ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗିରହିଛି। ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟର ଗୋଟିଏ ପରେ ଗୋଟିଏ କ୍ୟାମ୍ପସରେ ଛାତ୍ରୀ ଆତ୍ମାହୁତି, ଛାତ୍ର ଅଶାନ୍ତି, ଗଣ୍ଡଗୋଳ, ନିର୍ଯାତନା ପରି ଘଟଣା ସଙ୍ଗଠିତ ହେଉଥିବାରୁ ଛାତ୍ର ସଙ୍ଗଠନଗୁଡ଼ିକ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି। ତିନିଟି ଯାକ ଛାମୁଆ ଛାତ୍ର ସଙ୍ଗଠନ ଦୋଛକି ମଧ୍ୟରେ ଭୁବନେଶ୍ବରରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ପତିଆରା ଜାହିର କରୁଛନ୍ତି। ନିର୍ବାଚନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରୁ ନ ଥିବାରୁ ଅର୍ଥ ଖର୍ଚ୍ଚ କରିବାକୁ କୌଣସି ସଙ୍ଗଠନ ସେତେଟା ଆଗଭର ହେଉନାହାନ୍ତି। ତଥାପି ୧୫ ଦିନ ହେଲା ଭୁବନେଶ୍ବରରେ ଛାତ୍ର ରାଜନୀତି ଉଷ୍ମ ହୋଇଛି।
ବିଜୁ ଛାତ୍ର ଜନତା ଦଳ ଟିକିଏ ଆଗୁଆ ରହିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଅଭିଯୋଗ ଆଣି ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମେତ ବିଜେବି, ମହର୍ଷି, ରାଜଧାନୀ ମହାବିଦ୍ୟାଳୟ କ୍ୟାମ୍ପସରେ ବିଜେଡିର ଛାତ୍ରନେତାମାନେ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରି ଆନ୍ଦୋଳନ କରିଛନ୍ତି। ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଥାନା ଓ ଡିସିପିଙ୍କୁ ଭେଟି ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅଗଷ୍ଟ ୮ରୁ ୧୪ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଖୋଲା ଚିଠି ଲେଖିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଭାଗ ଭାଗ ହୋଇଥିବା ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ଏକାଠି ହେବାର ଦୃଶ୍ୟ ନିଆରା ବାର୍ତ୍ତା ଦେଇଛି। ଡିସିପିଙ୍କୁ ଦାବିପତ୍ର ଦେବାକୁ ଶୋଭାଯାତ୍ରାରେ ଯିବା ସମୟରେ ଛାତ୍ରନେତାମାନେ ଏକାଠି ହୋଇଥିଲେ। ଅନୁରୂପ ଭାବେ ବିଜେବି, ମହର୍ଷି ମହାବିଦ୍ୟାଳୟର ନେତାମାନେ ଏକାଠି ହେଉଥିବା ଦେଖିବାକୁ ମିଳିଥିଲା।
ଏବିଭିପି ଧୀରେ ଧୀରେ କ୍ୟାମ୍ପସରେ ସଙ୍ଗଠନକୁ ମଜଭୂତ କରିବାରେ ଲାଗିପଡ଼ିଛି। ସଙ୍ଗଠନର ସଦସ୍ୟମାନେ ଉତ୍କଳ ବିଶ୍ବବିଦ୍ୟାଳୟରେ ଲଗାତାର ଭାବେ ପତିଆରା ବଢ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ବିଜେବି, ମହର୍ଷି, ରାଜଧାନୀ, କମଳା ନେହରୁ ମହିଳା ମହାବିଦ୍ୟାଳୟରେ ଏବିଭିପି ମଧ୍ୟ କିଛିଟା ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି। ତେବେ ବିଜେପି ଯୁବମୋର୍ଚ୍ଚା ମଧ୍ୟ କ୍ୟାମ୍ପସରେ ନିଜର ସଙ୍ଗଠନକୁ ମଜଭୁତ କରୁଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ସଙ୍ଗଠନ ମଜଭୂତ କରିବାରେ ସକ୍ଷମ ହୋଇଛି। ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିବାରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟମାନେ ଆଗଧାଡ଼ିରେ ରହିଛନ୍ତି। ତିନି ଦିନ ତଳେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ଉପସ୍ଥିତିରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବା କ୍ୟାମ୍ପସ ରାଜନୀତି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏହାକୁ ନେଇ ଛାତ୍ର ବିଜେଡିର ସଦସ୍ୟମାନେ ସାମାଜିକ ଗଣମାଧ୍ୟମରେ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିଆଁ ଲଗାଇ ମାରିବା ପରେ ଏବେ ରମାଦେବୀର ନିରୀହ ଝିଅଙ୍କୁ ଜାଳିକି ମାରିବାକୁ ଆସିଗଲେ। ଏମାନଙ୍କଠାରୁ ନିଜକୁ ସୁରକ୍ଷିତ ରହିବାକୁ ଛାତ୍ରନେତାମାନେ ନିବେଦନ କରିଛନ୍ତି। କେବଳ ସେତିକି ନୁହେଁ, ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗତ ଶୁକ୍ରବାର ରୂପାଲି ଛକରୁ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଭୁବନେଶ୍ବରର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ ହେବା ଛାତ୍ର ରାଜନୀତିକୁ ଅଧିକ ରୋଚକ କରିଛି।
ତେବେ ଛାତ୍ର କଂଗ୍ରେସ ଏପର୍ଯ୍ୟନ୍ତ ନିଜକୁ ସଜାଡ଼ି ପାରି ନାହିଁ। ଉତ୍କଳ ସମେତ ଆଉ କିଛି କ୍ୟାମ୍ପସରେ ଛାତ୍ର କଂଗ୍ରେସର ପୂର୍ବରୁ ସଙ୍ଗଠନ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଖିଦୃଶିଆ କାର୍ଯ୍ୟକ୍ରମ ହୋଇପାରି ନାହିଁ। ଏମିତିକି ନାମଲେଖା ସମୟରେ କ୍ୟାମ୍ପସରେ କ୍ୟାମ୍ପ ପକାଉଥିବା ଛାତ୍ର କଂଗ୍ରେସ ସମ୍ପୂର୍ଣ୍ଣ ନିରବ ରହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜୋର୍ ଧରୁଛି ଭୁବନେଶ୍ବର କ୍ୟାମ୍ପସ ରାଜନୀତି: ପତିଆରା ଜମାଉଛନ୍ତି ସଙ୍ଗଠନ
ଛାତ୍ର ସଂସଦ ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗିରହିଛି। ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟର ଗୋଟିଏ ପରେ ଗୋଟିଏ କ୍ୟାମ୍ପସରେ ଛାତ୍ରୀ ଆତ୍ମାହୁତି, ଛାତ୍ର ଅଶାନ୍ତି, ଗଣ୍ଡଗୋଳ, ନିର୍ଯାତନା ପରି ଘଟଣା ସଙ୍ଗଠିତ ହେଉଥିବାରୁ ଛାତ୍ର...
/sambad/media/media_files/2025/08/18/untitled-3-2025-08-18-06-44-54.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)