ଚୂଡ଼ାନ୍ତ ହୋଇପାରୁନି ଭୁବନେଶ୍ବର ବ୍ଲକ୍‌ ସଂରକ୍ଷଣ: କଳାରାହାଙ୍ଗକୁ ନେଇ କେଁ, ଭୁବନେଶ୍ବର ମହାନଗରରେ ମିଶିବ କଳାରାହାଙ୍ଗ ଗାଁ

୧୧ୱାର୍ଡକୁ ନେଇ ଇଞ୍ଜଣା ହେବ ନୂଆ ପଞ୍ଚାୟତ

ଚନ୍ଦ୍ରଶେଖରପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଞ୍ଚ‌ାୟତ ଓ ପଞ୍ଚାୟତ ସମିତିର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ନିର୍ବାଚନ କମିସନ୍‌ଙ୍କୁ ପ୍ରଦାନ କରିଛନ୍ତି। କିନ୍ତୁ ଦୀପ ତଳ ଅନ୍ଧାର ପରି ଭୁବନେଶ୍ବର ପଞ୍ଚାୟତ ସମିତିର ସଂରକ୍ଷଣ ବ୍ୟବସ୍ଥା ଏ ଯାଏ ଚୂଡ଼ାନ୍ତ ହୋଇପାରି ନାହିଁ। ଫଳରେ ଏହି ପଞ୍ଚ‌ାୟତ ସମିତିର ସଂରକ୍ଷଣ ତାଲିକା ନିର୍ବାଚନ କମିସନ୍‌ଙ୍କ ନିକଟରେ ପହଞ୍ଚି ପାରି ନାହିଁ।
ଭୁବନେଶ୍ବର ବ୍ଲକ ଅଧୀନରେ ୨୦ଟି ପଞ୍ଚାୟତ ରହିଛି। ସେଥିମଧ୍ୟରୁ ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୯ଟି ପଞ୍ଚାୟତ ରହିଥିବା ବେଳେ ଏକାମ୍ରରେ ୬ ଓ ଉତ୍ତର ଭୁବନେଶ୍ବରରେ ୫ଟି ପଞ୍ଚାୟତ ରହିଛି। ଇତିମଧ୍ୟରେ ୧୯ଟି ପଞ୍ଚାୟତର ସଂରକ୍ଷଣ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଯାଇଛି। ମାତ୍ର ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧୀନ କଳାରାହାଙ୍ଗ ପଞ୍ଚା‌ୟତକୁ ନେଇ କେଁ ରହିଥିବାରୁ ପ୍ରକ୍ରିୟା ଆଗେଇ ପାରୁନାହିଁ। ଏଥିପାଇଁ ଖୋର୍ଧା ଜିଲ୍ଲାର ଚୂଡ଼ାନ୍ତ ସଂରକ୍ଷଣ ବିଜ୍ଞପ୍ତି ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇପାରୁନାହିଁ।

ମିଳିଥିବା ସୂଚନା ଅନୁଯାୟୀ, କଳାରାହାଙ୍ଗ ପଞ୍ଚାୟତକୁ ଭାଗ ଭାଗ କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆସରିଛି। ଏହାର ଅର୍ଧାଧିକ ଅଞ୍ଚଳ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ରେ ମିଶିବା ନେଇ ଗତ ମାର୍ଚ୍ଚ ୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହାକୁ ବିଧିବଦ୍ଧ କାର୍ଯ୍ୟକାରୀ କରାଯାଇପାରି ନାହିଁ। ୨୦୨୧ ମାର୍ଚ୍ଚ ୨୪ରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସମ୍ପୃକ୍ତ ଗ୍ରାମ ପଞ୍ଚାୟତର କଳାରାହାଙ୍ଗ ଗ୍ରାମ ବିଏମ୍‌ସିର ଅନ୍ତର୍ଭୁକ୍ତ ହୋଇଛି। ଗତ ଅକ୍ଟୋବର ୨୨ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦେଶକ୍ରମେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତର ଅବଶିଷ୍ଟ ଗ୍ରାମ ଇଞ୍ଜଣାର ୫ଟି ୱାର୍ଡକୁ ୧୧ଟି ୱାର୍ଡରେ ବିଭକ୍ତ କରାଯିବା ପାଇଁ ପ୍ରସ୍ତାବ ରହିଛି। ଏନେଇ ୱାର୍ଡ ୱାରି ଏକ ପ୍ରସ୍ତାବିତ ତାଲିକା ପ୍ରସ୍ତୁତ ସହ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜାରି ହୋଇଥିଲା। ପ୍ରସ୍ତାବ ସମ୍ପର୍କ‌ରେ କୌଣସି ପ୍ରକାର ଆପତ୍ତି, ଅଭିଯୋଗ କିମ୍ବା ପ୍ରସ୍ତାବ ରହିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗ୍ରାମ ପଞ୍ଚାୟତ ବିଭାଗରେ ଅକ୍ଟୋବର ୨୮ ସୁଦ୍ଧା ଜଣାଇବାକୁ ଲୋକଙ୍କୁ କୁହାଯାଇଥିଲା। ୨୯ତାରିଖରେ ଏହା ଉପରେ ଶୁଣାଣି କରାଯିବା ସହ ୱାର୍ଡ ତାଲିକା ଚୂଡ଼ାନ୍ତ ହୋଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। କଳାରାହାଙ୍ଗ ପଞ୍ଚାୟତରୁ କଳାରାହାଙ୍ଗ ଗ୍ରାମ ବାଦ୍‌ ପଡ଼ିଥିବାରୁ ଇଞ୍ଜଣା ନୂଆ ପଞ୍ଚାୟତ ହେବା ଏକପ୍ରକାର ଥୟ। ତେବେ ଏଠାରେ କେଉଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ? କଳାରାହାଙ୍ଗ ପଞ୍ଚାୟତ ପାଇଁ ପୂର୍ବରୁ ଯେଉଁ ସଂରକ୍ଷଣ ପ୍ରସ୍ତାବ ଲାଗୁ ରହିଥିଲା, ତାହା ବଳବତ୍ତର ରହିବ ନା ନୂଆ ସଂରକ୍ଷଣ ବ୍ୟବସ୍ଥା କରାଯିବ। ତାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ ଏ ଦିଗରେ କି ନିଷ୍ପତ୍ତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅପରପକ୍ଷେ ନୂଆ ପଞ୍ଚାୟତର ସଂରକ୍ଷଣ ବ୍ୟବସ୍ଥା କିପରି ରହିବ, ତାହାକୁ ନେଇ ସ୍ଥାନୀୟ ନେତାମାନେ ଦୋଛକିରେ ରହିଛନ୍ତି। ହାତରେ ଆଉ ୪ମାସରୁ କମ୍‌ ସମୟ ରହିଥିବାରୁ ପଞ୍ଚାୟତ ନିର୍ବାଚନ ପାଇଁ କିଭଳି ପ୍ରସ୍ତୁତି କରିବେ, ତାହାକୁ ନେଇ ସେମାନେ ଚିନ୍ତାରେ।

ଖୋର୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲାର ସବୁ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ଓ ସମିତି ସଭ୍ୟ ପଦ ଲାଗି ଚୂଡାନ୍ତ ସଂରକ୍ଷଣ ଚିଠା ପ୍ରସ୍ତୁତି ସରିଛି। ମାତ୍ର କଳାରାହାଙ୍ଗ ପଞ୍ଚା‌ୟତକୁ ନେଇ ସମସ୍ୟା ଦେଖାଦେଇଥିବାରୁ ଭୁବନେଶ୍ବର ପଞ୍ଚାୟତ ସମିତି ପାଇଁ ବିଳମ୍ବ ହେଉଥିଲା। ଯେଉଁ ସମସ୍ୟା ରହିଥିଲା ତାହାକୁ ଦୂର କରାଯାଇଛି। ଖୁବ୍‌ଶୀଘ୍ର ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ତାଲିକା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର