ଯେଉଁଠି ଦେଖିବ ସେଠି କୁଢ଼କୁଢ଼ ଆବର୍ଜନା : ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା କେମିତି ହେବ?

ଭୁବନେଶ୍ବର : ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ ହୋଟେଲ ମେ’ ଫେୟାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଲେ ଯେ, ରାଜ୍ୟ ସରକାର ସ୍ବଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା ଗଠନ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ ଏହି ଅଭିଯାନ କେତେ ଦୂର ସଫଳ ହେବ ତାହା ରାଜଧାନୀର ପରିମଳ ବ୍ୟବସ୍ଥାକୁ ଦେଖିଲେ ଜଣାପଡ଼ୁଛି। ଯେଉଁଠି ରାଜ୍ୟର ରାଜଧାନୀ ସ୍ବଚ୍ଛ ହୋଇପାରୁନି ସେଠାରେ ସ୍ବଚ୍ଛ ଓଡ଼ିଶା ଦିବା ସ୍ବପ୍ନ ଲାଗିଲାଣି। ଆଉ ବିନା ସ୍ବଚ୍ଛତାରେ କେମିତି ଲୋକ ସୁସ୍ଥ ରହିବେ ତାହା ଏବେ ବୁଝିବା କଷ୍ଟକର ହୋଇପଡ଼ିଛି।

ସ୍ବଚ୍ଛ ଭୁବନେଶ୍ବର ଅଭିଯାନ ନେଇ ବିଏମ୍‌ସି କାର୍ଯ୍ୟ କରୁଛି। କିନ୍ତୁ ରାଜଧାନୀବାସୀଙ୍କ ବଡ଼ ସମସ୍ୟା ଏବେ ସ୍ବଚ୍ଛତା ପାଲଟିଛି। ପ୍ରତ୍ୟେକ ୱାର୍ଡରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି। କେଉଁଠୁ ବି ଆବର୍ଜନା ନିୟମିତ ଉଠୁନି। ରାଜଧାନୀର ୬୭ଟି ଯାକ ୱାର୍ଡର ପରିମଳ ବ୍ୟବସ୍ଥା ନେଇଥିବା ତିନିଟି ଘରୋଇ ସଂସ୍ଥା ସମେତ ବିଏମ୍‌ସିର ଅପାରଗତା ଏବଂ କାର୍ଯ୍ୟ‌େର ଖିଲାପି ଯୋଗୁଁ ଏବେ ପରିମଳ ବ୍ୟବସ୍ଥା ପୂରା ବିଗିଡ଼ି ଗଲାଣି। ନା ଅଧିକାରୀଙ୍କର ଆକଟ ଅଛି ନା ସଫେଇ ସଂସ୍ଥା ‘ସ୍ବଚ୍ଛ ଭୁବନେଶ୍ବର’ ଅଭିଯାନକୁ ଗୁରୁତ୍ବ ଦେଉଛନ୍ତି। ସମସ୍ତେ ପୂରା ବେଫିକର। ଯାନ୍ତ୍ରିକ ସଫେଇ ମାୟାରେ ବିଏମ୍‌ସି ବାୟା ହୋଇଥିବାବେଳେ ସଫେଇ ସଂସ୍ଥା ବି ନିଜର ଭବିଷ୍ୟତ ନେଇ ଅନ୍ଧାରରେ ଥିବାରୁ ଅଳିଆ ଉଠାଇବାକୁ ଗୁରୁତ୍ବ ଦେଉନାହାନ୍ତି। ଯାହା ଏବେ ସାଂଘାତିକ ରୂପ ନେଲାଣି।

ସଫେଇ ସଂସ୍ଥା ନିୟମିତ ବ୍ୟବଧାନରେ ଅଳିଆ ଉଠାଉ ନଥିବାବେଳେ ବିଏମ୍‌ସି ନା ଜରିମାନା ଆଦାୟ କରୁଛି ନା ଟେଣ୍ଡର ବାତିଲ୍ କରି କିଛି ପଦକ୍ଷେପ ନେଉଛି। ସବୁ ସଲାସୁତରାରେ ଚାଲିଥିବାରୁ ଏବେ ରାଜଧାନୀବାସୀ ପୁତିଗନ୍ଧମୟ ପରିବେଶରେ ରହୁଛନ୍ତି। ରାଜଧାନୀର ଅଧିକାଂଶ ୱାର୍ଡରେ ଦୁଇ ତିନି ଦିନରେ ଥରେ ଅଳିଆ ଉଠୁଥିବାବେଳେ ଅଧିକାଂଶ ସ୍ଥାନରେ ଡଷ୍ଟବିନ୍ ନଥିବାରୁ ରାସ୍ତା ଉପରେ ଅଳିଆ ଗଦା ହୋଇପଡ଼ୁଛି। ହକି ବିଶ୍ବକପ୍ ପୂର୍ବରୁ ପରିମଳ ବ୍ୟବସ୍ଥାକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିଥିବା ବିଏମ୍‌ସି କର୍ତ୍ତୃପକ୍ଷ କାହିଁକି ନିରବ ବସିଛନ୍ତି ସେନେଇ ପ୍ରଶ୍ନ ଉଠିଲାଣି।

ଏନେଇ ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ରାମଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଅଳିଆ ଉଠୁନି ବୋଲି ଅଭିଯୋଗ ଆସୁଛି। ଆମେ ଏହାର ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରୁଛୁ। ପ୍ରତ୍ୟେକ ୱାର୍ଡରେ ଯେପରି ନିୟମିତ ସଫେଇ ହେବ ଏବଂ ଅଳିଆ ଉଠିବ ସେଥିପାଇଁ ବିଏମ୍‌ସିର ୧୩ଟି ସବ୍‌ଜୋନ୍‌ର ନୋଡାଲ ଅଧିକାରୀଙ୍କ ସହ ଜଣେ ଲେଖାଏଁ ସାନିଟାରି ଇନିସ୍ପେକ୍ଟର୍‌ଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ଅଧିକାରୀମାନେ ପ୍ରତ୍ୟେକ ଦିନ ସକାଳେ ସେମାନଙ୍କ ଅଞ୍ଚଳ ବୁଲି ପରିମଳ ବ୍ୟବସ୍ଥା ନିରୀକ୍ଷଣ କରିବେ। ସେମାନଙ୍କ ରିପୋର୍ଟ ଅନୁସାରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଆଗାମୀ ଦିନରେ ସଫେଇ ବ୍ୟବସ୍ଥା ସଜାଡ଼ିବାକୁ ପ୍ରତ୍ୟେକ ୱାର୍ଡ ଅନୁଯାୟୀ ଟେଣ୍ଡର୍‌ ହେବ। ଏହା ହେଲେ ପରିମଳ ବ୍ୟବସ୍ଥା ନେଇ ଲୋକଙ୍କ ଅଭିଯୋଗ ରହିବନି ବୋଲି ଡା. ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର