ବସ୍ତିରୁ ଭୀମଭୋଇ ମେଡିକାଲ କଲେଜ: ସରୁନି ସଂଘର୍ଷ, ମେଡିକାଲ ପାଠ୍ୟକ୍ରମ ସାରିବା ପାଇଁ ଅର୍ଥାଭାବ ବାଧକ

ଚନ୍ଦ୍ରଶେଖରପୁର: ଦୃଢ଼ ଇଛାଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର୍ ମାନିଥାଏ। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଅସାଧ୍ୟ ମନେ ହେଉଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚି ହୁଏ। ଏମିତି ଅନେକ ଉଦାହରଣ ରହିଛି। ‌ସେମିତି ଆଉ ଏକ ଉଦାହରଣ ହେଉଛନ୍ତି ଚନ୍ଦ୍ରଶେଖରପୁର ପ୍ରଶାନ୍ତିବିହାର ଦୁର୍ଗାପଡ଼ିଆ ବସ୍ତିର ସୁନା ଝିଅ ରୂପଶ୍ରୀ ସେନାପତି। ଅନ୍ତହୀନ ସଂଘର୍ଷ ବଳରେ ସେ ଆଜି ବସ୍ତିରୁ ଯାଇ ପହଞ୍ଚିଛନ୍ତି ବଲାଙ୍ଗୀରସ୍ଥିତ ଭୀମଭୋଇ ସରକାରୀ ମେଡିକାଲ କଲେଜରେ। ବ୍ଲକ୍‌ଗ୍ରାଣ୍ଟ ବିଦ୍ୟାଳୟରୁ ଭାୟା ରମାଦେବୀ କଲେଜ ଦେଇ ସେ ଏବେ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି।

ବିନା ଟ୍ୟୁସନ୍‌ରେ ୟୁଟ୍ୟୁବ୍‌ ମାଧ୍ୟମରେ ପଢ଼ିପଢ଼ି ସେ ଡାକ୍ତର ହେବାର ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଛନ୍ତି। କିନ୍ତୁ ଏବେ ଅର୍ଥାଭାବ ବାଧକ ସାଜିଛି। ମେଡିକାଲ ପାଠ୍ୟକ୍ରମ ସାରିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ଗରିବ ବାପା-ମା ଅସମର୍ଥ ହୋଇପଡ଼ିଛନ୍ତି। ତେଣୁ ଭବିଷ୍ୟତକୁ ନେଇ ସେମାନେ ଆଶଙ୍କାରେ ଅଛନ୍ତି।

ଏହି ବସ୍ତିରେ ଏକ ଭଙ୍ଗା ଦଦରା ଆଜ୍‌ବେଷ୍ଟସ୍‌ ଘରେ ବହୁ ବର୍ଷ ହେଲା ରହିଆସୁଛନ୍ତି ରୂପଶ୍ରୀଙ୍କ ପରିବାର। ପରିବାର କହିଲେ, ଦୁଇ ଝିଅ ଓ ବାପା ମା’। ବଡ଼ ଝିଅର ବାହାଘର ସରିଛି। ବାପା କୃଷ୍ଣଚନ୍ଦ୍ର ଅଟୋ ଚଳାଇ ସ୍ବଳ୍ପ ରୋଜଗାରରେ କଷ୍ଟେମଷ୍ଟେ ପରିବାର ଚଳାଉଥିଲେ। କିନ୍ତୁ ୨୦୧୩ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ଶିକାର ହେବା ପରେ ସେ ସେହିଦିନରୁ ଶଯ୍ୟାଶାୟୀ। ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ପାଇପାରିନାହାନ୍ତି। ଏହି ପରିସ୍ଥିତିରେ ରୂପଶ୍ରୀଙ୍କ ମା’ ଟୁନି ପର ଘରେ ରୋଷେଇ କରି ପରିବାର ଚଳାଉଛନ୍ତି। ଏତେ ଅଭାବ ସତ୍ତ୍ବେ ରୂପଶ୍ରୀ ହାରିଯାଇନାହାନ୍ତି।

ଭଲ ସ୍କୁଲରେ ପଢ଼ିବାର ସୁଯୋଗ ପାଇ ନଥିଲେ ବି ସେ ସ୍ଥାନୀୟ ସୀତାନାଥ ଉଚ୍ଚ ବିଦ୍ୟାଳୟ(ବ୍ଲକ୍‌ ଗ୍ରାଣ୍ଟ)ରେ ପଢ଼ି ଆଜି ମେଡିକାଲ କଲେଜରେ ପହଞ୍ଚି ପାରିଛନ୍ତି। ଉତ୍କଟ ଦାରିଦ୍ର୍ୟତା ତାଙ୍କ ମନବଳ ଭାଙ୍ଗି ପାରିନାହିଁ। ବିନା କୋଚିଂରେ ନିଜର କଠୋର ଅଧ୍ୟବସାୟ ବଳରେ ସେ ସର୍ବଭାରତୀୟ ନିଟ୍‌-୨୦୨୧ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସୀତାନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ବଡ଼ କଷ୍ଟରେ ୩୦ ହଜାର ଟଙ୍କା ଯୋଗାଡ଼ କରି ବାପା ମା ତାଙ୍କୁ ବଲାଙ୍ଗୀର ଭୀମଭୋଇ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି।

ହେଲେ ଆଗକୁ ମେଡିକାଲ ପାଠ୍ୟକ୍ରମ ପଢ଼ା ସାରିବା ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ ଚିନ୍ତା ସେମାନଙ୍କୁ ଚିନ୍ତାରେ ପକାଇଛି। ଶୁଭେଚ୍ଛୁ ଓ ସମ୍ପର୍କୀୟମାନଙ୍କ ପରାମର୍ଶକ୍ରମେ ସେମାନେ କୌଣସି ସହୃଦୟ ବ୍ୟକ୍ତିଙ୍କ ସହାୟତା କିମ୍ବା ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ଇଛୁକ ବ୍ୟକ୍ତିବିଶେଷ ମୋବାଇଲ୍‌ ଫୋନ୍‌ ନମ୍ବର ୭୯୭୮୦୭୬୬୩୦ରେ ଯୋଗାଯୋଗ କରିବାକୁ ବାପା ମା’ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର