ଏମ୍‌ସ‌୍‌ରେ ଖାଲି ପଡ଼ିଛି ୨ ହଜାରରୁ ଅଧିକ ପଦବି, ଅନେକ ଆଧୁନିକ ଯନ୍ତ୍ରପାତି ଅଚଳ

ଭୁବନେଶ୍ୱର : ଏମ୍‌ସ୍‌ ଭୁବନେଶ୍ବରରେ ଅନେକ ଯନ୍ତ୍ରପାତି ଅଚଳ ହୋଇପଡ଼ିଛି। କେଉଁ ଯନ୍ତ୍ରପାତି ଆରମ୍ଭରୁ ଚାଲି ନାହିଁ ତ ଆଉ କେଉଁଟି ବ୍ୟାଟେରି ବ୍ୟାକଅପ୍‌ ନ ଥିବା କାରଣରୁ କାର୍ଯ୍ୟକ୍ଷମ ହେଉନାହିଁ। ଏଥିରେ ଭେଣ୍ଟିଲେଟର୍‌, ଅକ୍ସିମିଟର୍‌, କାର୍ଡିଆକ୍ ମନିଟର୍‌ ଭଳି ଯନ୍ତ୍ରପାତି ରହିଛି। କେବଳ ଯନ୍ତ୍ରପାତି ନୁହେଁ, ଏମ୍‌ସରୁ ଫାକଲ୍‌ଟି ଓ ଅଣ ଫାକଲ୍‌ଟି ପଦ ବି ବହୁ ସଂଖ୍ୟାରେ ଖାଲି ପଡ଼ିଛି। ଏମ୍‌ସ ଭଳି ଏକ ଜାତୀୟସ୍ତରୀୟ ସ୍ବାସ୍ଥ୍ୟାନୁଷ୍ଠାନରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ରୋଗୀଙ୍କ ସୁବିଧା ପାଇଁ ବହୁ ବିଭାଗର ନିର୍ମାଣ ଚାଲିଛି। ମାତ୍ର ଅତ୍ୟାଧୁନିକ ଯନ୍ତ୍ରପାତି ଓ ବହୁ ସଂଖ୍ୟାରେ ପଦ ଖାଲି ପଡ଼ିଥିବା ନେଇ ସୂଚନା ଅଧିକାର ଆଇନ ବଳ‌‌ରେ ତଥ୍ୟ ମିଳିଛି। ୧୧ଟି ଆଧୁନିକ ଯନ୍ତ୍ରପାତି ଅଚଳ ଥିବା ସଂପର୍କରେ ଏମ୍‌ସ କର୍ତୃପକ୍ଷ ସୂଚନା ଦେଇଛନ୍ତି। ବ୍ୟାଟେରି ବ୍ୟାକ୍‌ଅପ୍‌ ଓ ଇସିଜି ମନିଟରିଂ ସମସ୍ୟା ପାଇଁ ଡିଫାଇବ୍ରିଲେଟର ଅଚଳ ହୋଇ ପଡ଼ିଥିବା ବେଳେ କାର୍ଡିଆକ୍ ମନିଟର(ବେଡ୍‌ ସାଇଡ୍‌) ଏନ୍‌ଆଇବିପି ମନିଟର ଚାପ ସୃଷ୍ଟି କରିପାରୁ ନାହିଁ। ପୋର୍ଟେବୁଲ କାର୍ଡିଆକ ମନିଟର୍‌, ଭେଣ୍ଟିଲେଟର ୦୨ ସେନ୍ସର, ପଲ୍‌ସ ଅକ୍ସିମିଟର, ଓଏଇ ମେସିନ୍, ଟିସିବି ମେସିନ୍, ଇନଫ୍ୟୁଜନ୍ ପମ୍ପ୍, ଫ୍ଲାସ୍ ଅଟୋକ୍ଲେଭ୍, ଲିପୋସକ୍ସନ୍ ଓ ଟର୍ଣ୍ଣିକ୍ବେଟ୍‌ ଅଚଳ ହୋଇଛି। ଏଥିରୁ ପ୍ଲାସ୍ ଅଟୋକ୍ଲେଭ୍ ଇନଷ୍ଟଲେସନ୍‌ ପରଠାରୁ ହିଁ ଅଚଳ ହୋଇ ପଡ଼ିଛି। ଅଚଳ ଯନ୍ତ୍ରପାତିଙ୍କ ମଧ୍ୟରୁ ଅଧିକାଂଶର ସାଧାରଣ ସମସ୍ୟା ଥିବା ବେଳେ ଏହାକୁ କାହିଁକି ସଜଡ଼ା ଯାଉନାହିଁ, ତାହା ହିଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅପରପକ୍ଷରେ ଏମ୍‌ସ୍‌ରେ ବହୁ ସଂଖ୍ୟାରେ ପଦବି ଖାଲି ପଡ଼ିଛି। ସ୍ବାସ୍ଥ୍ୟାନୁଷ୍ଠାନରେ ଫାକ୍‌ଲଟି ପାଇଁ ୩୦୫ ପଦ ଥିବା ବେଳେ ଏଥିରେ ୧୯୧ଜଣ ଅଛନ୍ତି ଓ ୧୧୪ ପଦବି ଖାଲି ପଡ଼ିଛି। ସେହିପରି ଅଣ-ଫାକଲ୍‌ଟି ପାଇଁ ୩୭୭୬ ପଦ ଧାର୍ଯ୍ୟ ହୋଇଥିବା ବେଳେ ସ୍ଥାୟୀ, ଠିକା, ଆଉଟସୋର୍ସିଂ ଓ ଡେପୁଟେସନ୍‌କୁ ମିଶାଇ ମାତ୍ର ୧୯୧୨ଜଣ ନିଯୁକ୍ତ ହୋଇଛନ୍ତି। ଏବେ ବି ୧୮୬୪ ପଦ ଖାଲି ପଡ଼ିଛି। ଏହାସହ ଏମ୍‌ସ‌୍‌ରେ ବର୍ଣ୍ଣ ୟୁନିଟ୍, ନୂଆ ଟ୍ରମା ବିଲ୍ଡିଂ, ପ୍ରଶାସନିକ ବିଲ୍ଡିଂ, ପିଜି ହଷ୍ଟେଲ ଓ ଅନ୍ୟ ବିଲ୍ଡିଂର ନିର୍ମାଣ କାର୍ଯ୍ୟ କେନ୍ଦ୍ରୀୟ ପୂର୍ତ୍ତ ବିଭାଗ କରୁଥିବାରୁ ଏଥିପାଇଁ କେତେ ଟଙ୍କା ମଞ୍ଜୁର ଓ ଖର୍ଚ ହୋଇଛି, ତାହାର ତଥ୍ୟ ଦିଆଯାଇନାହିଁ। ତେବେ ରାଜ୍ୟ ସରକାରଙ୍କ ‘ନିରାମୟ’ ଯୋଜନାରେ ଏମ୍‌ସ୍‌ ଭୁବନେଶ୍ବରକୁ କୌଣସି ଔଷଧ ଦିଆଯାଇ ନଥିବା କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର