ମାଘରେ ବାଘ ଖରା, ୪ ଦିନ ହେଲା ଜଳୁଛି ରାଜଧାନୀ

ତାତି ରେକର୍ଡ ଭାଙ୍ଗୁଛି, ୫ଡିଗ୍ରି ପର୍ଯ୍ୟନ୍ତ ପାରଦ ଚଢ଼ିବ

ଭୁବନେଶ୍ବର : ମାଘ ମାସରେ ପ୍ରବଳ ଶୀତ ହୁଏ ବୋଲି ଗାଁଗହଳିରେ କହନ୍ତି, ‘ମାଘ ମାସରେ ବାଘ ଶୀତ’। ମାତ୍ର ଏବେ ପାଣିପାଗ, ପରିବେଶ ସବୁକିଛି ବଦଳି ଯାଇଛି। ମାଘ ମ‌ାସରେ ବୈଶାଖୀ ଖରା ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। ଦ୍ବିପ୍ରହରରେ ରାଜଧାନୀ ରାସ୍ତା ଲକ୍‌ଡାଉନ୍ ସମୟକୁ ମନେ ପକାଇ ଦେଉଛି। ଚାରି ଦିନ ହେଲା ରାଜଧାନୀରେ ଆକାଶରୁ ଅଗ୍ନିବର୍ଷା ହେଲା ଭଳି ଲାଗୁଛି। ୪୦ଡିଗ୍ରି ତାତିରେ ସିଝୁଛନ୍ତି ଲୋକେ।

ରାଜଧାନୀ ପାଇଁ ଯଦିଓ ୪୦ଡିଗ୍ରି ତାତି ଅଧିକ ନୁହେଁ, କିନ୍ତୁ ଫେବ୍ରୁଆରିରେ ଶୀତ ଅନୁଭବ କରୁଥିବା ଲୋକ ହଠାତ୍ ଏଭଳି ଖରା ଦେଖି ବିସ୍ମିତ ହୋଇ ଯାଉଛନ୍ତି। ଗତ ସପ୍ତାହରେ କମ୍ବଳ, ଚଦର ଘୋଡ଼ି ହୋଇ ଶୋଉଥିବା ଲୋକ ଏବେ ଏସି ନ ଲାଗିଲେ ଶୋଇ ପାରୁନାହାନ୍ତି। ଦିନବେଳେ ସ୍ବାଭାବିକ ତାପମାତ୍ରାଠାରୁ ଅଧିକ ୬ଡିଗ୍ରି ତାତି ସମସ୍ତଙ୍କୁ କଲବଲ କରିଦେଲାଣି।

ଚାରିଦିନ ହେଲା ଲଗାତାର ଦେଶର ତତଲା ସହର ପାଲଟିଥିବା ଭୁବନେଶ୍ବର ଆଜି ସବୁ ରେକର୍ଡ ଭାଙ୍ଗି ୪୦.୬ଡିଗ୍ରି ଛୁଇଁଛି। ଲଗାତାର ଦୁଇ ଦିନ ୪୦ଡିଗ୍ରି ଉପରେ ରହିଥିବା ରାଜଧାନୀର ତାପମାତ୍ରା ଆଜି ୫ବର୍ଷର ରେକର୍ଡ ଭାଙ୍ଗିଛି। ୨୦୧୬ ମସିହାରେ ଫେବ୍ରୁଆରି ୨୦ତାରିଖରେ ଭୁବନେଶ୍ବରରେ ପାରଦ ୪୦.୯ଡିଗ୍ରି ଛୁଇଁଥିଲା। ସେହିପରି ୧୯୬୩ ମସିହା ଫେବ୍ରୁଆରି ୨୩ତାରିଖରେ ରାଜଧାନୀରେ ଫେବ୍ରୁଆରି ମାସର ସର୍ବୋଚ୍ଚ ତାପମାତ୍ରା ୪୨.୭ଡିଗ୍ରି ରେକର୍ଡ ହୋଇଥିଲା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜଧାନୀବାସୀଙ୍କୁ ଖରାରୁ ତ୍ରାହି ମିଳିବନି। ପାରଦ ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଅର୍ଥାତ୍ ରାଜଧାନୀର ତାପମାତ୍ରା ୪୫ଡିଗ୍ରି ଛୁଇଁପାରେ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ନିର୍ମଳ ଆକାଶ, ବାୟୁମଣ୍ଡଳରେ କମ୍‌ ଆର୍ଦ୍ରତା, ସୂର୍ଯ୍ୟ କିରଣ ସିଧାସଳଖ ଦେହରେ ପଡ଼ିବା ଏବଂ ଆଣ୍ଟିସାଇକ୍ଲୋନିକ୍ ପବନ ରାଜଧାନୀରେ ତାତି ବଢ଼ିବାର ପ୍ରମୁଖ କାରଣ। ବଙ୍ଗୋପସାଗରରୁ ସ୍ଥଳ ଭାଗକୁ ପବନ ବହିଲେ ତାତି କମିବ। ଏଥିପାଇଁ ଅତି କମ୍‌ରେ ଆଉ ସପ୍ତାହେ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର