ଭୁବନେଶ୍ବର: ଭୁବନେଶ୍ୱର ବିଜେଡିରେ ସୃଷ୍ଟି ହୋଇଥିବା ଫାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ଦୁଇ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାର ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ କୁମାର ରାଉତଙ୍କ ନିକଟରେ କାରଣଦର୍ଶାଅ ନୋଟିସ୍‌ର ଉତ୍ତର ରଖିବା ପରେ ଗଣମାଧ୍ୟମ ସମ୍ମୁଖରେ ପୁଣିଥରେ ବର୍ଷିଛନ୍ତି। ନାଁ ନ ନେଇ ଉଭୟ କର୍ପୋରେଟର ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ଜେନାଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ବରରେ ଦଳକୁ କିଏ ଭାଙ୍ଗୁଛି ତାହା ସମସ୍ତଙ୍କୁ ଜଣା ବୋଲି ସେମାନେ କହିଛନ୍ତି।

Advertisment

ସେମାନେ ଆହୁରି କହିଛନ୍ତି, ଆମେ ଦଳର ଶୃଙ୍ଖଳିତ କର୍ମୀ। ମାତ୍ର ଯୁବନେତାଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ ହେଉଛି। ଦୁଇ ଚାରି ବର୍ଷ ହେଲା ମାନସିକ ଯନ୍ତ୍ରଣା ଦିଆଯାଉଛି। ଯେଉଁମାନେ ଆମକୁ ସହଯୋଗ କରୁଛନ୍ତି ସେମାନଙ୍କୁ ମଧ୍ୟ ଅତ୍ୟାଚାର ଦିଆଯାଉଛି। କେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେନେଇ ସମ୍ପୂର୍ଣ୍ଣ ତଥ୍ୟ ସହ ଉତ୍ତର ରଖିଛୁ। ଉତ୍ତର ପାଇବା ପରେ ଶୀର୍ଷ ନେତୃତ୍ବ ଆମକୁ ଦୋଷୀ ସାବ୍ୟସ୍ତ କରିବେ କିମ୍ବା ଅନ୍ୟ କିଏ ଦୋଷୀ ଚିହ୍ନଟ ହେବ ତାହା ସମୟ କହିବ। ଯଦି ଆମକୁ କାରଣ ଦର୍ଶାଅ ନୋଟିସ୍ ଦିଆଗଲା ତେବେ ସମାନ ନ୍ୟାୟରେ ସେମାନଙ୍କୁ ବି ଦଳ କାରଣ ଦର୍ଶାଅ ନୋଟିସ୍ ଜାରି କରୁ। ଆମ ଦୁଇ ଜଣଙ୍କୁ ସେମାନେ ଦଳରୁ ଅଲଗା କରିବାକୁ ଚାହୁଁଛନ୍ତି କହି ଟାର୍ଗେଟ୍ କରିବା ସହ ଦଳର ସଭାପତିଙ୍କୁ ଏ ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଲେଖି ଜଣାଇ ଦିଆଯାଇଥିବା ସେମାନେ କହିଛନ୍ତି।

ବିଧାୟକ ଅନନ୍ତ ନାରାୟଣ ଜେନା ଗଣମାଧ୍ୟମରେ କହିଛନ୍ତି ଯେ କାହାକୁ କାହିଁକି କା‌ରଣଦର୍ଶାଅ ନୋଟିସ ଦିଆଯାଇଥିଲା, ସେ କ’ଣ ଉତ୍ତର ରଖିଲେ ସେ ସବୁ ହାଇକମାଣ୍ଡ ଦେଖିବେ। ବାହାରେ ଫମ୍ପା ମାଠିଆର ଆୱାଜ୍‌ ଶୁଭୁଛି। ସେମାନଙ୍କ ଏହି ଆୱାଜ ବାହାରେ ରହିବ। ଭୁବନେଶ୍ୱର ବିଜେଡିକୁ କେହି ଭାଙ୍ଗିପାରିବେ ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ଭୁବନେଶ୍ବର ସଙ୍ଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି ‌ଯେ ଦଳର ୪ ଜଣ ନେତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ କର୍ପୋରେଟର ଉତ୍ତର ରଖିଛନ୍ତି ଏବଂ ତାହାକୁ ଦଳର ସୁପ୍ରିମଙ୍କ ନିକଟକୁ ପଠାଇ ଦିଆଯାଇଛି। ବାକି ଦୁଇ ନେତାଙ୍କ ଉତ୍ତରକୁ ଅପେକ୍ଷା ରହିଛି। କାହା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ସେ ନିଷ୍ପତ୍ତି ଦଳର ମୁଖିଆ ନେବେ।