ଭୁବନେଶ୍ବର: ଭୁଆସୁଣିକୁ ଆବର୍ଜନା ବନ୍ଦ ହେବାକୁ ୨୦ ଦିନ ପୂରିଲାଣି। ଭୁବନେଶ୍ବର ଆବର୍ଜନାରେ ଭର୍ତ୍ତି ହୋଇଗଲାଣି। ରାସ୍ତା କଡ଼, ଗଳିକନ୍ଦି, ଏପରିକି ମେଡିକାଲ କଡ଼ରେ ବି ଆବର୍ଜନା ପାହାଡ଼ ଭଳି ଗଦା ହେଲାଣି। ଏଭଳି ସ୍ଥିତିରେ ଚୁପ୍‌ ବସିଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ମୁହଁ ଖୋଲିଛନ୍ତି। ଆବର୍ଜନା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହ ବିଏମ୍‌ସି ମେୟରଙ୍କୁ କଡ଼ା ଚିଠି ଲେଖିଛନ୍ତି। ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଆମେ ପରସ୍ପର ପ୍ରତି ଦୋଷାରୋପର ଖେଳ ନ ଖେଳି ସମସ୍ୟା ସମାଧାନ ପାଇଁ ଆମେ ମିଳିମିଶି ଉଦ୍ୟମ କରିବା ବୋଲି ଚିଠିରେ ଲେଖିଛନ୍ତି। ତିନି ଚାରିଦିନ ଭିତରେ ଯଦି ସମସ୍ୟାର ସମାଧାନ ହେଉନାହିଁ, ତେବେ ଆସନ୍ତା ୨ ତାରିଖରେ ମେୟରଙ୍କ ଚାମ୍ବରରେ ଏକାଠି ହୋଇ ବାଟ ବାହାର କରିବାକୁ ପ୍ରସ୍ତାବ ଦେଇଛନ୍ତି।

Advertisment

ସେ କହିଛନ୍ତି, ଯେତେବେଳେ ମୁଁ କମିସନର ଦାୟିତ୍ବ‌‌ରେ ଥିଲି, ସେତେବେଳେ ସ୍ବଚ୍ଛତା ପରିମାପରେ ଭୁବନେଶ୍ୱର ପୂରା ଦେଶରେ ୫ମ ସ୍ଥାନରେ ଥିଲା। ପରିମଳ ବ୍ୟବସ୍ଥାକୁ ‌ଅଗ୍ରାଧିକାର ଭିତ୍ତିରେ ବିଚାର କରାଯାଉଥିଲା। ହେଲେ ପରେ ପରେ ଏହା ହ୍ରାସ ପାଇବାରେ ଲାଗିଛି। ବିଏମ୍‌ସି ନାଗରିକଙ୍କୁ ନିଜ ସମସ୍ୟା କହିବାରେ ବ୍ୟସ୍ତ ରହିଛି। ନିଜ ସମସ୍ୟା ନ କହି ବିଏମ୍‌ସି ଲୋକଙ୍କ ସମସ୍ୟା ସମାଧାନ କରୁ। ଘରର ଡ୍ରଇଂ ରୁମ ଯଦି ଅଳିଆ ହେଲା ତେବେ ପୂରା ଘର ଅଳିଆ ବୋଲି ଧରାଯିବ। ଠିକ୍‌ ସେହିଭଳି ରାଜ୍ୟର ରାଜଧାନୀ ହେଉଛି ରାଜ୍ୟର ଡ୍ରଇଂ ରୁମ୍‌। ରାଜଧାନୀ ଏବେ ଆବର୍ଜନାମୟ ହୋଇପଡ଼ିଛି। ଏଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ। କେବଳ ମେୟର କିମ୍ବା କମିସନର ନୁହେଁ, କର୍ପୋରେଟର ଓ ନାଗରିକଙ୍କ ସମେତ ଖୋଦ୍‌ ସରକାରଙ୍କ ମିଳିତ ଉଦ୍ୟମରେ ଏହାର ସମାଧାନ ହେବା ଉଚିତ।

‘ସିଟିଜେନ ଚାର୍ଟର’ ବ୍ୟବସ୍ଥାକୁ ବିଏମ୍‌ସି ବନ୍ଦ କରିଦେଇଛି। ସେତେବେଳେ ଏହା ମାଧ୍ୟମରେ ନାଗରିକ ଓ ପ୍ରଶାସନ ଭିତରେ ଏକ ସଂଯୋଗ ବ୍ୟବସ୍ଥା ରହୁଥିଲା। ଏବେ ପ୍ରଶାସନଠାରୁ ନାଗରିକ ଦୂରରେ ଅଛନ୍ତି। ଏଣୁ ଅନେକ ସମୟ‌ରେ ନାଗରିକ ପ୍ରଶାସନର ଅସହାୟତା ବୁଝି ପାରୁନାହାନ୍ତି। ସେହିଭଳି ପ୍ରଶାସନ ମଧ୍ୟ ନାଗରିକଙ୍କର ଭାବପ୍ରବଣତା କିମ୍ବା ମନକଥା ବୁଝି ପାରୁନି। ଫଳରେ ଏଭଳି ସମସ୍ୟା ଉପୁଜୁଛି।

କେବଳ ଦାରୁଠେଙ୍ଗ ନୁହେଁ ଅନ୍ଧାରୁଆ, ଚନ୍ଦକା, ଦାଢ଼ାପାଟଣା, ବାରଙ୍ଗ ସମେତ ଚନ୍ଦକା ହାତୀ ଅଭୟାରଣ୍ୟ ଓ ସବୁଜ ବନାନୀ ଏହାଦ୍ବାରା ପ୍ରଭାବିତ। ୨୦୦୮ମସିହାରୁ ଦାରୁଠେଙ୍ଗ ପଞ୍ଚାୟତବାସୀ ଏହାକୁ ବିରୋଧ କରି ଆସୁଛନ୍ତି। ୧୪ ବର୍ଷ ଧରି ବିଏମ୍‌ସି କାହିଁକି ଏ ସମସ୍ୟାର ସମାଧାନ କରିପାରିଲା ନାହିଁ? ଏତେ ବଡ଼ ସମସ୍ୟାକୁ କାହିଁକି ବିଏମ୍‌ସି ହାଲ୍‌କା ଭାବରେ ନେଇଛି? ଯଦି ୪ ଦିନ ଭିତରେ ସମାଧାନର ବାଟ ନ ବାହାରେ ତେବେ ମେୟରଙ୍କୁ ଭେଟି ଏହାର ସମାଧାନର ବାଟ ବାହାର କରିବାକୁ ପଡ଼ିବ। ଯେ କୌଣସି ପ୍ରକାରର ସାହାଯ୍ୟ ଦରକାର, ମୁଁ କରିବାକୁ ପ୍ରସ୍ତୁତ ଅଛି ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି।