ଭୁବନେଶ୍ବର : ରାଜଧାନୀବାସୀ ଏବେ ପ୍ରଶ୍ବାସରେ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତାହାଠାରୁ ଢେର୍ ଅଧିକ ସଲ୍ଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍, ଓଜୋନ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଏବଂ ବିଷାକ୍ତ ଧୂଳିକଣାକୁ ନେଉଛନ୍ତି। ଆଉ ଏହାହିଁ କମ୍ ଦିନରେ ହୃଦ୍ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍ଫୁସ୍ କର୍କଟ, ଯକ୍ଷ୍ମା, ଆଜ୍ମାରେ ରାଜଧାନୀବାସୀଙ୍କୁ ମାରି ଦେଉଛି। ପ୍ରତି ମୁହୂର୍ତ୍ତରେ ଆୟୁଷ କମି କମି ଯାଉଛି।
ବାୟୁ ପ୍ରଦୂଷଣ ରୂପୀ ନୀରବ ମୃତ୍ୟୁ ଏବେ ରାଜଧାନୀର ଗଳିକନ୍ଦିରେ କାୟା ମେଲାଇଲାଣି। ପ୍ରତିବର୍ଷ ଏଥିରେ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି। କିନ୍ତୁ ଏହାର ପ୍ରତିକାର ନେଇ ସମସ୍ତେ ଏବେ ଉପାୟଶୂନ୍ୟ ପାଲଟିଛନ୍ତି। ରାଜଧାନୀର ସ୍ଥିତି ଏପରି ହୋଇଛି ଯେ, ଦିନକୁ ଦିନ ଥଣ୍ଡା ଓ କାଶ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୀର୍ଘଦିନ ଧରି ଏହା ଲାଗି ରହୁଥିବାବେେଳେ ଲୋକ ଏହାକୁ ସାଧାରଣ ରୋଗ ଭାବି ତୁରନ୍ତ ଚିକିତ୍ସା କରୁନାହାନ୍ତି। କିନ୍ତୁ ଏହା ଜୀବନ ନେବାରେ ଲାଗିଛି।
ସରକାରୀ ସଂସ୍ଥାର କାରସାଦି ଧରାଉଛି ଘରୋଇ ସଂସ୍ଥା
ସରକାରୀ ସଂସ୍ଥାର କାରସାଦିକୁ କେତେକ ଘରୋଇ ସଂସ୍ଥା ଧରାଇ ଦେଉଛନ୍ତି। ହେଲେ ଘରୋଇ ସଂସ୍ଥାର ତଥ୍ୟକୁ ଭୁଲ୍ କହି ବାବୁମାନେ ସବୁ ପ୍ରଶ୍ନକୁ ଏଡ଼ାଇ ଦେଉଛନ୍ତି। ଘରୋଇ ସଂସ୍ଥାଗୁଡ଼ିକର ବିଶ୍ଳେଷଣରେ ଭୁବନେଶ୍ବର ଏକ ପ୍ରଦୂଷିତ ସହର। ଏହାର ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୨୦୦ରୁ ୩୦୦ ଭିତରେ ରହୁଛି। ଆଜି ଏକ୍ୟୁଆଇ ୨୩୦ଥିବା ରେକର୍ଡ ହୋଇଛି। ସ୍କାଏମେଟ୍ର ୱେବସାଇଟ୍ରେ ଥିବା ସୂଚନା ଅନୁଯାୟୀ ଜୟଦେବ ବିହାର ଛକରେ ପିଏମ୍୨.୫ ସଂଧ୍ୟା ୭ଟାରୁ ୧୦ଟା ପର୍ଯ୍ୟନ୍ତ ସର୍ବାଧିକ ୪୦୫ ଥିଲା। ଯାହା କ୍ଷତିକାରକ ବୋଲି ସରକାରଙ୍କ ସୂଚନା କହୁଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହି ସ୍ଥାନରେ ସକାଳ ୯ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କେବେବି ପିଏମ୍ ୨.୫ ୩୦୦ରୁ ଖସୁନି। ଦିନବେଳା ଓ ସଂଧ୍ୟାରେ ଏହା ଅଧିକାଂଶ ଦିନ ୫୦୦ରୁ ଅଧିକ ରହୁଛି। ଆଜି ସଂଧ୍ୟା ୬ଟାରୁ ଏଠାରେ ପିଏମ୍ ୨.୫ ୩୬୦ରୁ ବଢ଼ି ରାତି ୮ଟା ୩୦ରେ ୪୦୫ରେ ପହଞ୍ଚିଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଏହା ୪୦୦ରୁ ୪୦୫ ମଧ୍ୟରେ ରହିଥିଲା। କିନ୍ତୁ ଏହି ସମୟରେ ରବୀନ୍ଦ୍ର ପଣ୍ଡପରେ ଲାଗିଥିବା ଏୟାର ପଲ୍ୟୁସନ୍ ଆନାଲାଇଜର୍ରେ କିଟ୍ ଛକର ଏକ୍ୟୁଆଇ ୧୧୧ ଥିବାବେଳେ ରମାଦେବୀ ଛକର ଏକ୍ୟୁଆଇ ୯୫ ଥିଲା। ଜୟଦେବ ବିହାର ନିକଟରେ ଥିବା ଏହି ଦୁଇଟି ସ୍ଥାନରେ ଏକ୍ୟୁଆଇ ଏତେ କମ୍ କିପରି ରହିଲା ବୋଲି ଆଶ୍ଚର୍ଯ୍ୟ ଲାଗୁଛି।
ଅପରପକ୍ଷେ ପ୍ରଦୂଷଣ ବୋର୍ଡ ଓ ବିଏସ୍ସିଏଲ୍ର ଚଞ୍ଚକତା ନେଇ ପରିବେଶବିତ୍ ବିଜୟ ମିଶ୍ରଙ୍କ ମତ ଯେ, ଯେଉଁଠି ପ୍ରତି ସେକେଣ୍ଡରେ ବାୟୁର ମାନ ବଦଳୁଛି ସେଠାରେ ଦିନ ଯାକ କିପରି ଏକ୍ୟୁଆଇ ସମାନ ରହିବ? ବିଭିନ୍ନ ଖଣି ଅଞ୍ଚଳରେ ଏବଂ ଶିଳ୍ପ ସଂସ୍ଥାଙ୍କ କ୍ୟାମ୍ପସରେ ଲାଗିଥିବା ଏୟାର ପଲ୍ୟୁସନ୍ ଆନାଲାଇଜର୍ରେ ପ୍ରତି ସେକେଣ୍ଡରେ ଏକ୍ୟୁଆଇ ବଦଳୁଥିବାବେଳେ ରାଜ୍ୟ ସରକାର ଲଗାଇଥିବା ଯନ୍ତ୍ରରେ କିପରି ଏହା ବଦଳୁନି। ଲୋକ ସିନା ବାୟୁ ପ୍ରଦୂଷଣ ହେଉଛି ବୋଲି ଜାଣିଲେ ସଚେତନ ହେବେ। ସେନେଇ ନିଜକୁ ପ୍ରସ୍ତୁତ କରିବେ। ଯଦି ଲୋକ ନିଜ ସହର ପ୍ରଦୂଷିତ ବୋଲି ଜାଣିବେନି ତେବେ କିପରି ସଚେତନ ହେବେ। ଶିଳ୍ପାଞ୍ଚଳରେ ଲୋକମାନେ ବାୟୁ ପ୍ରଦୂଷଣ କେେତ ଅଛି ବୋଲି ଜାଣୁଥିବାରୁ ସେନେଇ ସଚେତନ ହେଉଛନ୍ତି, ସରକାର ବି ସେ ଅନୁଯାୟୀ ପଦକ୍ଷେପ ନେଉଛନ୍ତି। ହେଲେ ଭୁବନେଶ୍ବରରେ ତାହା ହେଉନି। ଯାହାର ଦୁର୍ଦ୍ଦଶା ଲୋକ ଭୋଗୁଛନ୍ତି।