ଭୁବନେଶ୍ୱର: ପୁଣି ଥରେ ଭୁବନେଶ୍ବର ଏମ୍‌ସକୁ ସଫଳତାର ମାନ୍ୟତା ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା(ଏନ୍‌ଆଇଆର୍‌ଏଫ୍‌)ରେ ଭୁବନେଶ୍ୱର ଏମ୍‌ସକୁ ଦେଶର ଶ୍ରେଷ୍ଠ ମେଡିକାଲ୍‌ କଲେଜ ବର୍ଗରେ ୧୪ତମ ସ୍ଥାନ ମିଳିଛି। ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନ୍‌ଆଇଆର୍‌ଏଫ ତାଲିକାରେ ୧୫ତମ ସ୍ଥାନରେ ଥିଲା। ୨୦୨୧ରେ ୩୧ତମ ସ୍ଥାନରେ ଥିବା ଏହି ଅନୁଷ୍ଠାନ ଚାରି ବର୍ଷ ମଧ୍ୟରେ ୧୭ଟି ମେଡିକାଲ କଲେଜକୁ ପଛରେ ପକାଇ ପାରିଛି। ସେହିପରି ସାମଗ୍ରିକ କ୍ଷେତ୍ରରେ ମଧ୍ୟ ଏହି ଜାତୀୟ ପ୍ରତିଷ୍ଠାନ ଶ୍ରେଷ୍ଠ ଶହେ ମଧ୍ୟରେ ନିଜର ସ୍ଥାନ ଦଖଲ କରିଛି।

Advertisment

ଆଜି ଭୁବନେଶ୍ବର ଏମ୍‌ସରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ କହିଛନ୍ତି ଯେ ରୋଗୀ ସେବା, ଗବେଷଣା ଏବଂ ଶିକ୍ଷାର ସାମଗ୍ରିକ ବିକାଶରେ ଏହି ଅନୁଷ୍ଠାନ ନିରନ୍ତର ଅବଦାନ ଜାରି ରଖିବ। ଏମ୍‌ସକୁ ମିଳିଥିବା ଏହି ମାନ୍ୟତା ପାଇଁ ସେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶିକ୍ଷାଦାନ, ଶିକ୍ଷା ଓ ସମ୍ବଳ, ଗବେଷଣା ଓ ବୃତ୍ତିଗତ ଅଭ୍ୟାସ, ସ୍ନାତକୋତ୍ତର ଫଳାଫଳ, ଆଉଟ୍‌ରିଚ୍ ଓ ଇନ୍‌କ୍ଲ୍ୟୁସିଭିଟି ଏବଂ ପିଅର୍‌ ପର୍ସେପ୍‌ସନ୍‌ ଭଳି ପାଞ୍ଚଟି ମାପଦଣ୍ଡ ଭିତ୍ତିରେ ଏହି ମାନ୍ୟତା ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ଏମ୍‌ସ ଭୁବନେଶ୍ୱର ମର୍ଯାଦାଜନକ ଇଣ୍ଡିଆ ଟୁଡେ-ଏମ୍‌ଡିଆର୍‌ଏ ସର୍ଭେ ରୢାଙ୍କିଙ୍ଗ୍‌ରେ ଭାରତର ଦ୍ବିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ ମାନ୍ୟତା ହାସଲ କରିଥିଲା। ଆଜିର କାର୍ଯ୍ୟକ୍ରମରେ ଡିନ୍(ପରୀକ୍ଷା) ଡାକ୍ତର ସୌଭାଗ୍ୟ କୁମାର ଜେନା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍‌ ସରକାର, କୁଳସଚିବ ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହ, ଡାକ୍ତର ବିନୋଦ କୁମାର ପାତ୍ରୋ, ଡାକ୍ତର ଦେବପ୍ରିୟ ବନ୍ଦୋପାଧ୍ୟାୟ, ଡାକ୍ତର ସିପ୍ରା ରାଉତ, ଜଗଦୀଶ ସାହୁ ଓ ଜନ ସମ୍ପର୍କ ଅଧିକାରୀ ରାଜକିଶୋର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।