ଭୁବନେଶ୍ବର ବିମାନବନ୍ଦର ଘରୋଇକରଣରେ ରୋକ୍ : କଂଗ୍ରେସର ବିରୋଧ ପରେ ବଦଳିବ ନିୟମ
ନିୟମ ବଦଳିବ, ଗୋଟିଏ ସଂସ୍ଥାକୁ ସର୍ବାଧିକ ଦୁଇଟିର ପରିଚାଳନା ଦାୟିତ୍ବ ମିଳିବ
ଭୁବେନଶ୍ବର : ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବେ ଘରୋଇକରଣ ହେବ ନାହିଁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହା ଉପରେ ରୋକ୍ ଲଗାଇଛି। କେବଳ ଭୁବନେଶ୍ବର ବିମାନବନ୍ଦର ନୁହେଁ, ଅମୃତସର, ବାରଣାସୀ, ଇନ୍ଦୋର, ରାୟପୁର ଓ ତିର୍ଚୀ ଭଳି ଦେଶର ଅନ୍ୟ ୫ଟି ବିମାନବନ୍ଦରର ଘରୋଇକରଣ ବି ଏବେ ହେବନି।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶର ୬ଟି ବିମାନବନ୍ଦର ଘରୋଇକରଣ ନେଇ ଡିସେମ୍ବର, ୨୦୧୯ରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହେଲେ ବିମାନବନ୍ଦର ଘରୋଇକରଣ ନେଇ ମନ୍ତ୍ରଣାଳୟର ଯେଉଁ ନିୟମ ରହିଛି, ସେଥିରେ ଅଦାନି ଭଳି କମ୍ପାନି ଅଧିକ ଲାଭବାନ୍ ହେବାର ଥିବାରୁ କଂଗ୍ରେସ ଏହାକୁ ବିରୋଧ କରିଥିଲା। ତେଣୁ ବିମାନବନ୍ଦର ଘରୋଇକରଣ ନେଇ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏବଂ କ୍ୟାବିନେଟ୍ ସେକ୍ରେଟାରିଏଟ୍ ପକ୍ଷରୁ ଗୋଟିଏ ଘରୋଇ ସଂସ୍ଥାକୁ କେତୋଟି ବିମାନବନ୍ଦର ଦିଆଯାଇପାରିବ, ସେନେଇ ନିୟମ ଆଣିବାକୁ କୁହାଯାଇଛି। ଘରୋଇକରଣ ପ୍ରକ୍ରିୟାରେ ଗୋଟିଏ ସଂସ୍ଥା ଏକ ସଙ୍ଗେ କେତୋଟି ବିମାନବନ୍ଦର ନେଇପାରିବ, ସେନେଇ ନିୟମ ଧାର୍ଯ୍ୟ କରାଯିବ। ଗୋଟିଏ ସଂସ୍ଥାକୁ ସମସ୍ତ ବିମାନବନ୍ଦର ପରିଚାଳନା ଦିଆଯିବନି। ଏନେଇ ନିୟମ ପରିବର୍ତ୍ତନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ୨୦୧୮ରେ କେନ୍ଦ୍ର ସରକାର ୬ଟି ବିମାନବନ୍ଦରର ଘରୋଇକରଣ ପାଇଁ ବିଡିଂ କରିଥିବା ବେଳେ ଅଦାନି ୬ଟି ଯାକ ବିଡିଂ ପାଇଥିଲା। ଏଥିରେ ଲକ୍ଷ୍ନୌ, ଅହମ୍ମଦାବାଦ, ଜୟପୁର, ମାଙ୍ଗାଲୁର, ଥିରୁଅନନ୍ତପୁରମ୍, ଗୌହାଟି ବିମାନବନ୍ଦର ଅଦାନି ଗ୍ରୁପ୍ ଅଧୀନକୁ ଯାଇଥିଲା। ଏବେ ଏହି ୬ଟି ବିମାନବନ୍ଦରର ପରିଚାଳନା ଦାୟିତ୍ବ ଅଦାନି ଗ୍ରୁପ୍ ନିକଟରେ ଅଛି। ୨୦୧୮ରେ ବିମାନବନ୍ଦର ଘରୋଇକରଣ ନେଇ ପ୍ରକ୍ରିୟା ଆରମ୍ଭ ହେବା ବେଳେ ଗୋଟିଏ ସଂସ୍ଥା କେତେ ବିମାନବନ୍ଦର ବିଡିଂ ପାଇପାରିବ, ସେନେଇ ନିୟମ କରିବାକୁ ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା। ହେଲେ ସେକ୍ରେଟାରି କମିଟି ଏହାକୁ ଖାରଜ କରିଦେବାରୁ ୬ଟି ବିମାନବନ୍ଦରର ପରିଚାଳନା ଦାୟିତ୍ବ ଗୋଟିଏ ସଂସ୍ଥାକୁ ମିଳିଥିଲା।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିମାନବନ୍ଦର ଘରୋଇକରଣ ହେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିକ ରାଜସ୍ବ ପାଇବ। ଏବେ ଅଧିକାଂଶ ବିମାନବନ୍ଦର କ୍ଷତିରେ ଚାଲୁଥିବା ବେଳେ କିଛି ବିମାନବନ୍ଦର ଅଳ୍ପ ଲାଭରେ ଚାଲିଛି। ତେଣୁ ବିମାନବନ୍ଦର ଘରୋଇକରଣ ଯୋଜନା ହୋଇଛି।
ଉଦାହରଣସ୍ବରୂପ, ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ୨୦୧୭-୧୮ ବର୍ଷ ପର୍ଯ୍ୟନ୍ତ କ୍ଷତିରେ ଚାଲୁଥିଲା। ଏହି ୨୦୧୭-୧୮ରେ ୧୯କୋଟି କ୍ଷତି ହୋଇଥିଲା। ହେଲେ ୨୦୧୮-୧୯ରେ ୧୭ କୋଟି ଲାଭ କରିଥିଲା। ଏହି ବିମାନବନ୍ଦରରୁ ଲାଭ ବଢ଼ିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ତେଣୁ ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଯୋଜନା ହୋଇଛି। ଏଥିରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରାୟ ୧୦୦କୋଟି ରାଜସ୍ବ ମିଳିବ।
ଅପରପକ୍ଷେ ଅଦାନି ୬ଟି ବିମାନବନ୍ଦର ଲକ୍ଷ୍ନୌ, ଅହମ୍ମଦାବାଦ, ଜୟପୁର, ମାଙ୍ଗାଲୁର, ଥିରୁଅନନ୍ତପୁରମ୍, ଗୌହାଟି ବିମାନବନ୍ଦର ପରିଚାଳନା ଦାୟିତ୍ବ ନେଇଥିବା ବେଳେ ସେଠାରେ ଯାତ୍ରୀ ପିଛା ଯଥାକ୍ରମେ ୧୭୭ଟଙ୍କା, ୧୭୪ଟଙ୍କା, ୧୭୧ ଟଙ୍କା, ୧୬୮ଟଙ୍କା, ୧୧୫ଟଙ୍କା ଓ ୧୬୦ ଟଙ୍କା ଦେଉଛି।
ଭୁବନେଶ୍ବର ବିମାନବନ୍ଦର ଦେଇ ଏପ୍ରିଲ- ଅଗଷ୍ଟ ୨୦୧୮ ମଧ୍ୟରେ ୧.୬୧ଲକ୍ଷ ଯାତ୍ରୀ ଯାତ୍ରା କରିଥିବା ବେଳେ ଏପ୍ରିଲ-ଅଗଷ୍ଟ ୨୦୧୯ ମଧ୍ୟରେ ୧.୬୯ଲକ୍ଷ ଯାତ୍ରୀ ଯାତ୍ରା କରିଥିଲେ। ଏହା ଭବିଷ୍ୟତରେ ଘରୋଇକରଣ ହେବାକୁ ଥିବା ୬ଟି ବିମାନବନ୍ଦରର ଯାତ୍ରୀ ଯାତାୟାତ ସଂଖ୍ୟାରେ ସର୍ବାଧିକ। ତେଣୁ ଏଥର ଭୁବନେଶ୍ବର ପାଇଁ ଭଲ ବିଡିଂ ହେବାର ସମ୍ଭାବନା ଅଛି।
ବିମାନବନ୍ଦର ଘରୋଇକରଣ ହେଲେ ଏଟିସି ଟାୱାର, ଏହାର ସମସ୍ତ କର୍ମଚାରୀ ଓ ତଥ୍ୟ ଏବଂ ଯୋଗାଯୋଗ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଏଏଆଇ ଅଧୀନରେ ରହିବ। ବାକି ସବୁ ଘରୋଇସଂସ୍ଥା ହାତରେ ରହିବ। ବିମାନବନ୍ଦରର ଟର୍ମିନାଲରୁ ଆରମ୍ଭ କରି ରନ୍ୱେ, ଅଫିସ, ପାର୍କିଂ ଜୋନ୍ ସମେତ ବିମାନବନ୍ଦର ଅଧୀନରେ ଥିବା ସମସ୍ତ ଜମି ଘରୋଇ ସଂସ୍ଥାକୁ ୫୦ ବର୍ଷ ପାଇଁ ଲିଜ୍ ଦିଆଯିବ। ଏବେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି, ତାଙ୍କୁ ରଖିବା ନ ରଖିବା ନିଷ୍ପତ୍ତି ଘରୋଇ ସଂସ୍ଥାର। କିନ୍ତୁ ଏଏଆଇ କର୍ମଚାରୀଙ୍କୁ ଯଦି ଘରୋଇ ସଂସ୍ଥା ରଖେ, ତେବେ ସର୍ବନିମ୍ନ ୩ବର୍ଷ ପର୍ଯ୍ୟନ୍ତ ଏଏଆଇ ଦେଉଥିବା ବେତନ ଦେବ। ଏହାପରେ ସେ କର୍ମଚାରୀ ବଦଳାଇ ପାରିବ। କିନ୍ତୁ କୌଣସି ଏଏଆଇ କର୍ମଚାରୀଙ୍କର ଚାକିରି ଛଟେଇ ହେବନି। ବିମାନବନ୍ଦର ନିର୍ଦ୍ଦେଶକଙ୍କଠାରୁ ପିଅନ ପର୍ଯ୍ୟନ୍ତ ସମସ୍ତଙ୍କୁ ଘରୋଇ ସଂସ୍ଥା ତା’ ଇଚ୍ଛା ଅନୁଯାୟୀ ନିଯୁକ୍ତି ଦେବ।