ବୁଲ୍‌ବୁଲ୍‌ କମାଇଲା ବାୟୁ ପ୍ରଦୂଷଣ

ରାଜଧାନୀକୁ ଅଦିନିଆ ବର୍ଷା ସାହା

୪ମିମି ବର୍ଷାରେ ଏକ୍ୟୁଆଇ ୭୬କୁ ଖସିଲା
ଜୟଦେବ ବିହାର ଛକରେ ଏକ୍ୟୁଆଇ ୭୩, ଖଣ୍ଡଗିରିରେ ଏକ୍ୟୁଆଇ ୬୮

ଭୁବନେଶ୍ବର : ଗତ କିଛିଦିନ ହେଲା ବାୟୁ ପ୍ରଦୂଷଣରେ ଅଣନିଃଶ୍ବାସୀ ‌େହାଇପଡ଼ିଥିବା ରାଜଧାନୀବାସୀଙ୍କୁ ଏଥିରୁ ତ୍ରାହି ମିଳିଛି। ସପ୍ତାହଯାକ ରାଜଧାନୀର ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୨୦୦ରୁ ଅଧିକ ରହିବା ପରେ ଆଜି ଏହା ୭୬କୁ କମିଛି। ହଠାତ୍ ରାଜଧାନୀର ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ପଛରେ ସରକାରଙ୍କର କି କୌଣସି ଘରୋଇ ସଂସ୍ଥାର ହାତ ନାହିଁ। ରାଜଧାନୀର ବାୟୁ ପ୍ରଦୂଷଣକୁ ବାତ୍ୟା ବୁଲ୍‌ବୁଲ୍‌ କମାଇ ଦେଇଛି। ବୁଲ୍‌ବୁଲ୍‌ ପ୍ରଭାବରେ ରାଜଧାନୀରେ ଶୁକ୍ରବାର ରାତିରେ ହୋଇଥିବା ମାତ୍ର ୪ମିମି ବର୍ଷା ପ୍ରଭାବରେ ଭୁବନେଶ୍ବରର ଏକ୍ୟୁଆଇ ୭୬କୁ ଖସି ଯାଇଛି। ରାଜଧାନୀରେ ପ୍ରଦୂଷଣ ଯେଉଁଭଳି ବଢ଼ି ଚାଲିଛି, ତାହାକୁ ଯେ‌ କେବଳ ଅଦିନିଆ ବର୍ଷା ସାହା ତାହା ପ୍ରମାଣିତ ହୋଇଯାଇଛି। ଅଦିନିଆ ବର୍ଷାରେ ରାଜଧାନୀ ଉପକଣ୍ଠରେ ଲୋକଙ୍କ କ୍ଷେତ ସିନା ଉଜୁଡ଼ି ଯାଉଛି, ହେଲେ ରାଜଧାନୀ ଭିତରେ ଲୋକଙ୍କୁ ବାୟୁ ପ୍ରଦୂ‌ଷଣ ଦାଉରୁ ଉଦ୍ଧାର ମିଳି ଯାଉଛି। ଏ ଅଦିନିଆ ବର୍ଷା ଏବେ ରାଜଧାନୀ ଉପକଣ୍ଠ ବାସିନ୍ଦାଙ୍କ ପାଇଁ ଅଭିଶାପ ପାଲଟିଥିବା ବେଳେ ରାଜଧାନୀବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିବାକୁ ବସିଲାଣି।

