ଭୁଆସୁଣି ଅଡ଼ୁଆ ଛିଡ଼ିଲାନି : ତିନି ସର୍ତ୍ତରେ ଅଟକିଗଲା

ବିଏମ୍‌ସି-ଦାରୁଠେଙ୍ଗ ଗ୍ରାମବାସୀ ଆଲୋଚନା, ଗ୍ରାମସଭା ବସିବା ପରେ ନିଷ୍ପତ୍ତି ହେବ, ଆଜି ଲିଖିତ ପ୍ରତିଶ୍ରୁତି ଦେବ ବିଏମ୍‌ସି

ଭୁବନେଶ୍ବର : ଭୁଆସୁଣିସ୍ଥିତ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ହେଲେ ବିଏମ୍‌ସିକୁ ଦାରୁଠେଙ୍ଗ ଗ୍ରାମବାସୀଙ୍କ ତିନିଟି ସର୍ତ୍ତ ପୂରଣ କରିବାକୁ ହେବ। ପ୍ରଥମ ସର୍ତ୍ତ ଆଉ କେତେ ଦିନ ଭୁଆସୁଣିରେ ଅଳିଆ ପକାଇବାକୁ ଯୋଜନା ଅଛି। ଦ୍ବିତୀୟ ସର୍ତ୍ତ ଡମ୍ପିଂୟାର୍ଡରେ କେବେ ବାୟୋମାଇନିଂ କାମ ଆରମ୍ଭ ହେବ। ତୃତୀୟ ସର୍ତ୍ତ ହେଲା ଗ୍ରାମବାସୀଙ୍କ ନାମରେ ବିଏମ୍‌ସି ଯେତିକି ମାମଲା ଦାୟର କରିଛି ଏବଂ କୋର୍ଟରେ ଯେଉଁ ସବୁ କେସ୍‌ ଚାଲିଛି ତାକୁ ତୁରନ୍ତ ପ୍ରତ୍ୟାହାର କରିବ। ଏହି ତିନିଟି ସର୍ତ୍ତ ‌କେବେ ସୁଦ୍ଧା ପୂରଣ ହେବ ଲିଖିତ ଭାବେ ଜଣାଇବା ପରେ ବିଏମ୍‌ସି ଭୁଆସୁଣିରେ ଅଳିଆ ପକାଇବା ନେଇ ଆମେ ବିଚାର କରିବୁ।

୬ ଦିନ ହେଲା ସୈନିକସ୍କୁଲ ନିକଟସ୍ଥ ଅସ୍ଥା‌ୟୀ ଡମ୍ପିଂୟାର୍ଡରୁ ଅଳିଆ ଯାଇ ଭୁଆସୁଣିରୁ ପଡ଼ିପାରୁନଥିବାରୁ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଆଜି ଦାରୁଠେଙ୍ଗ ଗ୍ରାମବାସୀ ଓ ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ଡାକି ଆଲୋଚନା କରିଥିଲେ। ହେଲେ ଗ୍ରାମବାସୀ ଭୁଆସୁଣିରେ ଅଳିଆ ପକାଇ ଦେବେନି ବୋଲି ଜିଦ୍‌ ଧରିଥିଲେ। ବିଏମ୍‌ସି କମିସନର ଅଳିଆ ପକାଇବା ନେଇ ଅନୁରୋଧ କରିବା ପରେ ଦାରୁଠେଙ୍ଗ ଗ୍ରାମବାସୀ ଏହି ସବୁ ସର୍ତ୍ତ ରଖିଥିଲେ। ବିଏମ୍‌ସି ବି ଏହି ସର୍ତ୍ତ କିପରି ମାନିବ ସେନେଇ ନିଷ୍ପତ୍ତି ନେଇଛି।

ବିଏମ୍‌ସିର ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ତିନିଟି ଦାବି ଉପରେ ଆଲୋଚନା ହୋଇଥିଲା। ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ, ଯଥାସମ୍ଭବ ଶୀଘ୍ର କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କାମ ଶେଷ କରି ଏଠାରେ ଅଳିଆ ପକାଯିବ। ସେତେଦିନ ପର୍ଯ୍ୟନ୍ତ ମହଲତ୍ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରାଯିବ। ଡମ୍ପିଂୟାର୍ଡରେ ବାୟୋମାଇନିଂ କରିବାକୁ ଟେଣ୍ଡର ଆହ୍ବାନ ହୋଇଛି। କାମ ଆରମ୍ଭ ହେଲେ ତିନି ମାସରେ ଶେଷ ହେବ। ଯେବେ ଅଳିଆ ପକାଇବା ବନ୍ଦ ହେବ ସେବେଠାରୁ ଗ୍ରାମବାସୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଏବଂ କୋର୍ଟରେ ଚାଲିଥିବା କେସ୍‌ ପ୍ରତ୍ୟାହାର ପାଇଁ ପଦକ୍ଷେପ ନିଆଯିବ।

ବିଏମ୍‌ସି ପକ୍ଷରୁ ଏନେଇ ଲିଖିତ ଭାବେ ମଙ୍ଗଳବାର ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ଜଣାଇ ଦିଆଯିବ। ଏହାପରେ ଗ୍ରାମବାସୀଙ୍କ ସହ ଆଲୋଚନା କରାଯିବ।

ଏପଟେ ଦାରୁଠେଙ୍ଗର ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ରାଉତରାୟ କହିଛନ୍ତି ଯେ, ଡିସେମ୍ବର ୩୧, ୨୦୧୯ ପରେ ଭୁଆସୁଣିରେ ଆଉ ଆବର୍ଜନା ନପକାଇବାକୁ ବିଏମ୍‌ସି ଏନ୍‌ଜିଟିରେ ସତ୍ୟପାଠ ଦାଖଲ କରିଥିଲା। ହେଲେ ଏହାକୁ ମାନିଲାନି। ଆମେ ଭୁଆସୁଣିରେ ଅଳିଆ ପକାଇବାକୁ ବିରୋଧ କରିଆସୁଥିଲୁ। ଏବେ କରୁଛୁ। ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଆମେ ଆମର ଦାବି ଜଣାଇ ଦେଇଛୁ। ସେମାନେ ଆମକୁ ଆଜି ଲିଖିତ ଭାବେ ଜଣାଇବେ ବୋଲି କହିଥିଲେ ହେଲେ କିଛି ଜଣାଇନାହାନ୍ତି। ବିଏମ୍‌ସି ଯେଉଁଦିନ ଆମ ପଞ୍ଚାୟତକୁ ଆମ ସର୍ତ୍ତ ପୂରଣ ବିଷୟରେ ଲିଖିତ ଭାବେ ଜଣାଇବ ସେହିଦିନ କିମ୍ବା ତା’ପରଦିନ ଆମର ଗ୍ରାମସଭା ବସିବ। ଏଥିରେ ବିଏମ୍‌ସି ପକ୍ଷରୁ ଦାବି ପୂରଣ ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିବ ସେନେଇ ଆଲୋଚନା ହେବ। ବିଏମ୍‌ସି ଦାରୁଠେଙ୍ଗ ଗ୍ରାମର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବହୁ ଲୋକଙ୍କ ନାମରେ ପୂର୍ବରୁ ମାମଲା ଦାୟର କରିଥିବାରୁ ସମସ୍ତଙ୍କ ପକ୍ଷ ଶୁଣାଯିବ। ଗ୍ରାମସଭାର ନିଷ୍ପତ୍ତି ଯାହା ହେବ ତାହା ବିଏମ୍‌ସିକୁ ଜଣାଇ ଦିଆଯିବ। ତାହାପରେ ଯାହା ନିଷ୍ପତ୍ତି ହେବ ସମସ୍ତେ ଜାଣିବେ।

