୩ ମନ୍ଦିରକୁ ‘ଭୋଗ୍’ ସାର୍ଟିଫିକେଟ୍, ଆହୁରି ୧୦ ମନ୍ଦିରକୁ ମିଳିବ

ପ୍ରତି ଜିଲ୍ଲାରୁ ୧ରୁ୩ ମନ୍ଦିରକୁ ସାର୍ଟିଫିକେଟ୍ ପ୍ରଦାନ ଲକ୍ଷ୍ୟ, ପ୍ରତି ୩ ମାସରେ ହେବ ସାର୍ଟିଫିକେଟ୍‌ପ୍ରାପ୍ତ ମନ୍ଦିରର ଅଡିଟ୍‌

ଭୁବନେଶ୍ବର : ରାଜଧାନୀର ୩ ମନ୍ଦିରକୁ ମିଳିବ ବ୍ଲିସଫୁଲ ହାଇଜେନିକ୍ ଅଫରିଂ ଟୁ ଗଡ୍‌ ବା ଭୋଗ୍ ସାର୍ଟିଫିକେଟ୍। ଯେଉଁ ମନ୍ଦିରରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି ବା ବିକ୍ରି ହେଉଛି, ସେସବୁ ମନ୍ଦିରର ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯିବ। ତେବେ ଯେଉଁ ମନ୍ଦିରରେ ଦେବ ନୀତି ଅନୁଷ୍ଠିତ ହେଉଛି, ସେସବୁ ମନ୍ଦିରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସାର୍ଟିଫିକେସନ୍‌ରୁ ବାଦ୍ ଦିଆଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଏହାସହ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ୧/୩ ମନ୍ଦିରକୁ ଏହି ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଚିଠି ଦିଆଯାଇଥିବା ସୂଚନା ମିଳିଛି।

ମନ୍ଦିରମାଳିନୀ ଭୁବନେଶ୍ବରରେ ଅନେକ ମନ୍ଦିରରେ ପ୍ରତିଦିନ ଶହ ଶହ ସଂଖ୍ୟା‌‌‌ରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି। ଏଥିପାଇଁ ମନ୍ଦିରରେ ପ୍ରତ୍ୟେକ ଦିନ ରୋଷେଇ ହେଉଛି। ତେଣୁ ପରିଷ୍କାର ପରିଚ୍ଛନ୍ନତାକୁ କିଭଳି ଅଧିକରୁ ଅଧିକ ଗୁରୁତ୍ବ ଦିଆଯାଇ ପାରିବ, ତାହା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜଧାନୀର ଟଙ୍କପାଣିସ୍ଥିତ ସାଇ ମନ୍ଦିର, ବରମୁଣ୍ଡାସ୍ଥିତ ଦକ୍ଷିଣ କାଳୀ ମନ୍ଦିର ଓ ବାଣୀବିହାରସ୍ଥିତ ଶନିଦେବ ମନ୍ଦିରକୁ ‘ଭୋଗ୍’ ସାର୍ଟିଫିକେଟ୍‌ ପ୍ରଦାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ନିକଟରେ ଅଡିଟ୍ ଶେଷ ହୋଇଥିବା ବେଳେ ରେଜିଷ୍ଟ୍ରେସନ୍ କରାଯାଇଛି। ମନ୍ଦିରରେ ଯେଉଁ ରୋ‌ଷେୟା ରହିଛନ୍ତି, ସେମାନଙ୍କୁ ଖାଦ୍ୟ ସୁରକ୍ଷା ପକ୍ଷରୁ ଦିନିକିଆ ତାଲିମ୍ ପ୍ରଦାନ କରାଯାଇଛି। କିଭଳି ପରିମଳ ବଜାୟ ରହିବ ଓ ଉନ୍ନତମାନର ପ୍ରସାଦ ଶ୍ରଦ୍ଧାଳୁମାନଙ୍କୁ ପ୍ରଦାନ କରାଯିବ, ସେ ସଂପର୍କରେ ତାଲିମ୍ ଦିଆଯାଇଥିଲା। ଏଥିପାଇଁ ରାଜ୍ୟ ବାହାରୁ ଏଫ୍‌ଏସ୍‌ଏସ୍‌ଏଆଇ ସହିତ ଅନୁବନ୍ଧିତ ସଂସ୍ଥା ଏହି ତାଲିମ୍ ପ୍ରଦାନ କରିଥିଲା। ଖୁବ୍‌ଶୀଘ୍ର ଏହି ୩ ମନ୍ଦିରକୁ ସାର୍ଟିଫିକେଟ୍ ପ୍ରଦାନ ନେଇ ଘୋଷଣା କରାଯିବ ବୋଲି ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ସୂଚନା ମିଳିଛି।

ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ରାଜଧାନୀର ଶ୍ରୀଲିଙ୍ଗରାଜ ଓ ପୁରୀ ଶ୍ରୀମନ୍ଦିରକୁ ପ୍ରାରମ୍ଭିକ ସାର୍ଟିଫିକେଟ୍‌ ତାଲିକାରୁ ବାଦ୍ ଦିଆଯାଇଛି। ଏହାବାଦ୍ ରାଜଧାନୀରେ ଅନେକ ମନ୍ଦିର ରହିଛି, ଯେଉଁଠାରେ ପ୍ରସାଦ ବିକ୍ରି କରାଯାଉଛି। ତେଣୁ ଯେଉଁ ମନ୍ଦିରରେ ପ୍ରତ୍ୟେକ ଦିନ ୨୦୦/୩୦୦ ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି, ସେହି ମନ୍ଦିରକୁ ‘ଭୋଗ୍’ ପରିସରଭୁକ୍ତ କରିବା ପାଇଁ ଯୋଜନା ଚାଲିଛି। ଅତି କମ୍‌ରେ ରାଜଧାନୀର ଆହୁରି ୧୦ଟି ମନ୍ଦିରକୁ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ଯେଉଁ ମନ୍ଦିରଗୁଡ଼ିକୁ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯିବ, ସେସବୁ ମନ୍ଦିର ପ୍ରକୃତରେ ଏଫ୍‌ଏସ୍‌ଏସ୍‌ଏଆଇର ଧାର୍ଯ୍ୟ ମାନଦଣ୍ଡ ଅନୁସାରେ ପ୍ରସାଦ ଦେଉଛନ୍ତି କି ନାହିଁ; ତାହାର ପ୍ରତି ୩ ମାସରେ ଥରେ ଅଡିଟ୍ କରାଯିବ। ସେହିପରି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ରସାଦ ବିକ୍ରି ହେଉଥିବା ମନ୍ଦିରକୁ ଚିହ୍ନଟ କରି ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର