ଉଜୁଡ଼ିଗଲାଣି ସବୁଜିମା

ଭୁବନେଶ୍ବର : ଶୁଖିଗଲାଣି ଆଳଙ୍କାରିକ ସବୁଜିମା। ଉଜୁଡ଼ିଗଲାଣି ସହରର ପ୍ରମୁଖ ଛକର ଶୋଭାରାଜି। ଦିନେ ଖିଲିଖିଲି ହସୁଥିବା ଗଛ ଆଜି ଋଗ୍‌ଣ ପ୍ରାୟ। ଆବଶ୍ୟକୀୟ ପାଣି ନପାଇ ତ୍ରାହି ତ୍ରାହି ଡାକିଲେଣି ଗଛଲତା। ଅଥଚ ନିର୍ବାଚନ ମନସ୍କ ନେତା କି ପ୍ରଶାସକଙ୍କୁ ଏହା ଦେଖାଯାଉନାହିଁ। ଫଳରେ ସବୁଜିମା ମରିଯିବାକୁ ବସିଛି। ରାଜଧାନୀର ନାଭିକେନ୍ଦ୍ର ମାଷ୍ଟରକ୍ୟାଣ୍ଟିନ୍‌ ଛକ ଏବଂ ଜୟଦେବ ବିହାର ଛକର ସାଂପ୍ରତିକ ଚିତ୍ରରୁ ଏହା ଜଳଜଳ ବାରି ହେଲାଣି।

ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଅଶ୍ବ ପ୍ରତିମୂର୍ତି ରାଜଧାନୀର ପ୍ରମୁଖ ଲ୍ୟାଣ୍ଡ୍‌ମାର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ପରିପାର୍ଶ୍ବକୁ ଘେରି ୫୦ରୁ ଅଧିକ ଆଳଙ୍କରିକ ଗଛ ସହ ବହୁ ଛୋଟଛୋଟ ଗଛ ରହିଛି। ମାତ୍ର ସେଥିମଧ୍ୟରୁ କିଛି ଗଛ ପାଣି ଅଭାବରୁ ଶୁଖିଯାଇଛି। ପତ୍ରଗୁଡ଼ିକ ଶୁଖି ପରିସରରେ ଜମା ହୋଇ ବିକୃତ କରୁଛି। କେବଳ ସେତିକି ନୁହେଁ, ଏହି ପରିସରରେ କିଛି ଆଳଙ୍କାରିକ ଗଛ ଚତୁଃପାର୍ଶ୍ବରେ ଦଳୀୟ ପ୍ରଚାର ପତାକା ଜମା ହୋଇ ରହିଛି। ଫଳରେ ଏହା ଅଶୋଭନୀୟ ଦେଖାଯାଉଛି।

ଜୟଦେବ ବିହାର ଛକରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଯେଉଁଠି ବର୍ଜ୍ୟବସ୍ତୁକୁ ନେଇ ନିର୍ମିତ ହୋଇଥିବା ଇ-ରାବଣ ଦିନେ ଶୋଭାବର୍ଧନ କରୁଥିଲା, ଏବେ ସେଠି ଇ-ରାବଣ ତ ନାହିଁ ବରଂ ତାହା ଏକ କ୍ଷୁଦ୍ର ଉଜୁଡ଼ା ଉଦ୍ୟାନ ଭଳି ଦେଖାଯାଉଛି। ଚତୁଃପାର୍ଶ୍ବରେ ଥିବା ଆଳଙ୍କରିକ ଗଛ ଶୁଖି ଗଲାଣି। ସ୍ଥିତି ଦେଖି ଲାଗୁଛି ଯେ, ଅନେକ ଦିନ ଧରି ଗଛରେ ପାଣି ଦିଆଯାଇନାହିଁ। ଏନେଇ ପରିବେଶବିତ୍‌ ପ୍ରକାଶ ଜେନାଙ୍କ କହିବା ମୁତାବକ, ଏହି ଆଳଙ୍କାରିକ ଗଛ ସପ୍ତାହକୁ ୩ ଦିନ ପାଣି ଆବଶ୍ୟକ କରେ। ପତ୍ର ଉପରେ ମଧ୍ୟ ପାଣି ସିଞ୍ଚନ କରାଯିବା ଆବଶ୍ୟକ। କିନ୍ତୁ ତାହା ହେଉନାହିଁ। ବିଏମ୍‌ସିର ପରିବେଶ ଶାଖା ବିଭାଗ ଏହି ଗଛଗୁଡ଼ିକର ତଦାରଖ କରିବା ଉଚିତ୍‌। ମାତ୍ର ତାହା କରାଯାଉନାହିଁ। ଖାଲି ସେତିକି ନୁହେଁ, ହକି ବିଶ୍ବକପ୍‌ ବେଳେ ସାଜସଜା ପାଇଁ ରାସ୍ତା ମଝିରେ ଡିଭାଇଡର ଉପରେ କୁଣ୍ଡରେ ଯେଉଁ ଗଛଗୁଡ଼ିକ ଲାଗିଥିଲା ସେଥିମଧ୍ୟରୁ କେତେକ ଗଛର ପତ୍ର ମଧ୍ୟ ଶୁଖିଗଲାଣି। କିଛି ସ୍ଥାନରେ କେବଳ ଡାଙ୍ଗ ଅଛି ସିନା ପତ୍ର ନାହିଁ। ସେହିଭଳି ବିଦ୍ୟୁତ ଖୁଣ୍ଟରେ ଝୁଲୁଥିବା ଫୁଲଗଛ ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ।

ସମ୍ବନ୍ଧିତ ଖବର