ସରିଲା ଭୁବନେଶ୍ବର ବାଲିଯାତ୍ରା

ଭୁବନେଶ୍ବର : ଶେଷ ହୋଇଛି ଭୁବନେଶ୍ବର ବାଲିଯାତ୍ରା। ଲୋକଙ୍କ ଆଗମନ ଓ ଉତ୍ସାହକୁ ଦୃଷ୍ଟିରେ ରଖି ତୃତୀୟ ବର୍ଷରେ ପଦାର୍ପଣ କରିଥିବା ଜରିପାଟଣାସ୍ଥିତ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ହେଉଥିବା ଭୁବନେଶ୍ବର ବାଲିଯାତ୍ରା ଏଥର ଲମ୍ବା ସମୟ ଧରି ହୋଇଥିଲା। ବିଗତ ୨ ବର୍ଷ ଅପେକ୍ଷା ଏଥର ଅଧିକ ଷ୍ଟଲ୍‌ ଖୋଲିଥିଲା। ୨୫୦ ଷ୍ଟଲ୍‌ରେ ପାରମ୍ପରିକ ଘରକରଣା ସାଙ୍ଗକୁ ଖାଦ୍ୟର ଷ୍ଟଲ୍‌ରେ ବିକ୍ରିବଟା ଜମିଥିଲା। ‌୯ ଦିନରେ ପ୍ରାୟ ୧୦ କୋଟି ଟଙ୍କାର ବିକ୍ରି ହୋଇଥିବା ଅନୁମାନ କରାଯାଉଥିବା ବେଳେ ବେପାରୀମାନେ ମଧ୍ୟ ଏଥର ବ୍ୟବସାୟକୁ ନେଇ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯଦିଓ ଟିକେ ମାନ୍ଦା ପଡ଼ିଥିଲା, ମାତ୍ର ଶେଷ ପର୍ଯ୍ୟାୟରେ ବିକ୍ରିବଟା ‌ଧୁମ୍‌ ହୋଇଥିଲା। ଶନିବାର ଓ ରବିବାର ଭଳି ଆଜି ଶେଷ ଦିନରେ ମଧ୍ୟ ବ୍ୟାପକ ସମାଗମ ହୋଇଥିଲା। ସନ୍ଧ୍ୟାରୁ କିଣାବିକା ସହ ରାତି ୧୦ଟା ବେଳକୁ ଖାଦ୍ୟ ପ୍ରାୟ ଶେଷ ହୋଇ ଆସିଥିଲା। ଆଜି ଶେଷ ଦିନରେ ସାଂସ୍କୃତିକ ମଞ୍ଚରେ ବାଲିଯାତ୍ରା କମିଟିର ସଭାପତି ତଥା ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ମଞ୍ଚରେ ସମାଜସେବା, ବରିଷ୍ଠ ନାଗରିକ ଓ କୃତୀ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ ମଞ୍ଚରେ ପରିବେଷିତ ଓଡ଼ିଶୀ ଓ ଆଧୁନିକ ନୃତ୍ୟର ମଜା ଉଠାଇଥିଲେ ଦର୍ଶକ। ଦର୍ଶକ ଫେରିବା ବେଳେ କିଛି ନା କିଛି ଜିନିଷ କିଣି ଫେରୁଥିଲେ। ଯେମିତି ଏ ବର୍ଷର ବାଲିଯାତ୍ରାର ସନ୍ତକକୁ ଘରକୁ ନେଇ ଫେରୁଥିଲେ।

ସମ୍ବନ୍ଧିତ ଖବର