ଭୁବନେଶ୍ୱର ଓକିଲ ସଂଘ ଦୁଇ ଭାଗ

ୟୁଜର୍ସ ଫି’କୁ ନେଇ ଆଇନଜୀବୀଙ୍କ ଅସନ୍ତୋଷ ତେଜିଲା

ବନ ମହାନ୍ତି ନୂଆ କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର : ଆଇନଜୀବୀମାନଙ୍କଠାରୁ ୟୁଜର୍ସ ଫି’ ଆଦାୟକୁ ନେଇ ଭୁବନେଶ୍ୱର ଓକିଲ ସଂଘ ଦୁଇ ଭାଗ ହୋଇ ଯାଇଛି। ଏକାଧିକ ଆଇନ୍‌ଜୀବୀ ୩ ଦିନ ତଳେ ସଂଘର ଏଭଳି ନିଷ୍ପତ୍ତିକୁ ବିରୋଧ କରି ଏକ ଜରୁରୀ ବୈଠକ ଡକାଇଥିଲେ। ବୈଠକରେ ଭୁବନେଶ୍ୱର ବାର ଆସୋସିଏସନ୍‌କୁ ଭାଙ୍ଗି ଦିଆଯିବା ସହିତ ଅସ୍ଥାୟୀ କାର୍ଯ୍ୟକାରୀ ସଭାପତିି ଭାବେ ବରିଷ୍ଠ ଆଇନଜୀବୀ ମନ ମହାନ୍ତିଙ୍କୁ ମନୋନୀତ କରାଯାଇଛି। ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଶ୍ରୀ ମହାନ୍ତି ଦାୟିତ୍ୱରେ ରହିବେ।

ଆଜି ପାନ୍ଥ ନିବାସରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ଶ୍ରୀ ମହାନ୍ତି କହିଛନ୍ତି, ଦୀର୍ଘ ୪ ବର୍ଷ ଧରି ଧରି ୟୁଜର୍ସ ଆଦାୟକୁ ନେଇ ଆଇନଜୀବୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଗତ କିଛି ଦିନ ତଳେ ଭୁବନେଶ୍ୱର କୋର୍ଟରେ କାର୍ଯ୍ୟରତ ପାଖାପାଖି ୫ଶହ ଓକିଲ ଏନେଇ ଆଲୋଚନା କରିବାକୁ ଭୁବନେଶ୍ୱର ଓକିଲ ସଂଘର ସମ୍ପାଦକଙ୍କୁ ଦସ୍ତଖତ ମାଧ୍ୟମରେ ପତ୍ର ଲେଖିଥିଲେ। କିନ୍ତୁ ସଂଘ ସମ୍ପାଦକ କିମ୍ବା ଅନ୍ୟ କୌଣସି ସଦସ୍ୟ ଆଲୋଚନାକୁ ଆସି ନ ଥିଲେ। ଫଳରେ ଚଳିତ ମାସ ୧୨ ତାରିଖରେ ଏ ନେଇ ବୈଠକ ବସିଥିଲା। ଏଥିରେ ସର୍ବ ସମ୍ମତିକ୍ରମେ ସଂଘକୁ ଭାଙ୍ଗି ଦିଆଯାଇଥିଲା। ଏହା ଛଡ଼ା ସମସ୍ତ ସଦସ୍ୟମାନଙ୍କଠାରୁ ୟୁଜର୍ସ ଫି’ ଉଚ୍ଛେଦ କରାଯିବା ସହିତ ଆଗାମୀ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛତା ଆଣିବା ସହିତ ର୍ନିଭୁଲ ଭୋଟର ତାଲିକା ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଥିଲା। ଆସନ୍ତା ୨୦୧୮-୧୯ ସଂଘ ନିର୍ବାଚନକୁ ପରିଚାଳନା କରିବାକୁ ଆଇନଜୀବୀ ନନ୍ଦନନ୍ଦନ ଶତପଥୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଆଇନଜୀବୀ ଜୀମୂତଚରଣ ପଟ୍ଟନାୟକ, ଆଇନଜୀବୀ ଦୀପକ ନରେନ୍ଦ୍ରଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାର, ଖୋର୍ଧା ଜିଲ୍ଲା ଦୌରାଜଜ୍‌, ଭୁବନେଶ୍ୱର ସିଭିଲ କୋର୍ଟ, ଏଡିଏମ୍‌ ଭୁବନେଶ୍ୱର, ରାଜ୍ୟ ବାର କାଉନସିଲ ସମ୍ପାଦକ ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀଙ୍କୁ ଅବଗତ କରାଇ ଦିଆଯାଇଛି ବୋଲି ଆଇନଜୀବୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ମିତ୍ରଭାନୁ ଶତପଥୀ, ଜୟନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଆଇନଜୀବୀମାନଙ୍କ ଏଭଳି ନିଷ୍ପତ୍ତି ସମ୍ପର୍କରେ ଭୁବନେଶ୍ୱର ବାର ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ତାପସ ଦାସଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, ମାତ୍ର ଏହା ସମ୍ଭବ ହୋଇ ପାରି ନ ଥିଲା।

ସମ୍ବନ୍ଧିତ ଖବର