ଗତ ରବିବାର ରାଜଧାନୀର ଏକ୍ୟୁଆଇ ୨୩୦ ଥିବା ବେଳେ ଆଜି ଏକ୍ୟୁଆଇ ୭୬ ରେକର୍ଡ ହୋଇଛି। ବାୟୁମଣ୍ଡଳରେ ସବୁ ଧୂଳିକଣା ତଳେ ବସି ଯାଇଛି। ଆଜି ରାଜଧାନୀବାସୀଙ୍କୁ ଚାଲିବା ବେଳେ ନାକ ରୁନ୍ଧି ହେଲା ଭଳି ଲାଗୁ ନଥିଲା କି ଅଧିକ ସମୟ ଚାଲିଲେ ପ୍ରଦୂଷଣ ଯୋଗୁଁ ଯେପରି ହାଲିଆ ଲାଗେ, ସେମିତି ଲାଗୁନଥିଲା। କେବଳ ଏତିକି ନୁହେଁ, ବାଇକ୍‌ ଚଲାଇ ଯାଉଥିବା ଲୋକଙ୍କ ମୁହଁରେ କଳା ଆସ୍ତରଣ ବସୁନଥିଲା କି ମୁହଁ ବାଲିଆ ବାଲିଆ ଲାଗୁନଥିଲା। ରାଜଧାନୀର ସବୁଠୁ ପ୍ରଦୂଷିତ ଅଞ୍ଚଳ ପାଲଟିଥିବା ଜୟଦେବ ବିହାର ଏବଂ ଖଣ୍ଡଗିରି ଛକରେ ଆଜି ବାୟୁ ପ୍ରଦୂଷଣ ହଠାତ୍ କମି ଯାଇଥିଲା। ଗତ ସୋମବାର ଜୟଦେବ ବିହାର ଛକରେ ଏକ୍ୟୁଆଇ ୪୦୫ ଥିବା ବେଳେ ଆଜି ଏହା ୭୩କୁ ଖସି ଆସିଛି। ସେହିପରି ଖଣ୍ଡଗିରି ଛକରେ ଏକ୍ୟୁଆଇ ୩୫୦ଥିବା ବେଳେ ଆଜି ଏହା ୬୮କୁ ଖସି ଆସିଛି। ଯାହା ଭଲ ନହେଲେ ବି ଚଳନୀୟ ବୋଲି ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି। ଆ‌ଜି ଜୟଦେବ ବିହାର ଛକରେ ପିଏମ୍‌-୨.୫ ୭୩ ଥିବା ବେଳେ, ପିଏମ୍‌-୧୦ ଥିଲା ୫୬। ସ୍କାଏମେଟ୍‌ ସୂଚନା ଅନୁଯାୟୀ, ଗତ ଶନିବାରରୁ ଆଜି ମଧ୍ୟରେ ଜୟଦେବବିହାର ଛକରେ ବୁଧବାର ପିଏମ୍‌ ୧୦ ସବୁଠୁ ଅଧିକ ଥିଲା। ସେଦିନ ବିଏମ୍‌-୧୦ ୧୫୦ ଛୁଇଁଥିଲା। ସେହିପରି ପିଏମ୍‌ ୨.୫ ଶନିବାରରୁ ବୁଧବାର ପର୍ଯ୍ୟନ୍ତ ୩୫୦ ପାଖାପାଖି ଥିବା ବେଳେ ଆଜି ଏହା ୭୩କୁ କମିଛି। ଆଜି ସକାଳ ୯ଟାରେ ପିଏମ୍‌ ୨.୫ ସବୁଠୁ ଅଧିକ ୮୫ ଥିଲା। ସେହିପରି ଖଣ୍ଡଗିରି ଛକରେ ଆଜି ପିଏମ୍‌୨.୫- ୬୮ ଥିବା ବେଳେ ପିଏମ୍‌ ୧୦- ୫୩ ଥିଲା। ସକାଳ ୮ଟା ବେଳେ ପିଏମ୍‌ ୨.୫ ସର୍ବାଧିକ ୮୫ ରେକର୍ଡ ହୋଇଥିଲା। ଗତ ଶନିବାରରୁ ବୁଧବାର ପର୍ଯ୍ୟନ୍ତ ଖଣ୍ଡଗିରି ଛକରେ ପିଏମ୍‌ ୨.୫ – ୩୫୦ ପାଖାପାଖି ରହିଥିବା ବେଳେ ଆଜି ଏହା କମି ୬୮କୁ ଖସିଛି।

ବର୍ଷା ଯୋଗୁଁ ବାୟୁ ପ୍ରଦୂଷଣ ମାତ୍ରା ଖସିବା ପରେ ପରିବେଶବିତ୍ ବିଜୟ ମିଶ୍ର କହିଛନ୍ତି ଯେ ରାଜଧାନୀର ଅବସ୍ଥା ଯାହା ହେଲାଣି ତାକୁ କେବଳ ଅଦିନିଆ ବର୍ଷା ଭରସା। ମଝିରେ ମଝିରେ ଅସରାଏ ଲେଖାଏ ବର୍ଷା ହେଲେ ହିଁ ରାଜଧାନୀବାସୀ ସୁସ୍ଥ ରହିବେ। ନଚେତ୍‌ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହେବେ। ରାଜଧାନୀରେ ବା‌ୟୁ ପ୍ରଦୂଷଣ କମାଇବା ପାଇଁ ରାଜ୍ୟ ସରକାରଙ୍କୁ କୃତ୍ରିମ ବର୍ଷା ଭଳି ବ୍ୟବସ୍ଥା କରିବାକୁ ହେବ। ଉପରୁ ପାଣି ସ୍ପ୍ରେ’ କଲେ ହିଁ ଧୂଳିକଣା ତଳେ ପଡ଼ିବ। ନଚେତ୍ ଏ‌ମିତି ଲୋକ ଅଣନିଃଶ୍ବାସୀ ହେଉଥିବେ।

କାହା ତଥ୍ୟ ଠିକ୍
ରାଜଧାନୀରେ ବାୟୁ ପ୍ରଦୂଷଣ ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ବିଧାନସଭାର ପରିବେଶ ସଂକ୍ରାନ୍ତ ଗୃହ କମିଟି ବୈଠକରେ ହଟ୍ଟଗୋଳ ହୋଇଥିଲା। କମିଟି ସଦସ୍ୟମାନେ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀମାନଙ୍କୁ ଘେରିଥିଲେ। ଏହା ପରେ ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଥିଲେ ଯେ ଯାହା ତଥ୍ୟ ସବୁ ବାହାରିଛି ସବୁ ଭୁଲ୍‌। ଆମେ ଯାହା କହୁଛୁ ଠିକ୍। ଅପରପକ୍ଷେ ସରକାରଙ୍କ ଦୁଇଟି ସଂସ୍ଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ କର୍ତ୍ତୃପକ୍ଷଙ୍କ ପ୍ରଦୂଷଣ ମାପ ଜନିତ ତଥ୍ୟରେ ବି ତାଳମେଳ ରହୁନି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଆଜି ୟୁନିଟ-୮ରେ ଏକ୍ୟୁଆଇ ୧୦୧ଥିଲା, ଯାହା ଚଳନୀୟ। ହେଲେ ବିଏସ୍‌ସିଏଲ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଛକରେ ଲାଗିଥିବା ବୋର୍ଡରେ ୟୁନିଟ-୮ ଡିଏଭି ଛକରେ ଏକ୍ୟୁଆଇ ୮୮ ଥିଲା। ଏହାକୁ ସନ୍ତୋଷଜନକ ବୋଲି କୁହାଯାଇଛି। ଗୋଟିଏ ସ୍ଥାନରେ ଦୁଇଟି ସରକାରୀ ସଂସ୍ଥା ଦୁଇ ପ୍ରକାରର ତଥ୍ୟ ଦେଉଥିବା ବେଳେ ସେମାନେ କେଉଁ ବିଶ୍ବାସରେ ନିଜ ତଥ୍ୟ ଠିକ୍‌ କହୁଛନ୍ତି, ତାହା ଜଣାପଡ଼ୁନି।

ସମ୍ବନ୍ଧିତ ଖବର