ଭୁବନେଶ୍ବର: ଦୀର୍ଘଦିନର ବ୍ୟବଧାନ ପରେ ନବୀନ ନିବାସରେ ଏକାଠି ହୋଇଛନ୍ତି ବିଜେଡିର ଭୁବନେଶ୍ବରିଆ ନେତା। ନବୀନ ନିବାସ ବାରଣ୍ଡାରେ ଠିଆ ଠିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ୧୦ ମିନିଟ୍ର ସାକ୍ଷାତକାରରେ ଭୁବନେଶ୍ବରର ବିକାଶ, ଆଇନଶୃଙ୍ଖଳା ପରିସ୍ଥିତି, ଜନସମ୍ପର୍କ ପଦଯାତ୍ରା ପରି ବିଭିନ୍ନ ବିଷୟରେ ଆଲୋଚନା ହୋଇଛି। ଦଳର ମୁଖିଆଙ୍କୁ ଭେଟି ବିଜେଡି ନେତାମାନେ ଉତ୍ସାହିତ ହେବା ସହ ଆସନ୍ତା ୧୬ ତାରିଖରେ ୫୨ ନମ୍ବର ୱାର୍ଡରେ ଅନୁଷ୍ଠିତ ହେବାକୁ ଥିବା ପଦଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ଭୁବନେଶ୍ବର ସଙ୍ଗଠନିକ ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟଙ୍କ ସହ ଭୁବନେଶ୍ବର ମହାନଗର ନିଗମର ବିଜେଡି କର୍ପୋରେଟରମାନେ ମଧ୍ୟ ସାମିଲ ହୋଇଥିଲେ।
ବିଜେଡି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଏମ୍ସିର କର୍ପୋରେଟରମାନେ ଆଜି ସନ୍ଧ୍ୟାରେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଭେଟି ବିଏମ୍ସି ଅଞ୍ଚଳର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରର ବିକାଶ ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ପାଣ୍ଠି ଯୋଗାଣରେ ଅବହେଳା କରୁଥିବା ବିଷୟରେ ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ବିକାଶ କାମରେ ବାଧା ସୃଷ୍ଟି ହେଉଛି ବୋଲି ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସମସ୍ତ ଅସୁବିଧା ସତ୍ତ୍ବେ ଲୋକଙ୍କ ସେବା ଜାରି ରଖିବାକୁ ବିରୋଧୀ ଦଳ ନେତା ସେମାନଙ୍କୁ ପରାମର୍ଶ ଦେଇଥିଲେ। ଲୋକଙ୍କ ବିକାଶ ଓ କଲ୍ୟାଣ କାମରେ କେବେ ସାଲିସ କରାଯାଇପାରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରିବା ସହ ଏବିଷୟରେ ଦଳ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ବୋଲି କହିଥିଲେ।
ଜଣେ ବିଜେଡି ନେତା କହିଛନ୍ତି ଯେ ସାକ୍ଷାତ ସମୟରେ ଶ୍ରୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଭୁବନେଶ୍ବରର ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲୁ। ଦେଢ଼ ବର୍ଷ ହେଲା ବିଜେପି ସରକାର ଆସିବା ପରେ ସହରର ବିକାଶ ଠପ୍ ହୋଇଯାଇଛି। କୌଣସି ନୂଆ କାମ ହେଉ ନାହିଁ। ବିଜେଡି ସରକାର ସମୟରେ ଯେଉଁ ସବୁ କାର୍ଯ୍ୟ ହାତକୁ ନିଆଯାଇଥିଲା ତାହା ମଧ୍ୟ ବନ୍ଦ ହୋଇଯାଇଛି। ମେଟ୍ରୋ ଭଳି ଯୁଗାନ୍ତକାରୀ ପ୍ରକଳ୍ପକୁ ବନ୍ଦ କରିବାକୁ ସୁଚିନ୍ତିତ ଷଡ଼୍ଯନ୍ତ୍ର ହୋଇଛି। ପୂର୍ବରୁ ହୋଇଥିବା କାମର ବିଲ୍ଗୁଡ଼ିକର ପେମେଣ୍ଟ ହେଉ ନ ଥିବାରୁ ୱାର୍ଡରେ ବିକାଶ କାମ ହୋଇପାରୁ ନ ଥିବା ସମ୍ପର୍କରେ ବିରୋଧୀ ଦଳ ନେତାଙ୍କୁ ଅବଗତ କରାଇଥିଲୁ। ଭୁବନେଶ୍ବରର ଆଇନଶୃଙ୍ଖଳା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/14/untitled-17-2025-10-14-07-38-59.jpg)