ପୁରୁଣା ଭୁବନେଶ୍ୱର(ଲିଙ୍ଗରାଜ ସାହୁ): ଏକ ସମୟରେ ଏକାମ୍ର କ୍ଷେତ୍ର ଥିଲା ଏକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ। ପୁରାଣ, କିଂବଦନ୍ତୀ ଓ ଇତିହାସରୁ ଏହା ସ୍ପଷ୍ଟ। ଏହାର କିଛି ଅଞ୍ଚଳ ଥିଲା ପ୍ରସ୍ତରମୟ, ଯାହାକୁ ଟାଙ୍ଗି କୁହାଯାଏ। ଆଜି ଯାହାକୁ ଭୀମଟାଙ୍ଗି କୁହାଯାଉଛି, ତାହା ଥିଲା ସେମିତି ଏକ ପ୍ରସ୍ତରମୟ ଅଞ୍ଚଳ। ପୁରାଣ ଅନୁସାରେ ଏକାମ୍ର କ୍ଷେତ୍ରକୁ ପାଣ୍ଡବମାନେ ଆସିଥିବା ବେଳେ ବଡ଼ଗଡ଼ ନିକଟ ପାଣ୍ଡବ ଗୁମ୍ଫାରେ ଅବସ୍ଥାନ କରିଥିଲେ। ସେହି ଜାଗାକୁ ଆଜି ପାଣ୍ଡବନଗର କୁହାଯାଉଛି। ସେହି ସମୟରେ ଭୀମ, ସୁନ୍ଦରପଦା ନିକଟ ପ୍ରସ୍ତରମୟ ଅଞ୍ଚଳକୁ ବୁଲିଯାଇଥିବା ବେଳେ ଏକ କ୍ଷୁଦ୍ର ଜଳାଶୟ ନିକଟରେ ତାଙ୍କର ପାଦଚିହ୍ନ ଆଙ୍କି ହୋଇଯାଇଥିଲା। ଏହି ଜାଗାକୁ କୁହାଯାଉଛି ଭୀମକୁଣ୍ଡ। ସେହି ଅନୁସାରେ ଜାଗାଟି ଆଜି ଭୀମଟାଙ୍ଗି ବୋଲି ପରିଚିତ। ଦେଶ ସ୍ବାଧୀନତା ପାଇବାର ଠିକ ପରେପରେ ଅର୍ଥାତ୍ ରାଜଧାନୀ ଗଢ଼ାହେବା ବେଳକୁ ଏହି ଜାଗାଟି ବେଶ୍ ଭୀତିପ୍ରଦ ଅଞ୍ଚଳ ଥିଲା। ଏହି ଜାଗା ନିକଟରେ ପୋଖରୀପୁଟ, ସୁନ୍ଦରପଦା, କପିଳେଶ୍ବର ଗାଁ ସହିତ ପୁରୁଣା ଭୁବନେଶ୍ବର ଥିଲେ ବି ସଂଜ ବୁଡ଼ିଲେ ଭୀମଟାଙ୍ଗି ପାଲଟିଯାଉଥିଲା ନିର୍ଜନ ପ୍ରାନ୍ତର ଓ ଡକାୟତମାନଙ୍କ ଆଡ଼ା। ଭୁଲବଶତଃ କୌଣସି ବାଟୋଇ ଏହି ଟାଙ୍ଗିର ଡଗର ରାସ୍ତାରେ ଯିବା ବେଳେ ଡକାୟତଙ୍କ ଶିକାର ହେଉଥିଲେ। ଦୁଃଖୀ ନାମକ ଜଣେ ଦୁର୍ଦ୍ଦର୍ଶ ମହିଳା ଏଠାରେ ଡକାୟତି କରୁଥିବା ଶୁଣାଯାଏ। ତେଣୁ ଯେଉଁ ଭୀମଟାଙ୍ଗି ଏକଦା ପୁଣ୍ୟଭୂମି ଥିଲା ପରେ ତାହା ଭୟଙ୍କର ଜାଗା ହୋଇଗଲା। ମାତ୍ର ଏବେ ଏହା ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ। ହାଉସିଂବୋର୍ଡ ଗଠନ ହେବା ଏହାର ଚିତ୍ର ବଦଳି ଯାଇଛି। ସେଦିନର ନିର୍ଜନ ପ୍ରାନ୍ତର ଆଜି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମୟରେ ଲିଙ୍ଗରାଜଙ୍କ ଏହି ଜମି ସାଧାରଣ ପ୍ରଶାସନ ଅଧୀନକୁ ଚାଲିଗଲା। ଏହାପରେ ୧୯୮୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ହାଉସିଂବୋର୍ଡ ନିର୍ମାଣ କରାଇଲେ। ୧୯୮୪/୮୫ ମସିହା ବେଳକୁ କିଛି କିଛି ଲୋକ ରହିବା ଆରମ୍ଭ କଲେ। ଫେଜ୍-୧ ପରେ ଫେଜ୍-୨ରେ ଶତକଡ଼ା ୫୦ଭାଗ ଘର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଦିଆଯାଇଥିଲା। ଏଲ୍ଆଇଜି, ଏମ୍ଆଇଜି, ଏଚ୍ଆଇଜି, ବିଡିଏ କଲୋନି ଓ କିଛି ପ୍ରାଇଭେଟ୍ ପ୍ଲଟ୍ରେ ଲୋକେ ଘର କଲେ। କିନ୍ତୁ ନିକାଞ୍ଚନ ଅଞ୍ଚଳ ଓ ରାସ୍ତାଘାଟ ସମସ୍ୟା ପାଇଁ ରହିବାକୁ ଭୟ କଲେ। ବହୁ ଲୋକ କମ ପଇସାରେ ଘରକୁ ଭଡ଼ା ଦେଇ ଅନ୍ୟତ୍ର ରହୁଥିଲେ। ଏମିତିକି ନବେ ଦଶକରେ କିଛି ଲୋକ ଘର ବିକି ପଳାଇଲେ।
ଭୀମେଶ୍ବର ମନ୍ଦିର ନିକଟରୁ ଫେଜ୍-୧ ଅଞ୍ଚଳକୁ ଚଢ଼େଇ ଖୁଣ୍ଟ ଅଞ୍ଚଳ କୁହାଯାଉଥିଲା। ଏବେ ଯେଉଁଠି ଲିଙ୍ଗରାଜ ଷ୍ଟେସନ ଅଛି, ସେଠାରେ ଏକ କୂଅ ଥିଲା। ଜଣେ ମହିଳା ରାତିରେ ଯାତାୟାତ କରୁଥିବା ବେପାରୀଙ୍କୁ ମାରି ସେହି କୂଅରେ ଫିଙ୍ଗି ଦେଉଥିଲା ବୋଲି ଶୁଶୁଥିଲୁ। ପୂର୍ବରୁ ପୁରୁଣା ଭୁବନେଶ୍ବର, କପିଳେଶ୍ବର ଓ ସୁନ୍ଦରପଦା ଅଞ୍ଚଳର ଲୋକଙ୍କ ଦୌରାତ୍ମ୍ୟ ଥିଲା। ମୁଁ ଭୀମଟାଙ୍ଗିରେ ରହିବା ପରେ ଲୋକଙ୍କୁ ଏକାଠି କରି ହରପାର୍ବତୀ ପୂଜା ଆରମ୍ଭ କରିଥିଲୁ। ପ୍ରଥମ ବର୍ଷ ପୂଜାର ଠିକ ୫ଦିନ ପୂର୍ବରୁ ଏଠାରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା। ଫଳରେ ଭୟରେ ପୂଜାକୁ କେହି ଆସିନଥିଲେ। ପରେ ନାରାୟଣୀ କ୍ଲବ ଗଠନ କରି ଲୋକଙ୍କ ମନରୁ ଭୟ ଦୂରେଇଲୁ।
ସନତ ମିଶ୍ର, ବରିଷ୍ଠ ସାମ୍ବାଦିକ
ଭୀମ ଏକାଦଶୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଏଠାକୁ ଆସିବା ପରମ୍ପରା ରହିଛି। ଦଶହରା, ଦୋଳ, ଭାଗବତ ସପ୍ତାହ ପାଳନ ପାଇଁ ଏଠିକାର ବିଭିନ୍ନ ଫେଜ୍ର ମୁରବିମାନେ ଏକାଠି ହୁଅନ୍ତି। ପୂର୍ବଭଳି ଆଉ ରାସ୍ତା ଓ ପାଣି ସମସ୍ୟା ନାହିଁ। କିନ୍ତୁ ଆମେ ଯେଉଁମାନେ ଏଠାରେ ପ୍ରଥମରୁ ରହିଛୁ, କୂଅ ଓ ନଳକୂଅ ପାଣି ବ୍ୟବହାର କରିବା ଅନୁଭୂତି ରହିଛି। ସବୁଆଡ଼େ ମାଙ୍କଡ଼ା ପଥର ଖଣି ଥିଲା। ବଡ଼ବଡ଼ ଖଣିଗୁଡ଼ିକ ପୋଖରୀ କ’ଣ ହ୍ରଦ ଭଳି ଦେଖାଯାଉଥିଲା। କିନ୍ତୁ ଖରାଦିନେ ସବୁ ଶୁଖିଯାଉଥିଲା। ଭୟରେ ବଞ୍ଚିବା ଆମେ ଏଇଠୁ ଶିଖିଛୁ। ଆଜି ସେଦିନ ନାହିଁ।
ମାନସ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ନାଗରିକ
ଆମେ ମହତାବ ରୋଡ଼୍ରେ ରହୁଥିବା ବେଳେ ଏଠାକୁ ଗାଈ ଖୋଜିବାକୁ ଆସୁ। କିନ୍ତୁ ସଂଜ ବୁଡ଼ିଲେ ଏହି ଅଞ୍ଚଳକୁ ପଶିବା ମନା। ପୁରୁଣା ଭୁବନେଶ୍ବର, କପିଳେଶ୍ବର ଲୋକେ ଏଠାରେ ଥିବା ମାଙ୍କଡ଼ା ପଥର ଖଣିରେ ଗାଧୋଇବା ଆମେ ଦେଖିଛୁ। ଭୀମଟାଙ୍ଗି ପ୍ରଥମ ଫେଜ୍ ନିକଟରେ ଏକ ବରଗଛ ଥିଲା। ଚୋରମାନେ ମଣିଷ ମାରି ସେହି ବରଗଛରେ ଟାଙ୍ଗି ଦେଉଥିଲେ। ୧୯୮୫ ମସିହାରେ ପ୍ରଥମେ ଆମେ ୫ଟି ପରିବାର ପ୍ରାଇଭେଟ୍ ପ୍ଲଟ୍ରେ ରହୁଥିଲୁ। ଘରୁ ଚୋରି ହେବା ଭୟ ଥିଲା। ତେଣୁ ପ୍ରତିଦିନ ରାତିରେ ୭/୮ଜଣ ପାଳିକରି ପହରା ଦେଉଥିଲେ।
ଉଷାରାଣୀ ମହାନ୍ତି, ବରିଷ୍ଠ ନାଗରିକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/27/dagdadzcvccv-2025-10-27-02-14-00.jpg)