ଜଳୁଛି ଭୁଆସୁଣୀ ଡମ୍ପିଂୟାର୍ଡ

ବାରଙ୍ଗ : ଦାରୁଠେଙ୍ଗ ଭୁଆସୁଣୀ ମୌଜାସ୍ଥିତ ଡମ୍ପିଂୟାର୍ଡ ହୁତୁହୁତୁ ହୋଇ ହୋଇ ଜଳୁଛି। ତିନି ତିନିଟା ଦମକଳ ନିଆଁ ଲିଭାଇବାକୁ ଲାଗିଥିଲେ ବି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ଫଳରେ ଆଜି ଦିନ ତମାମ ସ୍ଥାନୀୟ ଅଞ୍ଚଳରେ ତତଲା ପବନ ବହୁଛି ଓ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଖାପାଖି ଗାଁ ଗୁଡ଼ିକ ଭିତରକୁ କଳା ଧୂଆଁ ପଶି ଯାଇଥିବାରୁ ‌ପ୍ରବଳ ଗରମରେ ଲୋକେ ଆହୁରି ଦହଗଞ୍ଜ ହୋଇଥିବା ଅଭିଯୋଗ ହୋଇଛି।

ଆଜି ପ୍ରାୟ ଦିନ ୧୧ଟା ବେଳେ ଡମ୍ପିଂୟାର୍ଡରେ ନିଆଁ ଲାଗିଥିଲା। ଚାହୁଁଚାହୁଁ ପ୍ରାୟ ୧୩ ଏକରକୁ ନିଆଁ ବ୍ୟାପିଥିଲା। ଫଳରେ ଦାରୁଠେଙ୍ଗ, ନନ୍ଦନକାନନ, ଚନ୍ଦକା ଓ ବାରଙ୍ଗ ଆଦି ଆଖପାଖ ଅଞ୍ଚଳରେ ତତଲା ପବନ ଖେଳି ଯାଇଥିଲା। ଦାରୁଠେଙ୍ଗ ଗ୍ରାମବାସୀଙ୍କଠାରୁ ଖବର ପାଇ ଅପରାହ୍ଣ ୩ଟା ବେଳେ ୩ଟି ଦମକଳ ଗାଡ଼ି ପହଞ୍ଚିଥିଲା। ଅପରାହ୍ଣ ୫ଟା ସୁଦ୍ଧା ୨ଟି ଗାଡ଼ି ଫେରି ଯାଇଥିବା ବେଳେ ଗୋଟିଏ ଗାଡ଼ି ରାତି ପର୍ଯ୍ୟନ୍ତ ନିଆଁ ଲିଭାରେ ନିୟୋଜିତ ଥିଲା। ଦାରୁଠେଙ୍ଗ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବହୁ ବିଳମ୍ବରେ ଦମକଳ ଗାଡ଼ି ଆସିବାରୁ ନିଆଁ ଅଧିକ ବ୍ୟାପିଗଲା। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଆଜି ଦିନ ସାରା ସ୍ଥାନୀୟ ଲୋକେ ଗରମରେ ଛଟପଟ ହୋଇଥିଲେ। ତେଣୁ ନିଆଁ ପୂରା ନ ଲିଭିବା ପର୍ଯ୍ୟନ୍ତ ଆଉ ସେଠାରେ ବର୍ଜ୍ୟବସ୍ତୁ ପକାଇବାକୁ ଦିଆଯିବ ନାହିଁ ବୋଲି ଦାରୁଠେଙ୍ଗ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର