ବାରଙ୍ଗ: ସୋମବାର ଛୁଟି ଦିନ ନ ଥିଲେ ମଧ୍ୟ ଭୁବନେଶ୍ବର ବାଲିଯାତ୍ରାରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଛି। ମଞ୍ଚଠାରୁ ଅରମ୍ଭ କରି ଷ୍ଟଲ୍‌ ପର୍ଯ୍ୟନ୍ତ, ସବୁଠି ଗ୍ରାହକଙ୍କ ଗହଳି ଚହଳି। ବରିମୁଣ୍ଡସ୍ଥିତ ଐତିହାସିକ ପଟିଆବନ୍ଧ ପାର୍ଶ୍ବ କୁଆଖାଇ ନଦୀ ପଠାର ବାଲିରେ ଆୟୋଜିତ ଏହି ବାଲିଯାତ୍ରାର ଅନୁଭବ ନେବା ପାଇଁ କାହିଁ କେତେ ଦୂରରୁ ଲୋକଙ୍କ ଆଗମନ ହେଉଛି। ସଞ୍ଜ ନଇଁବା ବେଳକୁ ଲୋକାରଣ୍ୟ ହୋଇଯାଉଛି ମେଳା ପରିସର। ଆଉ ରାତି ୧୦ଟା ନବାଜୁଣୁ ସରିଯାଉଛି ଖାଦ୍ୟ। ସନ୍ଧ୍ୟାଠାରୁ ରାତି ଯାଏ ବାଲିଯାତ୍ରାରେ ପାଦ ପକାଇବା ସହଜ ହେଉ ନାହିଁ। ଯୁଆଡ଼େ ଚାହିଁଲେ କେବଳ ମୁଣ୍ଡ ମାଳ ଦେଖିବାକୁ ମିଳିଥିଲା। ମହୋତ୍ସବର ଆଜି ୬ଷ୍ଠ ସନ୍ଧ୍ୟା ହୋଇଥିଲେ ମଧ୍ୟ ଖାଦ୍ୟ ପାନୀୟଠାରୁ ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ ସବୁଠି ଗ୍ରାହକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା।

Advertisment

କେବଳ ସେତିକି ନୁହେଁ, ସନ୍ଧ୍ୟାର ଆକର୍ଷଣ ପାଲଟିଛି ଦୁଇଟି ମଞ୍ଚ। ଗୋଟିଏରେ ପାରମ୍ପରିକ ନାଚଗୀତ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟଟିରେ ଓଡ଼ିଶାର ନାମକରା କଣ୍ଠଶିଳ୍ପୀଙ୍କ ଜାଦୁ ଦର୍ଶକଙ୍କୁ ବନ୍ଧି ରଖିବାରେ ସମର୍ଥ ହେଉଛି। ୫ ଦିନ ପରି ଆଜି ମଧ୍ୟ ପ୍ରଥମ ମଞ୍ଚରେ ଓଡ଼ିଶୀ ଲୋକକଳା ନୃତ୍ୟ ଦର୍ଶକଙ୍କ ମନ ଜିଣିଛି। ‘ଜମୁନା ଯିବାକୁ ମନା...’, ‘କାହ୍ନାରେ କାହ୍ନା...’, ‘ଝୁଲ୍‌ରେ କହ୍ନେଇ...’ ପରି ଗୀତର ତାଳେ ତାଳେ ଲୋକ କଳାକାରଙ୍କ ନୃତ୍ୟ ଦର୍ଶକଙ୍କୁ ଘଡ଼ିଏ ସମୟ ଅଟକାଇ ଦେଇଥିଲା। ଦ୍ୱିତୀୟ ମଞ୍ଚରେ ସଙ୍ଗୀତର ଯାଦୁ ଖେଳାଇଥିଲେ ସୁନାମଧନ୍ୟା କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ। ଗୋଟିଏ ପରେ ଗୋଟିଏ ରୋମାଣ୍ଟିକ ସଙ୍ଗୀତ ପରିବେଷଣ କରିଥିଲେ। ‘ଅଭିମାନିନୀ ଅମାନିଆ ଢେଉ...’ରୁ ଆରମ୍ଭ ହୋଇଥିବା ତାଙ୍କ ସଙ୍ଗୀତର ଯାତ୍ରା ‘ହାଏ ତୋ ପ୍ରେମ...’, ‘ତୁ ଥରେ ମତେ କହିଦେ ଆଇ ଲଭ ୟୁ...’ ପରି ସଙ୍ଗୀତ ଦର୍ଶକଙ୍କ ମନ ଜିଣିଥିଲା। ମଞ୍ଚ ନିକଟରେ ବାଲୁକା ଶିଳ୍ପୀ ଯଶୋବନ୍ତ ବେହେରାଙ୍କ ‘କାନ୍ଦୁଛି ଜନନୀ’ ଦେଶାତ୍ମବୋଧ ପ୍ରତିକୃତି ଦେଖିବାକୁ ଆସୁଥିବା ଦର୍ଶକଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗ୍ରତ କରିଛି। ବହୁ ଦର୍ଶକ ସେଲଫି ନେଉଛନ୍ତି।

ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ବାଚସ୍ପତି ସୁରମା ପାଢୀ, ସମ୍ମାନିତ ଅତିଥି ଭାବେ ଆଇନ ତଥା ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ପଦ୍ମଶ୍ରୀ ଅଦୈତ ଗଡ଼ନାୟକ, ସୂର୍ଯ୍ୟକାନ୍ତ ରଥ, ବରିଷ୍ଠ ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର, ଜୀବନ କୁମର ବଡୁ, ଅଭୟ କୁମାର ବଡ଼ଜେନା, ଅନ୍ନପୂର୍ଣ୍ଣା ମିଶ୍ର, ଅଶୋକ ପାତ୍ର, ନିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବାଲିଯାତ୍ରା କମିଟିର ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ନେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା ପରିଚାଳନା କରିଥିଲେ। 

ଘରକରଣାରେ ଗୃହିଣୀଙ୍କ ମନ
ଗୋଟେ ପାର୍ଶ୍ବରେ ନୃତ୍ୟ ଗୀତର ଏହି ମନୋରଂଜନ ସାଙ୍ଗକୁ ଅନ୍ୟ ପାର୍ଶ୍ବରେ ରାମଦୋଳି ଓ ଚକ୍ରିରେ ବୁଲି ମଜା ନେବାକୁ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଥିଲା। ଏପରିକି ବିକ୍ରି ଲବ୍ଧ ଜିନିଷର କିଣାବିକା ମଧ୍ୟ ଧୁମ୍‌ ହେଉଛି। ବିଶେଷକରି ପ୍ରତ୍ୟେକଙ୍କ ହାତରେ ଫେରିବା ବେଳେ ଘରକରଣା ଜିନିଷ ନିହାତି ଦେଖିବାକୁ ମିଳୁଛି। ଏହି ଜିନିଷଗୁଡ଼ିକରେ ଆଖପାଖରେ ଉପଲବ୍ଧ ‌ହେଉନାହିଁ ସେକଥା ନୁହେଁ, କିନ୍ତୁ ବୁଲିବା ବାହାନାରେ ପଡ଼ିଥିବା ଏହି ମେଳାରୁ ଜିନିଷଟିଏ ଘର ପାଇଁ କିଣି ନେଇ ତାକୁ ବାଲିଯାତ୍ରାର ସନ୍ତକ ଭାବେ ଘରେ ବ୍ୟବହାର କରିବାର ମନୋବୃତ୍ତି ହିଁ ଏହି ଅସ୍ଥାୟୀ ବାଣିଜ୍ୟ ମେଳାକୁ ସରଗରମ କରୁଛି।

ଜମୁଛି କିଣାବିକା
ଏକ ହଜାରରୁ ଅଧିକ ଷ୍ଟଲରେ ସମସ୍ତ ପ୍ରକାର ସାମଗ୍ରୀ ଉପଲବ୍ଧ ହେଉଛି। ସୁସଜ୍ଜିତ ଷ୍ଟଲଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଭଳିକି ଭଳି ସାମଗ୍ରୀ ଖଞ୍ଜି ରଖିଛନ୍ତି। ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଥିବାରୁ ବେପାର ମଧ୍ୟ ଭଲ ଜମୁଛି। ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ସହ ଗୃହୋପକରଣ ସାମଗ୍ରୀ, ଖେଳଣା, ମାଟିପାତ୍ର, ରାଜ୍ୟ ସରକାରଙ୍କ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ସାମଗ୍ରୀ, ପୋଷାକ, ସମ୍ବଲପୁରୀ ଶାଢ଼ି ଆଦି ନାନାଦି ଜିନିଷ ଥିବା ଷ୍ଟଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବ୍ୟବସାୟୀମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରୁଥିବା କହିଛନ୍ତି।