ଭୁବନେଶ୍ବର : ଐତିହାସିକ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ଏଥର ବି ଜମିବ ଭୁବନେଶ୍ବର ବାଲିଯାତ୍ରା। ଏଇ ମାତ୍ର ୩ ବର୍ଷ ତଳେ ଆରମ୍ଭ ହୋଇଥିଲେ ହେଁ, ଏହା ସଫଳତାର ଶୀର୍ଷରେ ପହଞ୍ଚିଛି। ୨୦୧୭ରେ ମାତ୍ର ୩୦ଟି ଷ୍ଟଲ୍ରୁ ଏହାର ପରିକଳ୍ପନା ହୋଇଥିବା ବେଳେ ୨୦୧୮ରେ ୩୦୦ ଷ୍ଟଲ୍ ଲାଗିଥିଲା। ତେବେ ପୂର୍ବ ବର୍ଷ ହଜାର ହଜାର ଲୋକଙ୍କ ସମାଗମ ଓ ବ୍ୟବସାୟୀଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୫ଶହ ଷ୍ଟଲ୍ ଖୋଲିବାକୁ ଯାଉଛି। ରାଜ୍ୟର ବିଭିନ୍ନ କୋଣରୁ ବ୍ୟବସାୟୀମାନେ ଷ୍ଟଲ୍ ନେବାକୁ ଭିଡ଼ ଜମାଉଥିବା ବେଳେ ଏପର୍ଯ୍ୟନ୍ତ ୨୫୦ ଷ୍ଟଲ୍ ବୁକିଂ ସରିଲାଣି।
ଭୁବନେଶ୍ବର ବାଲିଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ବାଲିଯାତ୍ରା ଏଥର ଅଧିକ ଆଡ଼ମ୍ବରପୂର୍ଣ୍ଣ ହେବାକୁ ଯାଉଛି। ପିଲାଙ୍କ ପାଇଁ ଆକର୍ଷଣୀୟ ରାମଦୋଳି ଓ ଚକ୍ରି ଆଦିର ବନ୍ଦୋବସ୍ତ ରହିଛି। ବୁଲାବୁଲି କରି ଫେରିବା ବେଳେ ସ୍ବାଦିଷ୍ଟ ଖାଦ୍ୟର ସ୍ବାଦ ନେବାକୁ ୧୦୦ଟି ଖାଦ୍ୟ ଷ୍ଟଲ୍ ଖୋଲିବାକୁ ଯାଉଛି। ଦର୍ଶକଙ୍କ ମନୋରଂଜନ ପାଇଁ ୩ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପ୍ରତିଦିନ ୧୦ ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପୂର୍ବ ବର୍ଷ କମିଟିର ସଭାପତି ଭାବେ ଦାୟିତ୍ବ ତୁଲାଇଥିବା ବେଳେ ଏଥର ବିଧାୟକ ସୁଶାନ୍ତ ରାଉତ ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।
ଷ୍ଟଲ୍ ପିଛା ୮ଦିନକୁ ୬ହଜାର
ବାଲିଯାତ୍ରା ପରିସରରେ ପ୍ରତି ଷ୍ଟଲ୍ ପିଛା ଏକ ନିର୍ଦିଷ୍ଟ ଦର ସ୍ଥିର ହୋଇଛି। ୧୦୦ ବର୍ଗଫୁଟର ଷ୍ଟଲ୍ ୮ଦିନ ପାଇଁ ୬ ହଜାର ଟଙ୍କାରେ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଯେଉଁମାନେ ଡିଲକ୍ସ ଓ ସେମି ଡିଲକ୍ସ ଢାଞ୍ଚାରେ ଷ୍ଟଲ୍ ଚାହିଁବେ ସେଇ ଶୈଳୀରେ ମଧ୍ୟ ଅଧିକ ଦର ଦେଇ ପ୍ରସ୍ତୁତ କରିବା ପାଇଁ ଆଗରୁ କହିପାରିବେ ବୋଲି ଭୁବନେଶ୍ବର ବାଲିଯାତ୍ରା କମିଟିର ପୂର୍ବତନ ସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ଅଭୟ ବଡ଼ଜେନା କହିଛନ୍ତି। ଚଳିତ ବର୍ଷ ଷ୍ଟଲ୍ ସଂଖ୍ୟା ୫ଶହକୁ ବୃଦ୍ଧି ପାଇଥିବାରୁ ବିଦ୍ୟୁତ ଯୋଗାଣ ପାଇଁ ୪୦ଟି ବିଦ୍ୟୁତ ଖୁଣ୍ଟ ସହ ସ୍ବତନ୍ତ୍ର ଟ୍ରାନ୍ସଫର୍ମର ଲଗାଯାଉଛି। ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏହି ବ୍ୟବସ୍ଥା ପାଇଁ ସହଯୋଗ ଯୋଗାଇ ଦେଇଛନ୍ତି।
ନିରାପତ୍ତା ପାଇଁ ଶାନ୍ତି ସୁରକ୍ଷା ବାହିନୀ
ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ବାଲିଯାତ୍ରା କମିଟି ପକ୍ଷରୁ ୨ଶହ ସ୍ବେଚ୍ଛାସେବୀଙ୍କୁ ନେଇ ଶାନ୍ତି ସୁରକ୍ଷା ବାହିନୀ ଗଠନ କରାଯାଇଛି ବୋଲି କାର୍ଯ୍ୟକାରୀ ସଭାପତି ଜୀବନ କୁମାର ବଡ଼ୁ କହିଛନ୍ତି। ଏଥିସହ ଆବଶ୍ୟକୀୟ ପୁଲିସ୍ଙ୍କୁ ମୁତୟନ କରାଯିବ। ସୁରକ୍ଷା ଉପରେ ନଜର ରଖିବା ପାଇଁ ୩୦ଟି ସିସିଟିଭି କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯିବା ସହ ଅଗ୍ନିଶମ ବାହିନୀ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସେବା ପାଇଁ ରେଡ୍କ୍ରସ ସେବା ଯୋଗାଇ ଦେବ। ପଲିଥିନ୍ ମୁକ୍ତ କରିବା ପାଇଁ ସମସ୍ତ ବ୍ୟବସାୟୀଙ୍କୁ ନିର୍ଦେଶ ଦିଆଯାଇଛି। ଯେପରି ଏଠାକୁ ଆସୁଥିବା ଲୋକେ ଗୁଣମାନର ଖାଦ୍ୟ ପାଇବେ ତା’ ଉପରେ ମଧ୍ୟ କଡ଼ା ନଜର ରଖାଯିବ ବୋଲି ସମ୍ପାଦକ ତପନ କୁମାର ବଳିଆରସିଂହ ସୂଚନା ଦେଇଛନ୍ତି।