ଏମିତି ଚାଲିଛି ପୁଲିସ ଚେକିଂ: ସାନ ବାବୁ ଧରିଲେ, ବଡ଼ ଛାଡ଼ି ଦେଲେ

ଭୁବନେଶ୍ୱର : ସମୟ ପୂର୍ବାହ୍ନ ପ୍ରାୟ ୧୦ଟା ୪୦। ଏୟାରଫିଲ୍ଡ ଥାନାଞ୍ଚଳ ଶଙ୍କରା ବଜାର ଛକ। ପୁଲିସ ଛିଡ଼ା ହୋଇ ଚେକିଂ କରୁଥାଏ। ମାସ୍କ ଓ ସାମାଜିକ ଦୂରତା ନେଇ ଜରିମାନା ଚାଲାଣ କଟାଯାଉଥାଏ। ଗୋଟିଏ ବାଇକ୍‌ରେ ଦୁଇଜଣ ଯୁବକ ଯାଉଥିଲେ। ନା ଥିଲା ହେଲ୍‌ମେଟ୍‌, ନା ଥିଲା ମାସ୍କ। ଗାଡ଼ି ନମ୍ବର ମଧ୍ୟ ଦିଶୁ ନଥିଲା। ଏଣୁ ଡ୍ୟୁଟିରେ ଥିବା ଅଫିସର ତାଙ୍କୁ ଅଟକାଇଲେ। ଯୁବକ ଦୁଇଜଣ ଓହ୍ଲାଇ ଅଫିସରଙ୍କ ଆଡ଼କୁ ମାଡ଼ି ଆସିଲେ। ‘କାହାକୁ ଅଟକାଇଲ ଜାଣିଛ ତ? ଚାକିରି ରହିବ ଟି?’ ଏମିତି କେତେ କ’ଣ କହିଗଲେ ଅଫିସରଙ୍କୁ। ତେବେ ଅଧିକ ଯୁକ୍ତି ନକରି ଅଫିସର୍‌ ଚାଲାଣ କାଟିବାରେ ଲାଗିଲେ। ଏତିକିବେଳେ ସମ୍ପୃକ୍ତ ଯୁବକ କାହାକୁ ଫୋନ୍‌ ଲଗାଇ ସମ୍ପୃକ୍ତ ଅଧିକାରୀଙ୍କ କାନରେ ମାଡ଼ିଦେଲେ। ଫୋନ୍‌ରେ ସେପଟେ କିଏ ଥିଲେ କେଜାଣି, ସମ୍ପୃକ୍ତ ଅଫିସର ସାବଧାନ୍‌ ପୋଜିସନ୍‌କୁ ଆସି ‘ସାର୍‌ ନମସ୍କାର’ ବୋଲି କହିଲେ। କିଛି ସମୟ କଥାବାର୍ତ୍ତାରେ ସମ୍ପୃକ୍ତ ଅଫିସର୍‌ କେବଳ ସାର୍‌ ସାର୍‌..ବୋଲି କହୁଥିଲେ। କଥାବାର୍ତ୍ତା ସରିବା ପରେ ଅଫିସର ଚାଲାଣ କାଟିବେ କ’ଣ, ଚାଲାଣ ବହି କାଖରେ ଜାକି ରାସ୍ତାକଡ଼କୁ ଚାଲିଗଲେ। ଉଲ୍ଲଂଘନକାରୀ ଯୁବକଦ୍ବୟ ସେଠାରୁ ଯିବା ପୂର୍ବରୁ ଅଧିକାରୀଙ୍କୁ ଚେତାଇ ଦେଇ ଗଲେ, ‘ଚିହ୍ନି ରଖ, ଆଗକୁ ଯେମିତି ଏ ଭୁଲ ନ ହୁଏ’।

‌‌ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଉଲ୍ଲଂଘନକାରୀଦ୍ବୟ ଏହି ଅଞ୍ଚଳର ଜଣାଶୁଣା ଅପରାଧୀ। ସେମାନଙ୍କ ନାମରେ ଅନେକ ମାମଲା ରହିଛି। ତେବେ ଥାନା ଅଧିକାରୀଙ୍କ ସହ ସିଧାସଳଖ ସମ୍ପର୍କରେ ରହିଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ଡ୍ୟୁଟିରେ ଥିବା ଅଧିକାରୀ କେଉଁ ଥାନାର ନୁହନ୍ତି, ବରଂ ପ୍ରୋବେସନରେ ଥିବା ଏସ୍‌ଆଇ ବୋଲି ଜଣାପଡ଼ିଛି। ଏ ନେଇ ସେ ମୁହଁ ଖୋଲି ନାହାନ୍ତି। ଏନେଇ ଏୟାରଫିଲ୍ଡ ଥାନା ଆଇଆଇସିଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ।

ଅପରାଧୀଙ୍କ ସହ କେଉଁ ପୁଲିସ୍‌ ଅଧିକାରୀଙ୍କ ସମ୍ପର୍କ ଅଛି? କାହା ଇଙ୍ଗିତରେ ଉଲ୍ଲଂଘନକାରୀଙ୍କୁ ଛାଡ଼ି ଦିଆଗଲା? ଏହାର ଖୋଳତାଡ଼ ହେଲେ କମିସନରେଟ୍‌ ପୁଲିସକୁ ବଦ୍‌ନା‌ମ କରୁଥିବା ଅଧିକାରୀ ସାମ୍ନାକୁ ଆସିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ପ୍ରତି ଥାନା ଅଞ୍ଚଳରେ ପ୍ରତ୍ୟେକ ଦିନ ସାମାଜିକ ଦୂରତ୍ବ ଓ ମାସ୍କକୁ ନେଇ ୨ଶହ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ଆଇଆଇସିମାନଙ୍କୁ ଟାର୍ଗେଟ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର