ଘ ବର୍ଷ ହେବ ଅବହେଳିତ ହୋଇ ପଡ଼ିରହିଛି।
ଖର୍ଚ୍ଚ ହେବ ୪୨ କୋଟି; ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା ହେବ
ମଧ୍ୟଭାଗରେ ନିର୍ମାଣ ହେବ ଶିବ ମୂର୍ତ୍ତି
ଭୌମ୍ୟ ଏକାଦଶୀରେ ସ୍ନାନ କରନ୍ତି ଲିଙ୍ଗରାଜ
ଭୀମେଶ୍ବରଙ୍କ ସହ ଏକାମ୍ରକ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ସମ୍ପର୍କ ରହିଛି। ପ୍ରଭୁ ଲିଙ୍ଗରାଜ ଭୌମ୍ୟ ଏକାଦଶୀ ଦିନ ଶୋଭାଯାତ୍ରାରେ ପ୍ରଭୁ ଭୀମେଶ୍ବରଙ୍କ ନିକଟକୁ ଆସିଥାନ୍ତି। ସେଠାରେ ଭୀମେଶ୍ବର ପୁଷ୍କରିଣୀରେ ଲିଙ୍ଗରାଜ ସ୍ନାନ କରିବା ପରେ ଯାଇ ଭେଟ ଆଳତୀ କରାଯାଏ। ତେବେ ପୋଖରୀ ଅବହେଳିତ ଓ ଅପରିଷ୍କାର ହୋଇ ପଡ଼ିବାରୁ ଭକ୍ତଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଭୀମେଶ୍ବର ମନ୍ଦିର ସମିତିର ସମ୍ପାଦକ ପଦ୍ମନାଭ ଷଡ଼ଙ୍ଗୀ କହିଛନ୍ତି, ରାମେଶ୍ବର ଠାକୁର ରାଜ୍ୟପାଳ ଥିବା ସମୟରେ ମନ୍ଦିରକୁ ଆସିଥିଲେ। ମନ୍ଦିରର ଏହି ପୋଖରୀକୁ ଦେଖି ଖୁସି ହୋଇଥିଲେ। ସେତେବେଳେ ତାଙ୍କ ନିର୍ଦ୍ଦେଶରେ ଆମେ ପୋଖରୀର ପୁନରୁଦ୍ଧାର ପାଇଁ ବିଏମ୍ସି ଓ ବିଡିଏକୁ ଚିଠି ଲେଖିଥିଲୁ। ସେବେଠାରୁ ଅନେକ ଥର ଚେଷ୍ଟା କରିଛୁ। କିଛି ଦିନ ତଳେ ଭୁବନେଶ୍ବର ସାଂସଦ ଓ ଏକାମ୍ର ବିଧାୟକଙ୍କୁ ମଧ୍ୟ ଦାବି ପତ୍ର ଦେଇଥିଲୁ। ଏବେ ଟେଣ୍ଡର ହେବାକୁ ଯାଉଥିବା ଶୁଣିଲୁ। ଆମର ଅନୁରୋଧ ଏହି ପୋଖରୀକୁ ଭଲ ଭାବେ କାର୍ଯ୍ୟ କରାଯାଉ। ୬୧ ନମ୍ବର ୱାର୍ଡର କର୍ପୋରେଟର ଶିବ ନାରାୟଣ ରାୟ କହିଛନ୍ତି ପୋଖରୀରୁ ପଙ୍କ ଉଦ୍ଧାର ସହ ଚାରିପାଖ ୱାଲ୍ କରାଯିବ। ମୁଖ୍ୟ ରାସ୍ତାକୁ ବାଟ ଫିଟିବ। ପାଚେରୀ ଭଙ୍ଗା ଯାଇ ଚାରି ପାଖ ଷ୍ଟିଲ୍ ବାଡ଼ ଲଗାଯିବ। ପୋଖରୀର ମଧ୍ୟ ଭାଗରେ ଶିବଙ୍କ ମୂର୍ତ୍ତି ନିର୍ମାଣ ହେବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଲାଇଟ୍ ଓ ସାଉଣ୍ଡ୍ର ବ୍ୟବସ୍ଥା ବି କରାଯିବ। ଫଳରେ ଏହି ଐତିହ୍ୟ ପୁଷ୍କରିଣୀ ସହ ପର୍ଯ୍ୟଟକ ଯୋଡ଼ି ହେବାର ସୁଯୋଗ ପାଇବେ। ବିଏମ୍ସି ପକ୍ଷରୁ କୁହାଯାଇଛି କି ଫେବ୍ରୁଆରି ୭ ତାରିଖରେ ଟେଣ୍ଡର ଖୋଲାଯିବ। ୯୦ ଦିନ ଭିତରେ କାମ ଶେଷ କରିବାକୁ ସର୍ତ୍ତ ରହିଛି।