ସୂଚନାଯୋଗ୍ୟ ଯେ, ଜାନୁଆରି ୧ରୁ ଭୁଆସୁଣିସ୍ଥିତ ଡମ୍ପିଂୟାର୍ଡରେ ଅଳିଆ ପଡ଼ୁନି। ଦାରୁଠେଙ୍ଗ ଗ୍ରାମବାସୀ ଅଳିଆ ପକାଇନଦେବା ଜିଦ୍‌ରେ ଥିବାରୁ ତିନି ଦିନ ଗାଡ଼ି ଡମ୍ପିଂୟାର୍ଡ ନିକଟରୁ ଅଳିଆ ବୋଝେଇ ଗାଡ଼ି ଫେରାଇବା ପରେ ବିଏମ୍‌ସି ଗାଡ଼ି ୪ତାରିଖରୁ ଭୁଆସୁଣିକୁ ଯାଉନି। ରାଜଧାନୀରୁ ଯେତିକି ଅଳିଆ ଉଠୁଛି ସବୁ ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରେ ପଡ଼ୁଛି। ଅସ୍ଥାୟୀ ଡମ୍ପିଂୟାର୍ଡରେ ଆବର୍ଜନା ପାହାଡ଼ ଭଳି ଗଦା ହେବାରୁ ସ୍ଥାନୀୟ ଅଞ୍ଚଳରେ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଲାଣି। ଦିନେ ଦୁଇଦିନ ପରେ ଏଠାରେ ବି ଆଉ ଅଳିଆ ପଡ଼ିପାରିବନି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅକଲ ଗୁଡ଼ୁମ୍ ହୋଇଗଲାଣି। ସ୍ଥିତି ଅଣାୟତ ହେବା ପୂର୍ବରୁ ଭୁଆସୁଣି ବିବାଦର ସମାଧାନ ପାଇଁ ଆଜି ବିଏମ୍‌ସି କର୍ତ୍ତୃପକ୍ଷ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ଡାକି ଆଲୋଚନା କରିଛନ୍ତି। ହେଲେ ଏହି ବୈଠକରେ କିଛି ସମାଧାନ ହୋଇପାରିନି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଆଗରେ ସର୍ତ୍ତ ରଖି ଗ୍ରାମବାସୀ ଯାଇଛନ୍ତି। ଏବେ ବିଏମ୍‌ସି ଯେଉଁ ପ୍ରତିଶ୍ରୁତି ଦେଉଛି ତାହାକୁ ଗ୍ରାମବାସୀ କିପରି ମାନୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଅପରପକ୍ଷେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମକୁ ହାଇକୋର୍ଟ ଓ ଏନ୍‌ଜିଟି ଡିସେମ୍ବର, ୨୦୨୧ ସୁଦ୍ଧା ଆବର୍ଜନା ବିଶୋଧନ ନେଇ ବିକେନ୍ଦ୍ରୀକରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ହାତରେ ଆଉ ଦୁଇ ବର୍ଷ ‌ଅଛି। ହେଲେ ଆମେ ୬ରୁ ୮ମାସ ମଧ୍ୟରେ ସବୁ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରି ଏହାକୁ କାର୍ଯ୍ୟକ୍ଷମ କରିବୁ। କମ୍ପୋଷ୍ଟ ପ୍ଲାଣ୍ଟରେ ରାଜଧାନୀର ସବୁ ଆବର୍ଜନା ବିଶୋଧନ ହେବ। ଯେଉଁ ପ୍ଲାଣ୍ଟ ଆଗ କାର୍ଯ୍ୟକ୍ଷମ ହେବ ସେହି ୱାର୍ଡର ଅଳିଆ ଆଉ ଡମ୍ପିଂୟାର୍ଡକୁ ଯିବନି।

ଆଜି ବିଏମ୍‌ସି କାର୍ଯ୍ୟାଳୟରେ ବସିଥିବା ବୈଠକରେ ବିଏମ୍‌ସି କମିସନର ଶ୍ରୀ ଚୌଧରୀଙ୍କ ସମେତ ଜଟଣୀ ବିଧାୟକ ଶ୍ରୀ ରାଉତରାୟ, ବିଏମ୍‌ସିର ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ, ଦାରୁଠେଙ୍ଗର ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ରାଉତରାୟ, ଦାରୁଠେଙ୍ଗ ଗାଁ ସଭାପତି ପର୍ଶୁରାମ ରାଉତରାୟ, ପୂର୍ବତନ ସମିତି ସଭ୍ୟ ଅକ୍ଷୟ ପାହାଡସିଂହଙ୍କ ସମେତ ଗ୍ରାମର ବହୁ ବରିଷ୍ଠ ନାଗରିକ, ଆଇନଜୀବୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର