ଭୁବନେଶ୍ବର: ସନ୍ଧ୍ୟା ୫ଟାରୁ ରାତ୍ର ସାଢ଼େ ୭ ପର୍ଯ୍ୟନ୍ତ ଭୁବନେଶ୍ବର- କଟକ ମଧ୍ୟକୁ ଟ୍ରକ ମନା। ଏନେଇ କମିସନରେଟ ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନସାଧାରଣଙ୍କ ସୁରକ୍ଷା ଓ ସୁଗମନାଗମନ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ପୁଲିସ୍ କମିସନରେଟ୍ ଭୁବନେଶ୍ବର-କଟକ ଟ୍ରାଫିକ୍ ଓ ପବ୍ଲିକ ଅର୍ଡର ୨୦୦୮ ଧାରା ୩୪(୧) ଅନୁସାରେ ଏହି ନିୟମ ଲାଗୁ କରାଯାଇଛି।
ଭୁବନେଶ୍ୱର କଟକ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସନ୍ଧ୍ୟା ୫.୦୦ରୁ ରାତି ୭.୩୦ ମଧ୍ୟରେ ଭୁବନେଶ୍ବର କସ୍ମୋପଲିସ୍ ଛକ ଠାରୁ ହଂସପାଳ ଛକ ଏବଂ ମଧୁପାଟଣା ଛକଠାରୁ କଟକ ଶିଖରପୁର ଛକ ମଧ୍ୟରେ ଟ୍ରାଫିକ୍ ସମସ୍ୟା ଦେଖାଯାଉଛି। ଏହାଦ୍ୱାରା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ୬ ଚକିଆ ଯାନ କିମ୍ବା ତା’ଠାରୁ ଅଧିକ ଚକବିଶିଷ୍ଟ ଯାନ (ଟ୍ରକ୍ କିମ୍ବା ଟ୍ରଲର) ପିତାପଲ୍ଲୀ ଛକ ପଟୁ ଭୁବନେଶ୍ବର ଆଡ଼କୁ ଏବଂ ମଙ୍ଗୁଳି ଛକ ପଟୁ କଟକ ସହର ମଧ୍ୟକୁ ସନ୍ଧ୍ୟା ୫ ଘଟିକା ଠାରୁ ୭.୩୦ ଘଟିକା ମଧ୍ୟରେ ଚଳାଚଳ କରିପାରିବ ନାହିଁ।