ଏୟାରପୋର୍ଟ କୋଠା ଭୁଶୁଡ଼ିବା ମାମଲା: ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ଦିଲୀପ କନ୍‌ଷ୍ଟ୍ରକସନ୍‌ ମାଲିକ ସମେତ ଗିରଫ ୪ ଅଭିଯୁକ୍ତଙ୍କର ଜାମିନ୍‌ ଆବଦେନ ଖାରଜ ହୋଇଛି। ଆଜି ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟରେ ଏହି ଅଭିଯୁକ୍ତମାନଙ୍କର ଜାମିନ୍‌ ଆବେଦନ ଶୁଣାଣି ହୋଇଥିଲା। ଅଭିଯୁକ୍ତଙ୍କ ଆବେଦନ ଓ ସରକାରୀ ଓକିଲଙ୍କ ଉପସ୍ଥାପନକୁ ଆଧାର କରି ଅତିରିକ୍ତ ଜିଲ୍ଲା ଜଜ୍‌ ଏହି ରାୟ ଦେଇଥିଲେ। ଏଣୁ ଅଭିଯୁକ୍ତମାନଙ୍କର ଆଜି ମୁକୁଳିବାକୁ ଯେଉଁ ଆଶା ଥିଲା ତାହା ମଉଳି ଯାଇଛି।

ସୂଚନା ମୁତାବକ, ଏୟାରପୋର୍ଟରେ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ପରେ ଛାତ ତଳେ ଚାପି ହୋଇ ଜଣେ ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କର ଜୀବନ ଚାଲି ଯାଇଥିଲା। ମୃତକଙ୍କ ଭାଇ ନିରାକାର ଗୁରୁଙ୍କ ଅଭିଯୋଗକ୍ରମେ ଏୟାରପୋର୍ଟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କମିସନରେଟ୍‌ ପୁଲିସ ଠିକାସଂସ୍ଥାର ଚରମ ଅବହେଳାକୁ ଦାୟୀ କରି ଦିଲ୍ଲୀପ କନଷ୍ଟ୍ରକସନ୍‌ର ମାଲିକ ଦିଲୀପ ଖଟେଇଙ୍କ ସହ ଦିଲ୍ଲୀପ କନ୍‌ଷ୍ଟ୍ରକସନ୍‌ର ସାଇଟ୍‌ ଇଞ୍ଜିନିୟର ଅଭିଳାଷ ସରକାର, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଯୁଗ୍ମ ପରିଚାଳକ ଗୌତମ ରାଏ ଓ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ସହକାରୀ ସାଧାରଣ ପରିଚାଳକ ଆଶିଷ ସରକାରଙ୍କୁ ଗିରଫ କରିଥିଲା। ଗିରଫ ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତ୍‌କୁ ଯିବା ପାଇଁ କୋର୍ଟ ଆଦେଶ ଦେଇଥିଲେ। ଅଭିଯୁକ୍ତମାନେ ଜେଲ୍‌ ଯିବା ପରେ ଜାମିନ୍‌ ପାଇଁ ଆବେଦନ କରିଥିଲେ। ଆଜି ଏହି ଆବେଦନର ଶୁଣାଣି ହୋଇଥିଲା।

ସମ୍ବନ୍ଧିତ ଖବର