ବାଲିଅନ୍ତା : ସାନିଟାଇଜ୍‌ ହେଲା ଭୁବନପୁର ଗ୍ରାମ

ଓୟୁଏଟିକୁ ବିଶୋଧନ କରିବାକୁ ଦାବି

ବାଲିଅନ୍ତା : ବାଲିଅନ୍ତା ପଞ୍ଚାୟତ ଅଞ୍ଚଳରେ ଜଣେ ଯୁବକ କରୋନା ସଂକ୍ରମିତ ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ମଧ୍ୟାହ୍ନରେ ବାଲିଅନ୍ତା ଦମକଳବାହିନୀ ଭୁବନପୁର ଗ୍ରାମକୁ ସାନିଟାଇଜ୍‌ କରିଛି। ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ସଂକ୍ରମିତ ଯୁବକଜଣକ କଟକରେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ବାଲିଅନ୍ତା ସରପଞ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଉକ୍ତ ୱାର୍ଡକୁ ସିଲ‌୍ କରିଛନ୍ତି। ଏଥିସହିତ ପ୍ରମୁଖ ରାସ୍ତାରେ ବାଉଁଶ ଧଡ଼ା ବନ୍ଧା ଯାଇଛି। ଅନ୍ୟପକ୍ଷରେ ବାଲିଅନ୍ତା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବା ନେଇ କିଛି ବ୍ୟକ୍ତି ମିଛ ଖବର ପ୍ରଚାର କରୁଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଓୟୁଏଟିକୁ ବିଶୋଧନ କରିବାକୁ ଦାବି
ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କ୍ୟାମ୍ପସର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଉ କିଛି କର୍ମଚାରୀଙ୍କ ସମ୍ପର୍କୀୟ ବି ଇତିମଧ୍ୟରେ ଆକ୍ରାନ୍ତ ହୋଇସାରିଲେଣି। ତା’ ପରେ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଚୁପ୍‌ ବସିଛନ୍ତି। ତାଲିମପ୍ରାପ୍ତ ବ୍ୟକ୍ତିବିଶେଷ କିମ୍ବା କୌଣସି ସଂସ୍ଥା ଦ୍ବାରା କ୍ୟାମ୍ପସକୁ ବିଶୋଧନ କରାଯାଉନାହିଁ। ଯେଉଁ ବିଭାଗରୁ ଆକ୍ରାନ୍ତ ବାହାରୁଛନ୍ତି କେବଳ ତାହାକୁ ସିଲ୍‌ କରାଯାଉଛି। ହେଲେ ସମ୍ପୃକ୍ତ ଆକ୍ରାନ୍ତ କେଉଁ ଅଞ୍ଚଳରେ ବୁଲିଥିଲେ, କାହା କାହା ସହ ମିଶିଥିଲେ ସେ ସଂସ୍ପର୍ଶ ଖୋଳତାଡ଼ କରାଯାଉ ନାହିଁ। ଯେଉଁ ପ୍ରଫେସର, କର୍ମଚାରୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ କ୍ବାରାଣ୍ଟିନ୍‌ରେ ରଖାଯାଉ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। କୋଠାଗୁଡ଼ିକ ନିୟମିତ ବ୍ୟବଧାନରେ ବିଶୋଧନ କରାଯାଇଥିବା କର୍ତୃପକ୍ଷ ମତ ରଖୁଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉ ନଥିବା ଅଧ୍ୟାପକ ଓ କର୍ମଚାରୀ ଅଭିଯୋଗ କରିଛନ୍ତି। ପ୍ରଶିକ୍ଷିତ ଲୋକ କିମ୍ବା ସଂସ୍ଥାଙ୍କ ଦ୍ବାରା ସମ୍ପୂର୍ଣ୍ଣ କ୍ୟାମ୍ପସ୍‌ ବିଶୋଧନ କରିବାକୁ କର୍ମଚାରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର