ବାରଙ୍ଗ: ପାଖେଇ ଆସୁଛି, ଭୁବନେଶ୍ୱର  ବାଲିଯାତ୍ରା ମହୋତ୍ସବ। ଏଥିପାଇଁ କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ନିର୍ମିତ ଅସ୍ଥାୟୀ କାର୍ଯ୍ୟାଳୟକୁ କମିଟିର ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ବାଲିଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା, ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ତପନ କୁମାର ଦାଶ, ବୀରେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।  

Advertisment

ଚଳିତ ବର୍ଷ ରାଜଧାନୀର ଏହି ବାଲିଯାତ୍ରା ମହୋତ୍ସବ ଆସନ୍ତା ୫ ତାରିଖରୁ ଆରମ୍ଭ ହେବ। ୧୪ ତାରିଖ ପର୍ଯ୍ୟନ୍ତ ଏଠାରେ ବଣିଜ ବେପାର ଜମିବ। ଭୁବନେଶ୍ବର ବାଲିଯାତ୍ରାର ଲୋକପ୍ରିୟତା ଯେଭଳି ବଢ଼ିଚାଲିଛି ତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଷ୍ଟଲ୍‌ ସଂଖ୍ୟା ଦେଢ଼ ହଜାରରୁ ଅଧିକ କରିବାକୁ ଯୋଜନା ରହିଛି। ପ୍ରତିବର୍ଷ ଭଳି ଏଥର ଦର୍ଶକଙ୍କ ମନୋରଞ୍ଜନ ଲାଗି ଓଲିଉଡ୍‌ ଓ ବଲିଉଡ୍‌ କାଳାକାରଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ରଖାଯାଇଛି। ଏଥି ସହିତ ପିଲାମାନଙ୍କ ପାଇଁ ବିଭିନ୍ନ ଝୁଲା ଦୋଳିଠାରୁ ଆରମ୍ଭ କରି ବିଭିନ୍ନ ଦୋଳି ଖେଳର ବ୍ୟବସ୍ଥା କରାଯାଇଛି। ଓଡ଼ିଶୀ, ଲୋକକଳା ଓ ଲୋକନୃତ୍ୟକୁ ପ୍ରୋତ୍ସାହିତ କରିବା ଲାଗି ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭିଡ଼ ପରିଚାଳନାକୁ ଦୃଷ୍ଟିରେ ରଖି ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଗାଡି ପାକିଂ ପାଇଁ ଜାଗା ସ୍ଥିର ହୋଇ ସାରିଥିବା ବେଳେ ଦର୍ଶକଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଥିମଧ୍ୟରେ ବାଲିଯାତ୍ରା ପଡ଼ିଆରେ ୱାଚ୍‌ଟାୱାର୍‌ କରାଯାଇଛି। ଏହା ସହିତ ଅଧିକ ସିସି କ୍ୟାମେରା ଲଗାଇ ଚବିଶ ଘଣ୍ଟିଆ ନିରୀକ୍ଷଣର ବ୍ୟବସ୍ଥା କରାଯିବ। କମିଟିର ସଦସ୍ୟମାନେ ମଧ୍ୟ ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିବେ। ଅପରାଧ ନିୟନ୍ତ୍ରଣ ଲାଗି କମିସନରେଟ ପୁଲିସର ସହାୟତା ଲୋଡ଼ାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ଲାଗି ଟ୍ରାଫିକ୍ ପୁଲିସ ମଧ୍ୟ ସହଯୋଗ କରିବେ। ଦୁର୍ଘଟଣାର ମୁକାବିଲା ଲାଗି ଅଗ୍ନିଶମ ବାହିନୀ ଓ ଆହତ ଜନିତ ସମସ୍ୟା ଲାଗି ଡାକ୍ତରୀ ଦଳ ସଜାଗ ରହିବେ। ସଫେଇ କାର୍ଯ୍ୟ ପାଇଁ ଭୁବନେଶ୍ୱର ମହାନଗର ନିମଗର ସହଯୋଗ ଲୋଡ଼ାଯାଇଥିବା ବାଲିଯାତ୍ରା ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ଓ କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା ସୂଚନା ଦେଇଛନ୍ତି। 

ଆଜି କାର୍ଯ୍ୟାଳୟ ଉଦ୍‌ଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆ, ମୋନାଲିସା ବେହେରା, ମିହିର ରାଉତ, ଅଶୋକ ପାତ୍ର, ତପନ ବଳିଆରସିଂହ, ଅନୁପ ଖୁଣ୍ଟିଆ, ବିନୋଦ ସାହୁ, ଲଛମନ ରାଉତ, ପ୍ରଦୀପ ପରିଡ଼ା, ଅନ୍ନପୂର୍ଣ୍ଣା ମିଶ୍ର, କୃଷ୍ଣପ୍ରିୟା ମିଶ୍ର, ସନ୍ତୋଷ କୁମାର ନାଥ, ନିର୍ମଳ ରାଉତ, ନବକିଶୋର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।