ବିସିଡିଡି-୨ରେ ଗ୍ରାହକଙ୍କୁ ସେବା ଯୋଗାଇବାକୁ ନାହାନ୍ତି କର୍ମଚାରୀ : ବଢ଼ୁଛି ଅସନ୍ତୋଷ, ଜାନୁଆରିରୁ ଆନ୍ଦୋଳନ

ଚନ୍ଦ୍ରଶେଖରପୁର : ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ୍‌-୨(ବିସିଡିଡି-୨)ରେ ଗ୍ରାହକଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ଛୁଇଁଥିଲେ ମଧ୍ୟ ସେବା ଯୋଗାଇବା ଲାଗି ସେହି ଅନୁଯାୟୀ କର୍ମଚାରୀ ଓ ଲାଇନ୍‌ ମ୍ୟାନ୍‌ ନାହାନ୍ତି। ଯେତିକି ସଂଖ୍ୟକ କର୍ମଚାରୀ ରହିଛନ୍ତି ସେମାନେ ବହୁ କଷ୍ଟରେ ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି। ଶ୍ରମିକମାନେ ନିଜର ମୋବାଇଲ୍‌ ଫୋନ୍‌, ଗାଡ଼ିର ତେଲ ଖର୍ଚ୍ଚ, ଆବଶ୍ୟକ ମରାମତି ପାଇଁ ସରଞ୍ଜାମ କିଣି ଗ୍ରାହକଙ୍କୁ ସେବା ଯୋଗାଉଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରକାର ପ୍ରୋତ୍ସାହନ ଦିଆଯାଉ ନାହିଁ। ସେସୁର ୨୧ଟି ଡିଭିଜନ ମଧ୍ୟରୁ ୧୯ଟି ଡିଭିଜନରେ କର୍ମଚାରୀମାନେ ପଦୋନ୍ନତି ପାଉଥିବା ବେଳେ ବିସିଡିଡି-୨ ଡିଭିଜନ‌ର କର୍ମଚାରୀମାନେ ପଦୋନ୍ନତି ପାଉ ନାହାନ୍ତି। ନିୟମ ଅନୁଯାୟୀ ୧ ଲକ୍ଷ ୬୦ ହଜାର ଗ୍ରାହକ ଥିଲେ ଦୁଇଟି ଡିଭିଜନରେ ପରିଣତ କରାଯିବା କଥା। ହେଲେ ସେମିତି କିଛି କରାଯାଉ ନ ଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ବିସିଡିଡି-୨ ଶାଖା ପକ୍ଷରୁ ଆୟୋଜିତ ସଭାରେ ମତପ୍ରକାଶ ପାଇଛି।

ଚନ୍ଦ୍ରଶେଖରପୁର-୧ ସେକ୍ସନ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ଅଭିଯୋଗ କରାଯାଇଛି ଯେ ଅର୍ଗାନାଇଜେସନ ରି-ଷ୍ଟ୍ରକଚରିଂ କରିବା ପାଇଁ ଦୁଇ ବର୍ଷ ହେଲା ଆବଶ୍ୟକ ଟଙ୍କା ଡିପୋଜିଟ୍‌ ହୋଇଥିଲେ ମଧ୍ୟ ରିଷ୍ଟ୍ରକଚର ହୋଇପାରୁନି। ସେହିପରି ସେସୁ ଟ୍ରଷ୍ଟ ବୋର୍ଡର ଅବସ୍ଥା ଅତ୍ୟନ୍ତଃ ନୈରାଶ୍ୟଜନକ ରହିଛି। ଶ୍ରମିକମାନେ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲେ ମଧ୍ୟ ସେମାନଙ୍କ ଦୁଃଖ ବୁଝିବାକୁ କେହିନାହିଁ। ସେସୁରେ କାର୍ଯ୍ୟ କରୁଥିବା ଆଉଟସୋର୍ସ ଓ ଜବ୍‌ କଣ୍ଟ୍ରାକ୍ଟ କର୍ମଚାରୀଙ୍କର ଅର୍ଥକୁ ଫ୍ରାଞ୍ଚାଇଜ୍‌ ମାଲିକମାନେ ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଓପିଟିସିଏଲ୍‌ ଓ ଅନ୍ୟ ତିନୋଟି ବିତରଣ କମ୍ପାନିରେ ଚାଲିଥିବା ମେଡିକାଲ ସୁବିଧା ଯଦି ସେସୁକୁ ନ ଦିଆଯାଏ, ମୃତ ଶ୍ରମିକ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ସେସୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରା ନଯାଏ, ବିସିଡିଡି-୨ରେ ଆବଶ୍ୟକ ପରିମାଣରେ ଲାଇନ୍‌ମ୍ୟାନ୍‌ ପଦବି ସୃଷ୍ଟି କରା ନଯାଏ ଓ ମଜୁରି ନିର୍ଦ୍ଧାରଣର ୬୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରା ନଗଲେ ଜାନୁଆରି ପ୍ରଥମ ସପ୍ତାହରୁ ସଂଘର କର୍ମକର୍ତ୍ତାମାନେ ଆମରଣ ଅନଶନରେ ବସିବେ ବୋଲି ଏହାର ସଭାପତି ଅକ୍ଷୟ କୁମାର ତ୍ରିପାଠୀ କହିଛନ୍ତି।

ଏହି ଅବସରରେ ୨୦୨୦ ମସିହା ପାଇଁ ଦିଲ୍ଲୀପ କୁମାର ସାହୁଙ୍କୁ ଡିଭିଜନ ସମ୍ପାଦକ, ବିରଞ୍ଚି ନାରାୟଣ ସିଂ ଓ ଶ୍ରୀକାନ୍ତ ରାଉତଙ୍କୁ ଡିଭିଜନ ସହ ସମ୍ପାଦକ, ମନୋରଞ୍ଜନ ବିଶ୍ବାଳଙ୍କୁ ନୟାପଲ୍ଲୀ ସବ୍‌ଡିଭିଜନ ସମ୍ପାଦକ, ପ୍ରଦୀପ କୁମାର ବେଉରାଙ୍କୁ ପେରିଫେରି ସବ୍‌ଡିଭିଜନ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି। ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସଂଘର ରାଜ୍ୟସ୍ତରୀୟ ୫୭ତମ ବାର୍ଷିକ ଅଧିବେଶନ ପୁରୀ କଚେରୀରୋଡଠାରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର