ଖୁବ୍‌ଶୀଘ୍ର ଭୁବନେଶ୍ବର କ୍ଲବ ନିର୍ବାଚନ: ସଭାପତି ପଦ ପାଇଁ ମୈଦାନରେ ବିଜୟ, ଅସିତ

ଭୁବନେଶ୍ବର: ଭୁବନେଶ୍ବର କ୍ଲବର କର୍ମକର୍ତ୍ତା ନିର୍ବାଚନ ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତାକାଲି (ବୁଧବାର) କ୍ଲବ୍‌ ପକ୍ଷରୁ ଏନେଇ ବୈଠକ ହେବା ସହ ନିର୍ବାଚନ ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ପରେ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଯିବ ବୋଲି ସୂଚନା ମିଳିଛି। କ୍ଲବର ସଭାପତି ପଦ ପାଇଁ ୨ ପୂର୍ବତନ ମୁଖ୍ୟ ଶାସନ ସଚିବ, ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକଙ୍କ ମଧ୍ୟରେ ଲଢ଼େଇ ହେବ। ସେହିପରି ଉପସଭାପତି ପଦ ପାଇଁ ୫ଜଣ, ସମ୍ପାଦକ ପାଇଁ ୬ଜଣ, ଯୁଗ୍ମ ସମ୍ପାଦକ ପାଇଁ ୩ ଜଣ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଇଁ ୨୨ଜଣ ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତ ଏପ୍ରିଲ୍‌ ମାସରେ ନାମାଙ୍କନପତ୍ର ଦାଖଲ ସରିଥିଲେ ହେଁ ଅନିବାର୍ଯ୍ୟ କାରଣ ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ସଭାପତି ପଦ ପାଇଁ ଲଢ଼ୁଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅବସର ନେବା ପରେ ଏବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି। ସେହିପରି ପ୍ରତିଦ୍ବନ୍ଦ୍ବୀ ବିଜୟ ପଟ୍ଟନାୟକ ତାଙ୍କ ଚାକିରି କାଳରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ପରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଇଥିଲେ। ଅବସର ପରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ସମ୍ଭାଳିଥିଲେ। ଏବେ କ୍ଲବର ସଭାପତି ପଦ ପାଇଁ ଏହି ଦୁଇ ଅଫିସର୍‌ଙ୍କ ମଧ୍ୟରେ ଲଢ଼େଇ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି।

ସଭାପତି ଯିଏ ଥାଆନ୍ତୁ ନା କାହିଁକି, ପୂର୍ବତନ ଆଇଏଏସ୍‌ ଅଧିକାରୀ ସ୍ବର୍ଗତ ପ୍ରିୟବ୍ରତ ପଟ୍ଟନାୟକ ବହୁ ବର୍ଷ ଧରି କ୍ଲବର ପରିଚାଳନା ଦାୟିତ୍ବରେ ରହି ଆସୁଥିଲେ। ଗତବର୍ଷ କର୍କଟ ରୋଗରେ ତାଙ୍କ ଦେହାନ୍ତ ହେବା ପର୍ଯ୍ୟନ୍ତ ସେ ମଧ୍ୟ ସଭାପତି ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ୧୯୪୯ରେ ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବର ପ୍ରଥମ ସଭାପତି ଖଲ୍ଲିକୋଟର ରାଜା ବାହାଦୂର ହୋଇଥିଲେ। ସେ ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ଏହି ପଦରେ ରହିବା ପରେ ୧୯୫୩ ମସିହାରେ ଜଷ୍ଟସ୍‌ ଏଲ. ପାଣିଗ୍ରାହୀ ଏହି ପଦ ଅଳଙ୍କୃତ କରିଥିଲେ। ବିଭିନ୍ନ ରାଜ ପରିବାରର ମୁଖ୍ୟଙ୍କଠାରୁ ଆରମ୍ଭ କରି ଡ. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟଙ୍କ ପରି ମୁଖ୍ୟମନ୍ତ୍ରୀମାନେ ଏହି ପଦରେ ରହି ଆସିଛନ୍ତି। କିନ୍ତୁ ୧୯୬୪ ମସିହା ପରେ ଆଇଏଏସ୍‌ ଅଫିସର୍‌ମାନେ ଏହି ପଦକୁ କବ୍‌ଜା କରି ଆସିଥିଲେ।

ସମ୍ବନ୍ଧିତ ଖବର